ମୁମ୍ବାଇ: ସେମିଫାଇନାଲ୍ର ପ୍ରତିଶୋଧ ସେମିଫାଇନାଲ୍ରେ। ମାଞ୍ଚେଷ୍ଟର୍ର ବଦଲା ୱାଙ୍ଖଡେରେ। ୪ ବର୍ଷ ତଳେ ଯେଉଁ ପର୍ଯ୍ୟାୟରେ ଭାରତକୁ ନ୍ୟୁଜିଲାଣ୍ଡ୍ ବିଦା କରିଥିଲା, ଏବେ ଠିକ୍ ସେହି ପର୍ଯ୍ୟାୟରେ ହିଁ ଭାରତ ଜିତି ନକ୍ ଆଉଟ୍ ପରାଜୟ ଧାରା ଭାଙ୍ଗିଦେଇଛି। ବୁଧବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍କୁ ବୁଡ଼ାଇ ଦେଇଛି ଭାରତ। ଏଥିସହିତ ଭାରତ ବିଶ୍ବକପ୍ ଗୌରବଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। କେନ୍ ୱିଲିୟମସନ୍ଙ୍କ ଆହ୍ବାନକୁ ପ୍ରତିହତ କରି ଭାରତ ଚତୁର୍ଥ ଥର ଫାଇନାଲ୍ରେ ପ୍ରବେଶ କରିଛି। ୧୯୮୩, ୨୦୦୩, ୨୦୧୧ରେ ଭାରତ ଫାଇନାଲ୍ ଖେଳିଥିଲା। ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରୁ ମିଳିଥିବା ୭ ୱିକେଟ୍ ସଫଳତା ଭାରତର ‘ତିନ୍ କା ଦମ୍’ ସ୍ବପ୍ନକୁ ଠିକଣା ପଥରେ ରଖିଛି। ବୁଧବାର ରୋହିତ ଶର୍ମାଙ୍କ ସେନା ରୋମଞ୍ଚଭରା ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ୭୦ ରନ୍ରେ ପରାସ୍ତ କରିଦେବାରୁ ରବିବାର ଅହମଦାବାଦରେ ଖେଳାଯିବାକୁ ଥିବା ଫାଇନାଲ୍ ଲାଗି ଟିକଟ ଅର୍ଜନ କରିଛି। ଭାରତର କ୍ରମାଗତ ବିଜୟ ଧାରା ମଧ୍ୟ ଚଳିତ ସଂସ୍କରଣରେ ୧୦-୦ରେ ପହଞ୍ଚିଯାଇଛି। ୩୯୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ୍ ପ୍ରଥମରୁ ୨ ୱିକେଟ୍ ହରାଇଥିଲା। ଡାରିଲ୍ ମିଚେଲ୍ ଓ କେନ୍ ୱିଲିୟମସନ୍ ତୃତୀୟ ୱିକେଟ୍ ପାଇଁ ୧୮୧ ରନ୍ ଯୋଡ଼ି ୱାଙ୍ଖ୍ଡେ ଦର୍ଶକଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଶାନ୍ତ କରି ଦେଇଥିଲେ। ମହମ୍ମଦ ସାମିଙ୍କ ଦ୍ବିତୀୟ ସ୍ପେଲ୍ ପୁଣି ନ୍ୟୁଜିଲାଣ୍ଡ୍ ପାଳିକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା। ପ୍ରାରମ୍ଭିକ ଯୋଡ଼ି ଡେଭନ୍ କନୱେ- ରାଚିନ ରବୀନ୍ଦ୍ରଙ୍କ ପରେ ଡାରିଲ୍ ମିଚେଲ୍ (୧୩୪) ଓ କେନ୍ ୱିଲିୟମସନ୍ (୬୯)ଙ୍କୁ ମଧ୍ୟ ସାମି ଶିକାର କରିଥିଲେ। ନିମ୍ନକ୍ରମରେ ମଧ୍ୟ ସାମିଙ୍କ ୱିକେଟ୍ ଶିକାର ଜାରି ରହିଥିଲା। ଶେଷକୁ ୯.୫-୦-୫୭-୭ ଚମତ୍କାର ବୋଲିଂ ଚିତ୍ର ସହ ସାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଚଳିତ ବିଶ୍ବକପ୍ରେ ସାମିଙ୍କର ଏହା ତୃତୀୟ ୫ ୱିକେଟ୍ ସଫଳତା ହୋଇଥିବା ବେଳେ ମୋଟ ୨୩ ୱିକେଟ୍ ନେଇ ସେ ଶୀର୍ଷକୁ ଉଠିଛନ୍ତି। ଗୁରୁବାର କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ ବିଜେତାକୁ ଭାରତ ଫାଇନାଲ୍ରେ ଭେଟିବ।
ପୂର୍ବରୁ ରୋହିତ ଶର୍ମା ଟସ୍ ଜିତି ବିସ୍ଫୋରକ ପାଳି ଖେଳିବା ପରେ ବିରାଟ କୋହଲି (୧୧୩ ବଲ୍ରୁ ୧୧୭ ରନ୍)ଙ୍କ ବିଶ୍ବ ରେକର୍ଡ ୫୦ତମ ଶତକ ଏବଂ ଶ୍ରେୟସ ଆୟର (୭୦ ବଲ୍ରୁ ୧୦୫ ରନ୍)ଙ୍କ ଲଗାତାର ଶତକ ବଳରେ ଭାରତ ୩୯୭ ରନ୍ର ବିଶାଳ ସ୍କୋର୍ କରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୩ ୱିକେଟ୍ ନେଇଥିଲେ ମଧ୍ୟ ୧୦୦ ରନ୍ ବ୍ୟୟ କରି ଅଲୋଡ଼ା ରେକର୍ଡ ଅର୍ଜନ କରିଥିଲେ। ଭାରତର ୩୯୭/୪ ସ୍କୋର୍ ମଧ୍ୟ ବିଶ୍ବକପ୍ ନକ୍ ଆଉଟ୍ ମୁକାବିଲାରେ ସର୍ବୋଚ୍ଚ ସ୍କୋର୍ ।
ମୁମ୍ବାଇ: ବିଶ୍ବ କ୍ରିକେଟ୍ରେ ବିଶେଷ କରି ଦିନିକିଆ ଫର୍ମାଟରେ ବିରାଟ କୋହଲି ବୁଧବାର ‘ବିରାଟ’ କିଂବଦନ୍ତିର ମାନ୍ୟତା ପାଇଛନ୍ତି। ଏକଦିବସୀୟ କ୍ରିକେଟ୍ର ସମ୍ରାଟ୍ ତଥା ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ଟି ଶତକକୁ ପଛରେ ପକାଇ ମଡର୍ଣ୍ଣ ମାଷ୍ଟର୍ ବିରାଟ କୋହଲି ୫୦ତମ ଦିନିକିଆ ଶତକ ହାସଲ କରି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ବିରାଟଙ୍କ ଏହି ଶତକ ଏଭଳି ମଞ୍ଚରେ ଆସିଛି, ଯେଉଁଠି ସଚିନଙ୍କ ଘର, ସହର ଓ ଷ୍ଟାଡିୟମ୍ ଅବସ୍ଥିତ। ନିଜ ଗୁରୁଙ୍କ ସମ୍ମୁଖରେ ବିଶ୍ବ କୀର୍ତ୍ତିମାନକୁ ପଛରେ ପକାଇ ବିରାଟ କୋହଲି ମଧ୍ୟ ଏହାକୁ ସ୍ମରଣୀୟ ତଥା ଯୁଗାନ୍ତକାରୀ ମୁହୂର୍ତ୍ତରେ ପରିଣତ କରିଛନ୍ତି। ଐତିହାସିକ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଆଇସିସି ଦିନିକିଆ ବିଶ୍ବକପ୍ର ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ସେମିଫାଇନାଲ୍ରେ ବିରାଟ ୧୧୩ ବଲ୍ରୁ ୧୧୭ ରନ୍ର ସଂଘର୍ଷପୂର୍ଣ୍ଣ ଶତକୀୟ ପାଳି ଖେଳି ଇତିହାସ ପୃଷ୍ଠାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ୱାଙ୍ଖ୍ଡେ ଷ୍ଟାଡିୟମ୍ ଷ୍ଟାଣ୍ଡ୍ରେ ନିଜ ଗୁରୁ ତଥା ଆଦର୍ଶ ସଚିନ ତେନ୍ଦୁଲକର ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମ୍ମୁଖରେ କୋହଲି ଏହି ଶତକ ପୂର୍ଣ୍ଣ କରିବା ମାତ୍ରେ ଭାବବିହ୍ବଳ ହୋଇପଡ଼ିଥିଲେ। ମ୍ୟାଚ୍ର ୪୨ତମ ଓଭରରେ ଲୋକି ଫର୍ଗୁସନ୍ଙ୍କ ବଲକୁ ମିଡ୍ୱିକେଟ୍ ଅଞ୍ଚଳକୁ ପଠାଇ ୨ ରନ୍ ନେବା ପରେ କୋହଲିଙ୍କ ଏହି ଚିର ସ୍ମରଣୀୟ ପାଳିକୁ ୱାଙ୍ଖ୍ଡେ ଦର୍ଶକ ଠିଆ ହୋଇ ଅଭିବାଦନ ଜଣାଇଥିଲେ। ସେତେବେଳକୁ ମାଂଶପେଶୀ ଟାଣି ହୋଇଯାଇଥିବାରୁ କ୍ଲାନ୍ତ କୋହଲି କିନ୍ତୁ ପଡ଼ିଆରେ ପ୍ରଥମେ ଆଣ୍ଠୁଆ ମାଡି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଈଶ୍ବରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହା ପରେ ବ୍ୟାଟ୍ ଓ ଗ୍ଲୋଭ୍ସ ଛାଡ଼ି ଦୁଇ ହାତ ଟେକି ସଚିନ ତେନ୍ଦୁଲକରଙ୍କ ଉଦ୍ଦେଶ୍ୟରେ ନତମସ୍ତକ ହୋଇଥିଲେ। ସମାନ ସମୟରେ ଭିଆଇପି ଗ୍ୟାଲେରିରେ ଥିବା ପତ୍ନୀ ଅନୁଷ୍କା ଶର୍ମାଙ୍କ ଉଦ୍ଦେଶ୍ୟରେ ଚୁମ୍ବନ ଉଡ଼ାଇବାକୁ ମଧ୍ୟ ଭୁଲିନଥିଲେ। କିଙ୍ଗ୍ କୋହଲିଙ୍କ ଏହି ମାଇଲଖୁଣ୍ଟ ଶତକ ମୁହୂର୍ତକୁ ଫୁଟ୍ବଲ୍ କିଂବଦନ୍ତି ଡେଭିଡ୍ ବେକହାମ ମଧ୍ୟ ୱାଙ୍ଖ୍ଡେରେ ରହି ଉପଭୋଗ କରିବା ଭିନ୍ନ ପରିବେଶ ଆଣି ଦେଇଥିଲା।
କୋହଲିଙ୍କ ଏହି ୧୧୩ ବଲ୍ରୁ ୧୧୭ ରନ୍ ପାଳିରେ ୧୧ ଚୌକା ଓ ୨ ଛକା ସାମିଲ ଥିଲା। ଏହି ପାଳି ଅବସରରେ ସେ ଗୋଟିଏ ସଂସ୍କରଣ ବିଶ୍ବକପ୍ରେ ସର୍ବାଧିକ ରନ୍ (୭୧୧*) ଏବଂ ସର୍ବାଧିକ ୫୦+ ସ୍କୋର୍ (୮ ଥର)ର ରେକର୍ଡକୁ ମଧ୍ୟ ନିଜ ନାମରେ କରି ନେଇଥିଲେ। ଭାରତ ମଧ୍ୟ ଏକ ବିଶ୍ବକପ୍ ନକ୍ ଆଉଟ୍ ମୁକାବିଲାରେ ସର୍ବୋଚ୍ଚ ଦଳଗତ ସ୍କୋର୍ (୩୯୭/୪) କରି ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା। କୋହଲି ପ୍ରଥମ ଥର ପାଇଁ ଏକ ଆଇସିସି ନକ୍ ଆଉଟ୍ ମ୍ୟାଚ୍ରେ ଶତକ ହାସଲ କରିବା ସହ ଦିନିକିଆ ଫର୍ମାଟରେ ଅଗ୍ରଣୀ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ତୃତୀୟକୁ ଉଠିଥିଲେ। ରିକି ପଣ୍ଟିଂ (୧୩,୭୦୪ ରନ୍)ଙ୍କୁ ସେ ପଛରେ ପକାଇଥିବାବେଳେ ଏବେ କେବଳ ସଚିନ ତେନ୍ଦୁଲକର (୧୮,୪୨୬) ଓ କୁମାର ସାଙ୍ଗାକାରା (୧୪,୨୩୪ ରନ୍) ପଛରେ ରହିଛନ୍ତି। କୋହଲି ଏ ପର୍ଯ୍ୟନ୍ତ ୨୯୧ ମ୍ୟାଚ୍ର ୨୭୯ ପାଳିରୁ ୧୩,୭୯୪ ରନ୍ ସଂଗ୍ରହ କରିସାରିଛନ୍ତି। ଚଳିତ ବିଶ୍ବକପ୍ ସଂସ୍କରଣରେ କୋହଲିଙ୍କ ଏହା ତୃତୀୟ ଶତକ। ପୂର୍ବରୁ ସେ ବାଂଲାଦେଶ ବିପକ୍ଷରେ ୧୦୩* ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧* କରିଥିଲେ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନଙ୍କ ୪୯ତମ ଶତକର ସମକକ୍ଷ ହୋଇଥିଲେ। ଏବେ ବଡ଼ ମ୍ୟାଚ୍ ଓ ବଡ଼ ମଇଦାନରେ ଦୁଇଟି ଶତକ ହାସଲ କରି କୋହଲି ମଧ୍ୟ ନିଜକୁ ମହାନତମ ଖେଳାଳି ବୋଲି ପୁଣି ଥରେ ପ୍ରମାଣିତ କରିଦେଇଛନ୍ତି।