ଡ୍ୟୁକ୍ସ ବଲ୍‌ ମୁକାବିଲାର ମନ୍ତ୍ର ଦେଲେ ବିହାରୀ

ସାଉଥାମ୍ପଟନ୍ : ଭାରତ କିଭଳି ଇଂଲଣ୍ଡ ଗସ୍ତରେ ସଫଳ ହେବ ସେ ନେଇ ମନ୍ତ୍ର ଦେଇଛନ୍ତି ଦଳର ଅନ୍ୟତମ ସଦସ୍ୟ ହନୁମା ବିହାରୀ। ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମାଙ୍କ ଭଳି ଅଭିଜ୍ଞ ତଥା ବରିଷ୍ଠ ଖେଳାଳି ଥିଲେ ମଧ୍ୟ ବିହାରୀଙ୍କ ଭଳି କନିଷ୍ଠ ସଦସ୍ୟ କାହିଁକି ଏଭଳି କଥା କହିଛନ୍ତି ତାହାର ଯୁକ୍ତିଯୁକ୍ତ କାରଣ ବି ରହିଛି। ଭାରତୀୟ ଦଳ ଗୁରୁବାର ଇଂଲଣ୍ଡରେ ପହଞ୍ଚିଥିଲେ ମଧ୍ୟ ବିହାରୀ ଗତ ଏପ୍ରିଲ୍ ମାସରୁ ସେଠାରେ ରହି କାଉଣ୍ଟି ଖେଳୁଛନ୍ତି। ଇଂଲଣ୍ଡ ପରିବେଶରେ ଭଲ ଖେଳିବାକୁ ହେ‌ଲେ ସେ କେତେ‌କ ପରାମର୍ଶ ଦେଇଛନ୍ତି। ଡ୍ୟୁକ୍ସ ବଲ୍‌ର ସୁଇଙ୍ଗକୁ ପ୍ରତିହତ କରିବାକୁ ହେଲେ ସାମାନ୍ୟ ବିଳମ୍ବରେ ଖେଳିବା ଏବଂ ଲାଇନ୍‌ ପାଖାପାଖି ଖେଳିବା ଶ୍ରେୟସ୍କର ବୋଲି କହିଛନ୍ତି ବିହାରୀ।

ନଟିଂହାମ୍‌ସାୟାର ବିପକ୍ଷ ୱାରୱିକସାୟାର ପଦାର୍ପଣରେ ବିହାରୀ ୨୩ ବଲ୍‌ରୁ ଶୂନରେ ଆଉଟ୍ ହୋଇଥିଲେ। ଇଂଲଣ୍ଡରେ ଖେଳିବା ଏତେ ସହଜ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି। ଖରା ପାଗ ଥିଲେ ବ୍ୟାଟିଂ ସହଜ ହୁଏ, ପୁଣି ମେଘୁଆ ପାଗ ଆସିଲେ ଦିନସାରା ବଲ୍ ସୁଇଙ୍ଗ କରିଥାଏ। ୩ କାଉଣ୍ଟି ପାଳିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ବିହାରୀ କହିଛନ୍ତି ବ୍ରଡଙ୍କ ଦ୍ବାରା ପଦାର୍ପଣ ଆଉଟ୍‌ ପରେ ସେ ଆଡ୍‌ଜଷ୍ଟ କରିବା ଶିଖିଛନ୍ତି। ଇଂଲଣ୍ଡ ପରିବେଶରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଏଭଳି କରିବାକୁ ପଡ଼ିବ। ବଲ୍‌ର ପାଖାପାଖି ଲାଇନ୍‌ରେ ଖେଳିବାକୁ ସେ ମଧ୍ୟ ମିଡିଲ୍‌ ଷ୍ଟମ୍ପ୍‌ ଗାର୍ଡ ନେବାକୁ କହିଛନ୍ତି। ଗତିଶୀଳ ବଲ୍‌କୁ ସାମାନ୍ୟ ବିଳମ୍ବରେ ଖେଳିବା ଲାଗି ନିଜ ଅଫଷ୍ଟମ୍ପ୍‌ ଲାଇନ୍‌କୁ ଜଗି ଖେଳିବାକୁ ହେବ ବୋଲି ଏହି ୨୭ ବର୍ଷୀୟ ହାଇଦ୍ରାବାଦୀ କ୍ରିକେଟର୍‌ କହିଛନ୍ତି।

ସମ୍ବନ୍ଧିତ ଖବର