କୋଭିଡ୍‌ ରୋଗୀଙ୍କ ସେବାରେ ବିହାରୀ

ହାଇଦ୍ରାବାଦ : ଅନେକ କଷ୍ଟ ସହି ଏକ ଟେଷ୍ଟ୍ ମ୍ୟାଚ୍‌ ବଞ୍ଚାଇବାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ମଣିଷ ଜୀବନ ବଞ୍ଚାଇବା। ଟେଷ୍ଟ୍ ତାରକା ହନୁମା ବିହାରୀଙ୍କ ପାଇଁ ଏବେ ଏଭଳି ଭୂମିକା ବି ତୁଲାଇବାକୁ ପଡୁଛି। କୋଭିଡ୍ ମହାମାରୀ ସମୟରେ ବିହାରୀ ଏବେ ରୋଗୀଙ୍କ ପାଇଁ ହସପିଟାଲ୍ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଇବା କାମ ବି କରୁଛନ୍ତି। ନିଜ ବଂଧୁ ଓ ଅନୁଗାମୀମାନଙ୍କର ଏକ ନେଟ୍‌ୱାର୍କ ଗଢ଼ି ବିହାରୀ ଦେଶର ଏହି ଗଭୀର ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି। ଅନେକ ଭାରତୀୟ କ୍ରିକେଟର୍‌ ଆର୍ଥିକ ସହାୟତା ଓ ଅନ୍ୟ ଡାକ୍ତରୀ ସହାୟତା କରୁଥିବା ବେଳେ ଏବେ କାଉଣ୍ଟି ଖେଳିବାକୁ ବ୍ରିଟେ‌ନରେ ଥିବା ବିହାରୀ ଏକ ୧୦୦ ଜଣିଆ ଦଳ ଗଠନ କରିଛନ୍ତି। ଏମାନଙ୍କ ମଧ୍ୟରେ ତାଙ୍କ ବନ୍ଧୁ ଏବଂ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର କିଛି ପ୍ରଶଂସକ ସାମିଲ ରହିଛନ୍ତି। ମୁଁ ଗର୍ବର ସହ କହୁନାହିଁ। ତୃଣମୂଳ ସ୍ତରରେ ଥିବା ଲୋକମାନଙ୍କୁ ସହାୟତା କରିବା ଲକ୍ଷ୍ୟରେ କାମ କରୁଛି। ଏଭଳି କଷ୍ଟକର ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ଦାୟିତ୍ବ ଭାବେ ଦେଖିଛି। ଏହା ଆରମ୍ଭ ମାତ୍ର ବୋଲି ୨୭ ବ‌ର୍ଷୀୟ ଏହି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍‌ ପ୍ରକାଶ କରିଛନ୍ତି।

ଏପ୍ରିଲ୍‌ ପ୍ରାରମ୍ଭରୁ ବିହାରୀ ଇଂଲଣ୍ଡ ଗସ୍ତ କରିଥିବା ବେଳେ ସେଠାରେ ୱାରୱିକସାୟାର୍ ପାଇଁ କାଉଣ୍ଟି ଖେଳୁଛନ୍ତି। ଆଇସିସି ଟେଷ୍ଟ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଇଂଲଣ୍ଡ ପହଞ୍ଚିବା ପରେ ବିହାରୀ ଦଳ ସହ ସାମିଲ ହୋଇଯିବେ। ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ବିହାରୀଙ୍କର ୧,୧୦,୦୦୦ ଅନୁଗାମୀ ରହିଛନ୍ତି। ଏମାନଙ୍କ ଜରିଆରେ ହିଁ ସେ ୧୦୦ ଜଣ ମନୋନୀତଙ୍କୁ ନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଢ଼ି କୋଭିଡ୍‌ ରୋଗୀଙ୍କୁ ହସପିଟାଲ୍‌ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର୍‌, ‌ଔଷଧ ଯୋଗାଇବାର କାମ ତୁଲାଉଛନ୍ତି। ଭବିଷ୍ୟତରେ ବି ଏହି କାମ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି। ବିହାରୀଙ୍କ ଏହି ଦଳକୁ ତାଙ୍କ ପରିବାର ଓ ଆନ୍ଧ୍ରପ୍ରଦେଶ ଦଳୀୟ ସାଥୀ ପୃଥ୍ବୀରାଜ ୟାରା ମଧ୍ୟ ସହଯୋଗ କରୁଛନ୍ତି। ବି‌ହାରୀଙ୍କ ପତ୍ନୀ ଓ ଭଉଣୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଭାରତ ପାଇଁ ଅଦ୍ୟାବଧି ୧୧ ଟେଷ୍ଟରୁ ୬୨୪ ରନ୍‌ ସଂଗ୍ରହ କରିଥିବା ବିହାରୀ କହିଛନ୍ତି ମୁଁ କ୍ରିକେଟ୍‌ ଖେଳୁଥିବା ବେଳେ ଓପନିଂ କରୁଥିବାରୁ ଆହ୍ବାନକୁ ଭଲ ଭା‌ବେ ମୁକାବିଲା କରିବା ଜାଣିଛି ଏବଂ ଅଭ୍ୟସ୍ତ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ପାଳି ଆରମ୍ଭ କରିବା ସମ୍ଭାବନାକୁ ମଧ୍ୟ ସେ ସକାରାତ୍ମକ ଭାବେ ନେଇଛନ୍ତି। କାରଣ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ସେ ମଧ୍ୟ ପାଳି ଆରମ୍ଭ କରିଥିଲେ। ବର୍ମିଂହାମରେ ରହି ବିହାରୀ ଏବେ ନିଜ କାଉଣ୍ଟି ଖେଳିବା ସହ ଭାରତରେ କୋଭିଡ୍‌ ରୋଗୀଙ୍କ ପରୋକ୍ଷ ସେବାରେ ବି ସମୟ କାଟୁଛନ୍ତି।

ସମ୍ବନ୍ଧିତ ଖବର