କଟକ: ଓଡ଼ିଶା କ୍ରିକେଟ୍‌ ଅଧୋଗତିକୁ ସୁଧାରିବା ପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ଏକ ବୃହତ୍ତର ଯୋଜନା ହାତକୁ ନିଆଯାଇଛି। ଓସିଏର ପୂର୍ବ ନିଷ୍ପତ୍ତି ମୁତାବକ, ରାଜ୍ୟରେ କ୍ରିକେଟ୍‌ ପ୍ରତିଭ‌ାମାନଙ୍କୁ ଅନ୍ବେଷଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏକକାଳୀନ ୪୧ଟି କ୍ରିକେଟ୍‌ ଏକାଡେମି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଜିଲ୍ଲାରେ ଗୋଟିଏ କ୍ରିକେଟ୍‌ ଏକାଡେମି ପ୍ରତିଷ୍ଠା କରାଯିବା ସହିତ ବଡ଼ ସହର ଯଥା, କଟକ, ଭୁବନେଶ୍ବର, ରାଉରକେଲା, ସମ୍ବଲପୁରରେ ଏକାଧିକ କ୍ରିକେଟ୍‌ ଏକା‌ଡେମି ଆରମ୍ଭ କରାଯିବାକୁ ଯୋଜନା ରହିଛି। ଫେବ୍ରୁଆରି ଶେଷ ସପ୍ତାହରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କ୍ରିକେଟ୍‌ ଏକାଡେମି ଗୁଡ଼ିକର ଶିଳାନ୍ୟାସ କରିବାର ଯୋଜନା ହୋଇଛି।

Advertisment

ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ସୂଚନା ଅନୁସାରେ, ପ୍ରତି କ୍ରିକେଟ୍‌ ଏକାଡେମିରେ ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଏକାଡେମିଗୁଡ଼ିକରେ ଓସିଏ ପକ୍ଷରୁ ପ୍ରଶିକ୍ଷକ ନିଯୁକ୍ତ କରାଯିବ। ଏଥି ସହିତ ସମସ୍ତ ଜିଲ୍ଲାରେ କ୍ରିକେଟ୍‌ ପିଚ୍‌ ଗୁଡ଼ିକର ବିକାଶ କରାଯିବ। କ୍ରିକେଟ୍‌ ପାଇଁ ବିସିସିଆଇ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏଭଳି ବୃହତ୍‌ ଯୋଜନା ହାତକୁ ନିଆଯାଇଛି। ରାଜ୍ୟରେ ଏକକାଳୀନ ଏତେ ସଂଖ୍ୟକ କ୍ରିକେଟ୍‌ ଏକା‌ଡେମି ପ୍ରତିଷ୍ଠା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ଆଗାମୀ ଦିନରେ ଏହି ଏକ‌ାଡେମି କ୍ରିକେଟ୍‌ ପ୍ରତିଭ‌ା ବିକ‌ାଶରେ ସହାୟକ ହେବ ବୋଲି ସଂଜୟ କହିଛନ୍ତି।

ସୂଚନାଯୋଗ୍ୟ, ଓସିଏର ଭିଜିନ୍‌-୨୦୨୪ରେ କ୍ରିକେଟ୍‌ରର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଏଥିପାଇଁ ୨୦୨୧ ଜୁଲାଇ ୨୦ ତାରିଖରେ ୧୫ ଜିଲ୍ଲା ଏକାଡେମି ନିର୍ମାଣ ପାଇଁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ଗଜପତିରେ ଏହି ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥି‌ଲା।