ପର୍ଥ: ଦୁର୍ବଳ ଆରମ୍ଭକୁ ଦମ୍ଦାର ବିଜୟରେ ରୂପାନ୍ତର କରି ନୂଆ ଇତିହାସ ରଚିଛି ଭାରତୀୟ କ୍ରିକେଟ୍ ଦଳ। ଯାହା କେବେ ହୋଇ ନଥିଲା ତାହା କରି ଅଷ୍ଟ୍ରେଲିଆର ଗଡ଼ ଭାବେ ପରିଚିତ ପର୍ଥରେ ଟେଷ୍ଟ୍ କ୍ରିକେଟ୍ର ନୂଆ ମାଇଲ୍ଖୁଣ୍ଟ ଛୁଇଁଛି। ପ୍ରଥମ ପାଳିରେ ମାତ୍ର ୧୫୦ ରନ୍ କରିବା ପରେ ନାଟକୀୟ ପ୍ରତ୍ୟାବର୍ତ୍ତନର ସଫଳ ଅଧ୍ୟାୟ ଯୋଡ଼ି ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର୍ ଟ୍ରଫି (ବିଜିଟି)ର ପ୍ରଥମ ଟେଷ୍ଟ୍କୁ ଅବିଶ୍ବସନୀୟ ଭାବେ ୨୯୫ ରନ୍ରେ ଜିତି ନେଇଛି। ଯଶପ୍ରୀତ୍ ବୁମ୍ରାଙ୍କ ଘାତକ ସ୍ପେଲ୍, ଜୟସ୍ବାଲଙ୍କ ଯଶସ୍ବୀ ପାଳି ଏବଂ କିଙ୍ଗ୍ କୋହଲିଙ୍କ ଅତୁଳନୀୟ ତଥା ଆକ୍ରମଣାତ୍ମକ ଶତକ ବଳରେ ଅଷ୍ଟ୍ରେଲିଆକୁ ଘାଇଲା କରି ବିଦେଶ ମାଟିରେ ଏହି ରେକର୍ଡଭରା ବିଜୟ ହାସଲ କରିଛି। ସାଢ଼େ ତିନି ଦିନରେ ଖେଳ ଖତମ କରି ଟିମ୍ ଇଣ୍ଡିଆ ମଧ୍ୟ ପର୍ଥର ଅପଟସ୍ ଷ୍ଟାଡିୟମ୍ରେ ଦୁର୍ଦ୍ଧର୍ଷ ଅଷ୍ଟ୍ରେଲିଆକୁ ହରାଇବାରେ ପ୍ରଥମ ଦଳ ହୋଇଛି। ତା’ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବିଜିଟି ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପୁଣି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାର ଏକନମ୍ବର ସ୍ଥାନକୁ ଫେରି ଲଗାତାର ତୃତୀୟ ଥର ଫାଇନାଲ୍ ଖେଳିବା ଆଶାକୁ ଅତୁଟ ରଖିଛି। ରୋହିତ, ଗିଲ୍, ଜାଡ଼େଜା, ଅଶ୍ବିନ ଓ ସାମିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ଜିତିବା ଏହାକୁ ଅଧିକ ଅଭୁଲା, ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି।
ଭାରତ ସୋମବାର ପର୍ଥରେ ବିଜୟ ବାନା ଉଡ଼ାଇ ଆଡିଲେଡ୍ରେ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ଆଡ଼କୁ ବି ଆତ୍ମବିଶ୍ବାସର ସହ ପାଦ ବଢ଼ାଇଛି। ବିଦେଶୀ ମାଟିରେ ରନ୍ ବ୍ୟବଧାନରେ ତୃତୀୟ ସର୍ବବୃହତ୍ ଏବଂ ଅଷ୍ଟ୍ରେଲିଆରେ ସର୍ବବୃହତ୍ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତୀୟ ଦଳ ୨୦୧୯ ମସିହାରେ ନର୍ଥସାଉଣ୍ଡ୍ଠାରେ ୱେଷ୍ଟଇଣ୍ଡିଜ୍କୁ ସର୍ବାଧିକ ୩୧୮ ଏବଂ ଶ୍ରୀଲଙ୍କାକୁ ଗଲ୍ଠାରେ ୨୦୧୭ରେ ଦ୍ବିତୀୟ ସର୍ବାଧିକ ୩୦୪ ରନ୍ରେ ହରାଇଥିଲା। ପ୍ରଥମରେ ୫ ଏବଂ ଦ୍ବିତୀୟରେ ୩ଜଣ କଙ୍ଗାରୁ ବ୍ୟାଟର୍ଙ୍କୁ ଶିକାର କରି ଭାରତକୁ ବିଜୟର ମିଠାମିଠା ସ୍ବାଦ ଚଖାଇଥିବା ଅଧିନାୟକ ବୁମ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତାଙ୍କ ନେତୃତ୍ବରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ୍ ବିଜୟ। ପ୍ରଥମ ପାଳିରେ ୧୫୦ କିମ୍ବା ତାଠାରୁ କମ୍ ରନ୍ କରି ପାଖାପାଖି ୩୦୦ ରନ୍ରେ ଅଷ୍ଟ୍ରେଲିଆକୁ ହରାଇବାରେ ଭାରତ ଦ୍ବିତୀୟ ଦଳ ହୋଇଛି। ଭାରତ ଛଡ଼ା କେବଳ ୱେଷ୍ଟଇଣ୍ଡିଜ୍ ହିଁ ୧୯୯୧ ମସିହାରେ ବ୍ରିଜ୍ଟାଉନ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆକୁ ଅଧିକ ରନ୍ (୩୪୩)ରେ ହରାଇଛି।
ପର୍ଥ ଟେଷ୍ଟ୍କୁ ୨୯୫ ରନ୍ରେ ଜିତିଲା ଭାରତ, ପେସ୍ ଯାଦୁଗର ଯଶପ୍ରୀତ୍ ବୁମ୍ରା ଶ୍ରେଷ୍ଠ ଖେଳାଳି
ପର୍ଥ ବିଜୟ ପୁଅ ପାଇଁ
ପର୍ଥ ବିଜୟକୁ ପେସ୍ ଯାଦୁଗର ଯଶପ୍ରୀତ୍ ବୁମ୍ରା ପୁଅ ଅଙ୍ଗଦକୁ ଉତ୍ସର୍ଗ କରିଛନ୍ତି। ଭାରତର ଐତିହାସିକ ବିଜୟ ପରେ ସେ କହିଛନ୍ତି, ଏହି ବିଜୟ ସ୍ବତନ୍ତ୍ର, ଅଧିନାୟକ ଭାବେ ମୋର ପ୍ରଥମ ବିଜୟ, ଏଣୁ ଅଧିକ ସ୍ମରଣୀୟ। ସେଥିପାଇଁ ବହୁତ ଖୁସି ଅଛି। ମୋ ପୁଅ ବି ଏଠାରେ ଅଛି। ଏଣୁ ପୁଅ ସହ ଏହି ମୁହୂର୍ତ୍ତକୁ ମୁଁ ସବୁବେଳେ ମନେ ରଖିବି। ସେ ଏବେ ବହୁତ ଛୋଟ। ହେଲେ ଯେତେବେଳେ ସେ ବଡ଼ ହେବ, ତାଙ୍କୁ କହିବାକୁ ମୋ ପାଖରେ ଅନେକଗୁଡ଼ିଏ କାହାଣୀ ଥିବ। ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ବେଳେ ମଧ୍ୟ ଅଙ୍ଗଦ ଆମ ସହ ଥିଲା। ଏଣୁ ମୁଁ ତାକୁ କହିବି ସେ ଯେତେବେଳେ ଦର୍ଶକ ଗ୍ୟାଲେରିରେ ବସିଥିଲା, ସେତେବେଳେ ଆମେ ଭାରତ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ବିଜୟ ହାସଲ କରିଥିଲୁ। ଅଧିନାୟକ ଭାବେ ପ୍ରଥମ ବିଜୟ ହାସଲ କରିଥିବାରୁ ବହୁତ ଗର୍ବ ବି ଲାଗୁଛି।
୫୩୪ ରନ୍ର ପାହାଡ଼ ଭଳି ବିଜୟ ଲକ୍ଷ୍ୟ ଦେବା ପରେ ରବିବାର ମାତ୍ର ୪.୨ ଓଭରରେ ୩ଜଣ ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ ଫେରାଇ ରେକର୍ଡ ଭରା ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲା ଭାରତ। ସୋମବାର ବେଶ୍ ପରାକ୍ରମୀ ଓ ପ୍ରଭାବଶାଳୀ ଢଙ୍ଗରେ ଅଷ୍ଟ୍ରେଲିଆର ଶେଷ ୭ ୱିକେଟ୍ ନେବାର ଔପଚାରିକତାକୁ ପୂରଣ କରିଥିଲା। ଟ୍ରାଭିସ୍ ହେଡ୍(୮୯), ମିଚେଲ ମାର୍ସ (୪୭) ଓ ଆଲେକ୍ସ କେରି (୩୬) କିଛିଟା ଲଢ଼ିଥିଲେ। ତେବେ ବୁମ୍ରା, ସିରାଜ ଓ ରାଣା ନିଜ ଅଗ୍ନିବର୍ଷୀ ବୋଲିଂରେ ଦର୍ଶକଙ୍କୁ ରୋମାଞ୍ଚିତ କରିବା ସହ ଘରୋଇ ଦଳର ୱିକେଟ୍ ଝାଡ଼ିବା ଧାରାକୁ ଭାଙ୍ଗିବାକୁ ଦେଇ ନଥିଲେ। ଶେଷରେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ମାତ୍ର ୨୩୮ ରନ୍ରେ ଭୁଶୁଡ଼ି ଯାଇଥିଲା। ରବିବାର ଚା’ପାନ ବିରତିର ମାତ୍ର ଗୋଟିଏ ମିନିଟ୍ ପରେ ହିଁ ଭାରତ ଐତିହାସିକ ବିଜୟରେ ମୁଣ୍ଡି ମାରିଥିଲା। ଭାରତର ଏଭଳି ଆଧିପତ୍ୟଭରା ଢଙ୍ଗ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା। ସେମାନେ ଠିଆ ହୋଇ ବୁମ୍ରା ବାହିନୀକୁ ଅଭିବାଦନ ଜଣାଇଥିଲେ।
ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ୦-୩ରେ ହାରିବାର ଲଜ୍ଜା ଓ ଅପଯଶ ମୁଣ୍ଡାଇ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ଭାରତ। ପ୍ରଥମ ଟେଷ୍ଟ୍ର ପ୍ରଥମ ଦୁଇ ଅଧିବେଶନରେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ସମାଲୋଚିତ ବି ହୋଇଥିଲା। ତେବେ ଯଶପ୍ରୀତ୍ ବୁମ୍ରାଙ୍କ ଶାଣିତ ବଲ୍ ଚାଳନାରେ କଙ୍ଗାରୁ ଦଳକୁ ମାତ୍ର ୧୦୪ ରନ୍ରେ ଅଲଆଉଟ୍ କରି ମ୍ୟାଚ୍କୁ ଫେରିଥିଲା। ଦ୍ବିତୀୟ ପାଳିରେ ଜୟସ୍ବାଲ ଓ କୋହଲିଙ୍କ ଶତକ ସହ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୪୮୭/୬ରେ ପାଳି ଘୋଷଣା କରିଥିଲା। ଭାରତର ଏଭଳି ପ୍ରଦର୍ଶନରେ ପୂରା ଦୋହଲି ଯାଇଥିବା ଅଷ୍ଟ୍ରେଲିଆ ଦେଢ଼ ଦିନ ପୁର୍ବରୁ ଦ୍ବିତୀୟ ପାଳିରେ ୨୩୮ ରନ୍ରେ ଅଲ୍ଆଉଟ୍ ହେବା ପରେ ଭାରତ ଏକତରଫା ବିଜୟରୁ ଚଳିତ ବର୍ଡର-ଗାଭାସ୍କର୍ ଅଭିଯାନ ଆରମ୍ଭ କରିଥିଲା। ବୁମ୍ରାଙ୍କ ନେତୃତ୍ବରେ ମହମ୍ମଦ ସିରାଜ ଓ ପଦାର୍ପଣକାରୀ ହର୍ଷିତ ରାଣା ପୂରା ମ୍ୟାଚ୍ରେ କଙ୍ଗାରୁ ବ୍ୟାଟର୍ଙ୍କ ମନରେ ଯେଭଳି ଭୟ ସୃଷ୍ଟି କରିଥିଲେ ତାହା ମଧ୍ୟ ଦେଖିଲା ଭଳି ଥିଲା। ବିଜୟ ପରେ ଭାରତୀୟ ପ୍ରଶଂସକଙ୍କ ବୁମ୍ରା ବୁମ୍ରା ରଡ଼ିରେ ମଧ୍ୟ ଅପଟସ୍ ଷ୍ଟାଡିୟମ୍ କମ୍ପି ଉଠିଥିଲା। ୫୦୦ ଦିନ ପରେ କୋହଲି ଶତକ ଅର୍ଜନ କରିବା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ସେହିଭଳି ଦୁଇ ପଦାର୍ପଣକାରୀ ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ନିଜ ପ୍ରଦର୍ଶନରେ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମାନ ରଖିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୫୦। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୦୪। ଭାରତ ଦ୍ବିତୀୟ ପାଳି: ୪୮୭/୬ (ଘୋଷଣା)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି (ଲକ୍ଷ୍ୟ ୫୩୪): ୫୮.୪ ଓଭରରେ: ୨୩୮ (ଟ୍ରାଭିସ୍ ହେଡ୍ ୮୯, ମିଚେଲ ମାର୍ସ ୪୭, ଆଲେକ୍ସ କ୍ୟାରି ୩୬, ଯଶପ୍ରୀତ୍ ବୁମରା-୪୨/୩, ମହମ୍ମଦ ସିରାଜ-୩/୫୧, ୱାସିଂଟନ୍ ସୁନ୍ଦର ୨/୪୮, ନୀତୀଶ କୁମାର ରେଡ୍ଡୀ ୧/୨୧, ହର୍ଷିତ ରାଣା ୧/୬୯)।