ଆମେରିକା ପଦାର୍ପଣ ପାଇଁ ବିଜେନ୍ଦରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତୀୟ ତାରକା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଚଳିତ ବର୍ଷ କୌଣସି ବି ଲଢ଼େଇରେ ଅବତୀର୍ଣ୍ଣ ହୋଇନାହାନ୍ତି। ନିଜର ପେସାଦାର ଜୀବନରେ ଶେଷଥର ପାଇଁ ସେ ୨୦୧୭ ଡିସେମ୍ବରରେ ହିଁ ଲଢ଼ିଥିଲେ। ସେଥିରେ ସେ ଜର୍ମାନିର ଘାନାଇଆନ୍‌ ଅର୍ନେଷ୍ଟ ଅମାଜୁଙ୍କୁ ଜୟପୁରରେ ପରାସ୍ତ କରିଥିଲେ। ବିଜେନ୍ଦର ମଧ୍ୟ ପେସାଦାର ଲଢ଼େଇକୁ ବଦଳିବା ପରେ ନିଜ ସପକ୍ଷରେ ୧୦-୦ର ଅପରାଜେୟ ସଫଳତା ପାଇଛନ୍ତି। ସେ ଗତ ୧୦ ଲଢ଼େଇ ଇଂଲଣ୍ଡ୍‌ ଓ ଭାରତରେ ହିଁ ଲଢ଼ିଛନ୍ତି। ତେବେ ଚଳିତ ବର୍ଷ ଆଦୌ ଲଢ଼ିନଥିବା ବିଜେନ୍ଦର ଆସନ୍ତାବର୍ଷ ଆମେରିକାରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ମୁଁ ଆମେରିକାରେ ପଦାର୍ପଣ କରିବା ପାଇଁ ବ୍ୟଗ୍ର ରହିଛି। ଆମେରିକାରେ ବିଜୟୀ ହୋଇ ବିଶ୍ବ ଦରବାରରେ ନାମ କମାଇବା ସାଙ୍ଗକୁ ବିଶ୍ବ ମୁଷ୍ଟିଯୁଦ୍ଧ ମାନଚିତ୍ରରେ ଭାରତୀୟ ଜାତୀୟ ପତାକା ଉଡ଼ାଇବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ବିଜେନ୍ଦ୍ର। ଟପ୍‌ ରୢାଙ୍କ୍‌ କଂପାନି ସହ ଚୁକ୍ତିବଦ୍ଧ ହୋଇଥିବା ବିଜେନ୍ଦର ଆମେରିକାରେ ବି ସଫଳ ହେବେ ବୋଲି ଏହି କଂପାନିର ମୁଖ୍ୟ ବବ୍‌ ଅରୁମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର