ନୂଆଦିଲ୍ଲୀ: ଦେଶର ପ୍ରଥମ ଅଲିମ୍ପିକ୍ସ ପଦକ ବିଜେତା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଚଳିତ ବର୍ଷର ଦ୍ବିତୀୟାର୍ଧରେ ତାଙ୍କ ପେସାଦାର ଖେଳ ଜୀବନର ପ୍ରତ୍ୟାବର୍ତନ ନେଇ ଆଶାବାଦୀ ରହିଛନ୍ତି। ମେ’ ମାସରେ ନିଜର ପରବର୍ତୀ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବିଜେନ୍ଦରଙ୍କୁ କୋଭିଡ୍-୧୯ ରୋକି ଦେଇଛି। ଅଦ୍ୟାବଧି ପେସାଦାର ସର୍କିଟରେ ୧୨ ବାଉଟ୍ରେ ଅପରାଜିତ ଥିବା ବିଜେନ୍ଦର ଆମେରିକାର ପ୍ରମୁଖ ବ୍ୟକ୍ତି ତଥା ହଲ୍ ଅଫ୍ ଫେମର୍ ବବ୍ ଅରୁମଙ୍କ ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇଛନ୍ତି। ମୁଁ ମେ’ ମାସରେ ଲଢ଼ିବାର ଥିଲା, କିନ୍ତୁ କୋଭିଡ୍-୧୯ କାରଣରୁ ଏହା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିରେ ଉନ୍ନତି ଆସିଲେ ବର୍ଷର ଶେଷ ଆଡକୁ ଏହା ଅନୁଷ୍ଠିତ ହୋଇପାରେ ବୋଲି କହିଥିଲେ ୩୪ ବର୍ଷୀୟ ଏହି ମୁଷ୍ଟିଯୋଦ୍ଧା। ସ୍ବାଭାବିକ ଭାବେ ମୁଁ ଏବେ ବର୍ତ୍ତମାନର ପରିସ୍ଥିତି ସହ କିଛି କରିବାର ସ୍ଥିତିରେ ନାହିଁ। ଅପେକ୍ଷା ଛଡ଼ା କିଛି ଉପାୟ ହିଁ ନାହିଁ। ଦିଲ୍ଲୀରେ ନିଜ ଘରେ ତାଲିମ ଜାରି ରଖିଛି। ମୋତେ ଅବଶ୍ୟ ବାହାରକୁ ଯିବାର କିଛି ଆବଶ୍ୟକତା ପଡୁନାହିଁ। ଇଂଲଣ୍ଡରେ ପହଞ୍ଚିଲେ ହିଁ ପ୍ରଶିକ୍ଷକ ଲି ବର୍ଡଙ୍କ ସହ ରହି ଯୋଜନା କରାଯିବ ବୋଲି କହିଥିଲେ ବିଜେନ୍ଦର। କଂଗ୍ରେସ ଟିକେଟ୍ରେ ଗତ ଲୋକସଭା ନିର୍ବାଚନ ଲଢ଼ିଥିବା ବିଜେନ୍ଦର ସାମ୍ପ୍ରତିକ କରୋନା ସଙ୍କଟ ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରାଯିବା ଉଚିତ୍ ବୋଲି ମତ ଦେଇଛନ୍ତି। ଏହା ଡାକ୍ତରଙ୍କ ବିଶ୍ବାସ ବୋଲି ସେ କହିଛନ୍ତି। ପରିସ୍ଥିତି ଅଧିକ ଖରାପ ନ ହେଉ ବୋଲି ଆମେ ଆଶା କରିବା। କିନ୍ତୁ ଅଧିକ ଉନ୍ନତ ବ୍ୟବସ୍ଥା ନେଇ ଦାବି କରିବା ଏକ ଦାୟିତ୍ବ। ଏହାକୁ ଯେତେ ସମାଲୋଚନା କରାଗଲେ ବି ବନ୍ଦ କରାଯିବା ଉଚିତ୍ ନୁହେଁ ବୋଲି ବିଜେନ୍ଦର କହିଥିଲେ। ଗଣଭୋଜନ ପ୍ରଦାନ ପରିବର୍ତେ ଲୋକଙ୍କ ନିକଟରେ ରାସନ୍ ପହଞ୍ଚାଇ ଦେଲେ ଭଲ ହୁଅନ୍ତା ବୋଲି ବିଜେନ୍ଦର ପରାମର୍ଶ ଦେଇଥିଲେ।
ବର୍ଷର ଦ୍ବିତୀୟାର୍ଧରେ ପେସାଦାର ଜୀବନ ଆରମ୍ଭ ଆଶାରେ ବିଜେନ୍ଦର
/sambad/media/post_attachments/wp-content/uploads/2020/04/f54hfsd87hsf98hsfhsfhsfhfshfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)