ବିଜୟ ମର୍ଚାଣ୍ଟ୍‌ ଟ୍ରଫିରେ କୀର୍ତିମାନ:ବିହାରର ପାଳି ଏବଂ ୮୭୦ ରନ୍‌ର ବିଜୟ

ଚେନ୍ନାଇ: ଚଳିତ ବଜୟ ମର୍ଚାଣ୍ଟ୍‌ (୧୬ ବର୍ଷରୁ କମ୍‌) ଟ୍ରଫିରେ ନୂଆ କୀର୍ତିମାନ ଦେଖିବାକୁ ମିଳିଛି। ପାଟ୍‌ନାସ୍ଥିିତ ରାଜବଂଶୀନଗରର ଏନର୍ଜି ଷ୍ଟାଡିୟମରେ ଖେଳାଯାଇଥିବା ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଘରୋଇ ବିହାର ଦଳ ପାଳି ଏବଂ ୮୭୦ ରନ୍‌ର ବିଜୟ ହାସଲ କରିଛି। ଯାହାକି କୌଣସି ଶ୍ରେଣୀୟ କ୍ରିକେଟ୍‌ରେ ସବୁଠୁ ବଡ଼ ବିଜୟ। ଅରୁଣାଚଳ ପ୍ରଦେଶ ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇ ୮୩ ରନ୍‌ କରିଥିଲା। ବିହାର ପକ୍ଷରୁ ରେଶୁ ରାଜ ୧୦-୭-୧୪-୭ ସଫଳତା ପାଇଥିଲେ। ଜବାବରେ ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ବିନ୍ନି (୩୫୮ ରନ୍‌, ୩୮୦ ବଲ୍‌, ୩୬ ଚୌକା)ଙ୍କ ତ୍ରିଶତକ, ପ୍ରକାଶ (୨୨୦ ରନ୍‌, ୨୨୨ ବଲ୍‌, ୨୩ ଚୌକା, ୧ ଛକା)ଙ୍କ ଦ୍ୱିଶତକ ଏବଂ ଅଧିନାୟକ ଅର୍ନବ କିଶୋର (୧୬୧ ରନ୍‌, ୧୨୯ ବଲ୍‌, ୨୮ ଚୌକା, ୨ ଛକା)ଙ୍କ ଶତକ ସହାୟତାରେ ବିହାର ୧୦୦୭/୭ ପାଳି ଘୋଷଣା କରିଥିଲା। ଏହି ପାଳିରେ ପ୍ରକାଶ ଓ ବିନ୍ନିଙ୍କ ବିଶାଳ (୪୦୧) ଭାଗୀଦାରି ସହ ତିନିଟି ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା। ରାଜେଶ (୫୨) ଏବଂ ଅର୍ନବ ପ୍ରଥମ ଓ୍ଵିକେଟ୍‌ରେ ୧୮୨ ରନ୍‌ ସଂଗ୍ରହ କରି ମୂଳଦୁଆ ପକାଇଥିଲା ବେଳେ ଚତୁର୍ଥ ଓ୍ଵିକେଟ୍‌ରେ ୧୦୯, ପଞ୍ଚମ ଓ୍ଵିକେଟ୍‌ରେ ୧୩୧ ରନ୍‌ ସଂଗ୍ରହ ହୋଇଥିଲା। ଅରୁଣାଚଳ ପ୍ରଦେଶ ପକ୍ଷରୁ ଏ ଶର୍ମା ସର୍ବାଧିକ ୪ ଓ୍ଵିକେଟ୍‌ ନେଇଥିଲେ। ୯୨୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିିଆକୁ ଓହ୍ଲାଇଥିବା ଅରୁଣାଚଳ ପ୍ରଦେଶ ଦ୍ୱିତୀୟ ପାଳିରେ ମାତ୍ର ୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଲାତିୟର ଦାମିନ ସର୍ବାଧିକ ୩୧ ରନ୍‌ କରିଥିଲେ। ପ୍ରଥମ ପାଳିରେ ୭ ଓ୍ଵିକେଟ୍‌ ନେଇଥିବା ରେଶୁ ଦ୍ୱିତୀୟ ପାଳିରେ ୬, ସୂରଜ ୩ ଏବଂ ଆଦର୍ଶ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। ପ୍ରଥମ ପାଳିରେ ଅରୁଣାଚଳ ପ୍ରଦେଶ ୩୧ ଓଭର ଖେଳିବାକୁ ସକ୍ଷମ ହୋଇଥିଲା ବେଳେ ଦ୍ୱିତୀୟ ପାଳିରେ ୩୩.୫ ଓଭର ଖେଳିଥିଲା।
ଗୋଟିଏ ପାଳିରେ ସର୍ବାଧିକ ୧୦୦୭ ରନ୍‌

ସମ୍ବନ୍ଧିତ ଖବର