ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ବିହାରୀ ବାଦ୍‌

୧୬ ଜଣିଆ ଭାରତୀୟ ଦଳରେ ପ୍ରସିଦ୍ଧ, ଆୟର୍‌, ଭରତ

ମୁମ୍ବାଇ : ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଶୁକ୍ରବାର ୧୬ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଦ୍ବିତୀୟ ଟେଷ୍ଟ୍‌ ଲାଗି ବିରାଟ କୋହଲି ସାମିଲ ହେବା ପରେ ଏହା ୧୭ ଜଣିଆ ହୋଇଯିବ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ନଭେମ୍ବର ୨୫ରୁ କାନପୁରରୁ ଆରମ୍ଭ ହେବ। ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ୍‌ ଡିସେମ୍ବର ୩ରୁ ଖେଳାଯିବ। ଏହା ପୂର୍ବରୁ ଅବଶ୍ୟ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଏହା ନଭେମ୍ବର ୧୭, ୧୯, ୨୧ ତାରିଖରେ ଖେଳାଯିବ। ଶୁକ୍ରବାର ଘୋଷିତ ଟେଷ୍ଟ୍‌ ଦଳରୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀ ବାଦ୍‌ ପଡ଼ିଛନ୍ତି। ନବାଗତଙ୍କ ମଧ୍ୟରେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ, ୱିକେଟରକ୍ଷକ କେଏସ୍ ଭରତଙ୍କୁ ସୁଯୋଗ ମିଳିଛି। ଶ୍ରେୟସ ଆୟର ଏବଂ ଜୟନ୍ତ ଯାଦବ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ପୂର୍ବରୁ ସମ୍ପୂର୍ଣ୍ଣ ଟେଷ୍ଟ୍‌ ଶୃଙ୍ଖଳାରୁ ଟ୍ବେଣ୍ଟି-୨୦ ଅଧିନାୟକ ରୋହିତ ଶର୍ମା ଓହରିଯିବାରୁ କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ବ ନେବେ ବୋଲି ସ୍ପଷ୍ଟ କରାଯାଇଥିଲା। ଟ୍ବେଣ୍ଟି-୨୦ ସହିତ ପ୍ରଥମ ଟେଷ୍ଟ୍‌ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। କୋହଲି କିନ୍ତୁ ଦ୍ବିତୀୟ ଟେଷ୍ଟ୍‌ରେ ଦଳର ନେତୃତ୍ବ ନେବେ। ଶୁକ୍ରବାର ଚୟନକର୍ତମା‌ନେ ମଧ୍ୟ ସମସ୍ତ ଫର୍ମାଟର କିଛି ବରିଷ୍ଠ ଖେଳାଳି ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଋଷଭ ପନ୍ତ୍‌ ଏବଂ ଶାର୍ଦୁଳ ଠାକୁର ପ୍ରମୁଖଙ୍କୁ ବିଶ୍ରାମ ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭାରତୀୟ ଦଳରେ ୩ ଜଣ ପ୍ରାରମ୍ଭିକ ବ୍ୟାଟର୍‌ଙ୍କୁ ନିଆଯାଇଛି। କେଏଲ୍ ରାହୁଲଙ୍କ ସହିତ ଶୁଭମନ ଗିଲ୍ ଏବଂ ମୟଙ୍କ ଅଗ୍ରୱାଲଙ୍କ ନାମ ରହିଛି। ଚେତେଶ୍ବର ପୂଜାରାଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ୩୭ ବର୍ଷୀୟ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କ ସହିତ ନବାଗତ କେଏସ୍ ଭରତ ମଧ୍ୟ ସାମିଲ ଅଛନ୍ତି। ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ଘରୋଇ‌ ଟେଷ୍ଟ୍‌ ଶୃଙ୍ଖଳାରେ ଚମତ୍କାର ଖେଳିଥିବା ଅକ୍ଷର ପଟେଲଙ୍କ ସହ ଦୁଇ ଅଭିଜ୍ଞ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ସ୍ପିନ୍‌ ବିଭାଗରେ ରହିଛନ୍ତି। ବୁମରା, ସାମିଙ୍କ ଅନୁପସ୍ଥିତିରେ ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ପେସ୍‌ ବିଭାଗ ସମ୍ଭାଳିବେ।
ବିହାରୀଙ୍କୁ ବାଦ୍ ଦିଆଯିବା ସମ୍ପର୍କରେ ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଥିଲେ ‘ହନୁମା ବିହାରୀଙ୍କୁ ‘ଏ’ ଶୃଙ୍ଖଳା ଲାଗି ଦକ୍ଷିଣ ଆଫ୍ରିକା ପଠାଯାଉଛି, ତାଙ୍କ ପ୍ରଦର୍ଶନ ପରଖାଯିବା ପରେ ପୁଣି ଜାତୀୟ ଦଳ କଥା ବିଚାର କରାଯିବ’। ସୂଚନାଯୋଗ୍ୟ, ବିହାରୀଙ୍କ ଶେଷ ୬ ପ୍ରଥମ ଶ୍ରେଣୀ ପାଳି ୩୨, ୫୨, ୮, ୦, ୨୪, ୪୩* ରହିଛି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ୪ ପାଳିରେ ଯଥାକ୍ରମେ ୨୬, ୭, ୫୭, ୪ ରନ୍‌ କରିଥିଲେ। ଏହା ତାଙ୍କୁ ଜାତୀୟ ଦଳରେ ସ୍ଥାନ ବଜାୟ ରଖିବାରେ ବାଟ ବନ୍ଦ କରିଛି। ତା’ ଛଡ଼ା ମଧ୍ୟକ୍ରମରେ ପୂଜାରା ଓ ରାହାଣେଙ୍କ ଭଳି ବିହାରୀ ମନ୍ଥର ଖେଳୁଥିବାରୁ ପୁରୁଣା ବଲ୍‌ରେ ଆକ୍ରମଣାତ୍ମକ ଖେଳି ପାରୁଥିବା ଆୟରଙ୍କୁ ନିଆଯାଇଛି ବୋଲି ସେ ସଫେଇ ଦେଇଥିଲେ।

ଭାରତୀୟ ଟେଷ୍ଟ୍‌ ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), କେଏଲ୍ ରାହୁଲ୍‌, ମୟଙ୍କ ଅଗ୍ରୱାଲ୍, ଚେତେଶ୍ବର ପୂଜାରା (ଉପ ଅଧିନାୟକ), ଶୁଭମନ ଗିଲ୍‌, ‌ଶ୍ରେୟସ ଆୟର୍, ଋଦ୍ଧିମାନ ସାହା (ୱି‌କେଟରକ୍ଷକ), କେଏସ୍ ଭରତ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ଆର୍‌ ଅଶ୍ବିନ, ଅକ୍ଷର ପଟେଲ୍‌, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ। (ଦ୍ବିତୀୟ ଟେ‌ଷ୍ଟ୍ ଲାଗି ବିରାଟ କୋହଲି ସାମିଲ ହେବେ)।

ସମ୍ବନ୍ଧିତ ଖବର