ବିହାରୀ, ପନ୍ତ୍‌ଙ୍କ ପିଙ୍କ୍‌ ବଲ୍ ଶତକ, ଭାରତ ୪୭୨ ରନ୍‌ରେ ଆଗୁଆ

ନଟରାଜନ୍‌, ସାର୍ଦୁଲ ଓ ୱାସିଂଟନ୍‌ ଅଷ୍ଟ୍ରେଲିଆରେ ରହିଲେ

ସିଡ୍‌ନି: ହନୁମା ବିହାରୀ ଓ ଋଷବ ପନ୍ତଙ୍କ ଭିନ୍ନ ଭିନ୍ନ ଷ୍ଟାଇଲ୍‌ର ଶତକ କାରଣରୁ ପିଙ୍କ୍‌ ବଲ୍ ଅଭ୍ୟାସ ମ୍ୟାଚ୍‌ରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ବିହାରୀ ‌ଟେଷ୍ଟ୍ ଷ୍ଟାଇଲ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିବା ବେଳେ ପନ୍ତ୍‌ ଟି-୨୦ ଢଙ୍ଗରେ ତିନି ଅଙ୍କ ଛୁଇଁ ଅପରାଜିତ ଅଛନ୍ତି। ଉଭୟ ଅତୁଟ ପଞ୍ଚମ ୱିକେଟ୍‌ ପାଇଁ ୧୮୭* ରନ୍‌ ଯୋଡ଼ି ନେଇଛନ୍ତି। ଅଷ୍ଟ୍ରେଲିଆା ‘ଏ’ ବିପକ୍ଷ ଏହି ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ମୋଟ ଉପରେ ୪୭୨ ରନ୍ ଆଗୁଆ ହୋଇସାରିଥିଲେ ମଧ୍ୟ ପାଳି ଘୋଷଣା କରିନାହିଁ। ପ୍ରଥମ ‌ଟେଷ୍ଟ୍ ପୂର୍ବରୁ ରାତିରେ ଗୋଲାପି ବଲ୍‌ ଅଭ୍ୟାସ କରିବାର ଅଧିକ ସୁଯୋଗ ନେବାକୁ ଭାରତ ପାଳି ଘୋ‌ଷଣା ନକରି ଲମ୍ବା ସମୟ ବ୍ୟାଟିଂ କରିବାକୁ ପସନ୍ଦ କରିଛନ୍ତି।

ଶୁକ୍ରବାର ପ୍ରଥମ ଦିବସରେ ଭାରତ ପ୍ରଥମ ପାଳିରେ ୧୯୪ ରନ୍ କରିଥିବା ବେଳେ ଭ୍ରମଣକାରୀ ଦଳର ବୋଲରମାନେ ଘରୋଇ ଦଳ ବ୍ୟାଟ୍ସମ୍ୟାନ୍‌ଙ୍କୁ ୧୦୮ରେ ସୀମିତ ରଖିଦେଇଥିଲେ। ଶନିବାର ସକାଳେ କିନ୍ତୁ ଭାରତ ନିଜ ଦ୍ବିତୀୟ ପାଳିରେ ସଙ୍କଳ୍ପବଦ୍ଧ ବ୍ୟାଟିଂ କରିଥିଲା। ଅବଶ୍ୟ ପ୍ରଥମ ପାଳିରେ ଭଲ ଖେଳିଥିବା ପୃଥ୍ବୀ ସ’ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ କିନ୍ତୁ ମୟଙ୍କ ଅଗ୍ରୱାଲ୍‌ ଏବଂ ଶୁବମନ ଗିଲ୍‌ ୧୦୪ ରନ୍ ଭାଗୀଦାରି କରି ସ୍ଥିତି ସମ୍ଭାଳି ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ସଂଜମତାର ସହ ଖେଳିଥିବା ବେଳେ ୩ ନମ୍ବରରେ ଆସିଥିବା ଶୁବମନ୍‌ ବଲ୍‌ ପିଛା ରନ୍ ସଂଗ୍ରହ କରି ଆକର୍ଷଣୀୟ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଅଜିଙ୍କ୍ୟ ରାହାଣେ ୭୧ ବଲ୍‌ରୁ ୩୮ ରନ୍ କରି ରାତ୍ରୀଭୋଜନ ପରେ ଆଉଟ୍ ହୋଇଥିଲେ। କିନ୍ତୁ ରାତି ଅଧିବେସନରେ ହନୁମା ବିହାରୀ ଓ ଋଷବ ପନ୍ତ ପ୍ରାଧାନ୍ୟ ବିସ୍ତାର କରି ମନ ଇଚ୍ଛା ସଟ୍‌ ଖେଳିଥିଲେ। ଗୋଲାପି ବଲ୍‌ରେ ରାତିରେ ଖେଳିବା ବୋଲିଂ ଅନୁକୂଳ ହେଉଥିଲେ ମଧ୍ୟ ଏହି ଦୁଇ ଭାରତୀୟ ଖେଳାଳି ଶତକ ହାସଲ କରିବା ଭ୍ରମଣକାରୀ ଦଳ ଶିବିରରେ ଆତ୍ମବିଶ୍ବାସ ବଢ଼ାଇଛି। ବିହାରୀ ୧୯୪ ବଲ୍‌ରୁ ୧୩ ଚୌକା ସହ ୧୦୪* ରନ୍‌ ଏବଂ ପନ୍ତ୍‌ ମାତ୍ର ୭୩ ବଲ୍‌ରୁ ୯ ଚୌକା, ୫ ଛକା ସହିତ ୧୦୩* ରନ୍ କରି ଖେଳୁଛନ୍ତି। ଶେଷ ଓଭର ଆରମ୍ଭ ବେଳକୁ ପନ୍ତ୍‌ ୮୧ ରନ୍‌ରେ ଥିଲେ। କିନ୍ତୁ ଶେଷ ୫ ବଲ୍‌ରୁ ୪,୪,୬,୪,୪ ଆଦାୟ କରି ଷ୍ଟାଇଲରେ ଶତକ ପୂରଣ କରିଥିଲେ। ଭାରତ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୪ ୱିକେଟ୍‌ ବିନିମୟରେ ୩୮୬ ରନ୍ ସଂଗ୍ରହ କରିଛି।

ସଂକ୍ଷିପ୍ତ‌ ସ୍କୋର: ଭାରତ ପ୍ରଥମ ପାଳି: ୧୯୪ (ଯଶପ୍ରୀତ୍ ବୁମରା-୫୫*, ୱିଲ୍ଡରମଥ୍‌-୩/୧୩, ସିନ୍‌ ଆବୋଟ୍-୩/୪୬)। ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ପାଳି: ୧୦୮ (ଆଲେକ୍ସ କ୍ୟାରି-୩୨, ନଭଦୀପ ସୈନି-୩/୧୯, ମହମ୍ମଦ ସାମି-୩/୨୯, ଯଶପ୍ରୀତ୍ ବୁମରା-୨/୩୩)। ଭାରତ ଦ୍ବିତୀୟ ପାଳି: ୯୦ ଓଭରରେ ୩୮୬/୪ (ଶୁବମନ ଗିଲ୍‌-୬୫, ମୟଙ୍କ ଅଗ୍ରୱାଲ୍‌-୬୧, ହନୁମା ବିହାରୀ-୧୦୪*, ଋଷବ ପନ୍ତ୍‌-୧୦୩*, ମାର୍କ ଷ୍ଟିକେଲି-୨/୫୪, ଜ୍ୟାକ୍‌ ୱିଲ୍ଡରମଥ୍‌-୧/୭୯, ମିଚେଲ୍ ସ୍ବିପସନ୍-୧/୧୪୮)।

ନଟରାଜନ୍‌, ସାର୍ଦୁଲ ଓ ୱାସିଂଟନ୍‌ ଅଷ୍ଟ୍ରେଲିଆରେ ରହିଲେ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର (ଦିନିକିଆ ଏବଂ ଟି-୨୦) ଶୃଙ୍ଖଳା ଶେଷ ହୋଇଯାଇଥିଲା ବେଳେ ଭାରତୀୟ ଖେଳାଳିମାନେ ପ୍ରାୟତଃ ଶୁକ୍ରବାର ସ୍ବଦେଶ ଫେରି ଆସିଛନ୍ତି। ହେଲେ ଦୁଇ ଦ୍ରୁତ ବୋଲର ଟି ନଟରାଜନ୍‌ ଓ ସାର୍ଦୁଲ ଠାକୁରଙ୍କ ସହିତ ଅଫ୍‌ ସ୍ପିନର ୱାସିଂଟନ୍‌ ସୁନ୍ଦର ଅଷ୍ଟ୍ରେଲିଆରେ ରହିଲେ। ସେମାନେ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ରହିବାର ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୭ ତାରିଖରୁ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ଟି-୨୦ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ନଟରାଜନ୍‌ ଜଣେ ନେଟ୍‌ ବୋଲର ଭାବେ ସେଠାରେ ରହିଯିବାର ଥିଲା। କିନ୍ତୁ ଈଶାନ୍ତ ଶର୍ମା ଆହତ ଯୋଗୁଁ ବାଦ୍‌ ପଡ଼ିଥିବାରୁ ସାର୍ଦୁଲଙ୍କୁ ମଧ୍ୟ ଅଷ୍ଟ୍ରେଲିଆରେ ରହିଯିବାକୁ କୁହାଯାଇଥିଲା। ସେହିପରି ସୁନ୍ଦର ମଧ୍ୟ ଜଣେ ଦକ୍ଷ ନେଟ୍‌ ବୋଲର ଭାବେ ପ୍ରମାଣିତ କରିସାରିଥିବାରୁ ତାଙ୍କୁ ଏବେ ସ୍ବଦେଶ ନଫେରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର