ଇରାନି ଟ୍ରଫିରେ ବିହାରୀଙ୍କ ଶତକ ଅବଶିଷ୍ଟ ଭାରତ ୩୩୦

ନାଗପୁର,: ନାଗପୁରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଇରାନି ଟ୍ରଫି ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ଅବଶିଷ୍ଟ ଭାରତ ତା’ ପ୍ରଥମ ପାଳିରେ ୩୩୦ ରନ୍ କରିଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଖେଳୁଥିବା ଅବଶିଷ୍ଟ ଭାରତ ତାରକା ହନୁମା ବିହାରୀ (୧୧୪) ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ (୯୫)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ହିଁ ୩୦୦ ରନ୍ ଟପି ପାରିଛି। ମୟଙ୍କଙ୍କ ଆକ୍ରମଣାତ୍ମକ ଓ ବିହାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସତ୍ତ୍ବେ ବିଦର୍ଭ ବୋଲର କିନ୍ତୁ ପ୍ରଥମ ଦିନର ଖେଳ ଶେଷ ବେଳକୁ ସଫଳ ପ୍ରତ୍ୟାବର୍ତନ କରିଛନ୍ତି। ରଣଜୀ ବିଜେତା ବିଦର୍ଭ ଅବଶିଷ୍ଟ ଭାରତର ଶେଷ ୬ ୱିକେଟ୍ ମାତ୍ର ୯୬ ରନ୍‌ରେ ଅକ୍ତିଆର କରି ନେଇଥିଲା। ସେପଟେ ଅବଶିଷ୍ଟ ଭାରତ ଏକଦା ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ବିଶାଳ ସ୍କୋର କରିବା ଲକ୍ଷ୍ୟକୁ ହାସଲ କରି ପାରି ନଥିଲା। ଅଙ୍କିତ ରାଜପୁତ ଦଶମ ତଥା ଶେଷ ଖେଳାଳି ଭାବେ ଆଉଟ୍ ହେବା ପରେ ୮୯.୪ ଓଭରରେ ଅମ୍ପାୟାର ଖେଳ ବନ୍ଦ ସଙ୍କେତ ଦେଇଥିଲେ।
ବିଦର୍ଭ କ୍ରିକେଟ୍ ସଂଘ ପଡ଼ିଆରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅବଶିଷ୍ଟ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମୟଙ୍କ ଓ ଅନମୋଲପ୍ରୀତ ସିଂହ (୧୫) ପ୍ରଥମ ୱିକେଟ୍‌ରେ ୪୬ ରନ୍ ଯୋଡ଼ିଥିଲେ। ଅନମୋଲ ନବମ ଓଭରରେ ପ୍ୟାଭିଲିୟନ ଫେରିବା ପରେ ବିହାରି ଓ ମୟଙ୍କ ଦ୍ବିତୀୟ ୱିକେଟ୍‌ରେ ୧୨୫ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ମୟଙ୍କଙ୍କୁ ଶତକ ପୂରଣର ପାଞ୍ଚ ରନ୍ ପୂର୍ବରୁ ଆଉଟ୍ କରି ୟସ୍ ଠାକୁର ଯୋଡ଼ି ଭାଙ୍ଗିବା ପରେ ଅବଶିଷ୍ଟ ଭାରତର ବିପର୍ଯ୍ୟୟ ଧାରା ଆରମ୍ଭ ହୋଇ ଯାଇଥିଲା। ଅଧିନାୟକ ରାହାଣେଙ୍କ ସମେତ ଏହି ଦଳର ଶେଷ ୭ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ହେଲେ ବି ୩୦ ରନ୍ ଛୁଇଁ ନଥିଲେ। ଅଷ୍ଟମ ୱିକେଟ୍‌ରେ ଦୀପକ ଚହର (୨୨) ଓ ଅଙ୍କିତ ରାଜପୁତ (୨୫) ୪୭ ରନ୍ ଯୋଡ଼ି ଦଳର ସ୍କୋରକୁ ୩୦୦ ରନ୍ ପାର କରାଇଥିଲେ। ବିଦର୍ଭ ପକ୍ଷରୁ ଆଦିତ୍ୟ ସରୱାତେ ଓ ଅକ୍ଷୟ ୱାଖରେ ତିନିଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ଅବଶିଷ୍ଟ ଭାରତ ୮୯.୪ ଓଭରରେ ୩୩୦ (ହନୁମା ବିହାରୀ ୧୧୪, ମୟଙ୍କ ଅଗ୍ରୱାଲ ୯୫, ଅଙ୍କିତ ରାଜପୁତ ୨୫, ଆଦିତ୍ୟ ସରୱାତେ ୩/୯୯, ଅକ୍ଷୟ ୱାଖରେ ୩/୬୨, ରଜନୀଶ ଗୁରବାଣୀ ୨/୫୮)।

ସମ୍ବନ୍ଧିତ ଖବର