ବାମହାତୀ ହୋଇଥିବାରୁ ପନ୍ତ ଅଧିକ ସୁଯୋଗ ପାଉଛନ୍ତି: ସାମ୍‌ସନ୍‌‌ଙ୍କ ପ୍ରଶିକ୍ଷକ

ସଞ୍ଜୁ ସାମସନଙ୍କ ସହ ବିଜୁ ଜର୍ଜ

କୋଚି: କେରଳର ପ୍ରତିଭାବାନ ତାରକା ସଞ୍ଜୁ ସାମସନଙ୍କୁ ଏକଦା ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିଲା। ତେବେ ଗତ କିଛି ବର୍ଷ ଭିତରେ ଋଷବ ପନ୍ତ ଏହି ସ୍ଥାନ ‌ନେଇଛନ୍ତି। ସଞ୍ଜୁ ମାତ୍ର କେତୋଟି ସୁଯୋଗ ପରେ ଭାରତୀୟ ଦଳରୁ ବାଦ ପଡ଼ିବା ନେଇ ତାଙ୍କ ପ୍ରଶଂସକମାନେ ଅନେକବାର ଅସନ୍ତୋଷ ଜାହିର କରିଛନ୍ତି। ଏଥିନେଇ ଅନେକ ତର୍କ ବିତର୍କ ମଧ୍ୟ ହୋଇଛି। ସାମସନଙ୍କୁ ଅଧିକ ସୁଯୋଗ ମିଳିଥିଲେ ଭଲ ହୋଇଥା’ନ୍ତା ବୋଲି ତାଙ୍କ ପ୍ରଶିକ୍ଷକ ବିଜୁ ଜର୍ଜ କହିଛନ୍ତି। ତେବେ ଭାରତୀୟ ଚୟନକର୍ତ୍ତା ଜାଣିଶୁଣି ସଞ୍ଜୁଙ୍କୁ ଦଳରେ ନେଉ ନଥିବା ଅଭିଯୋଗ ସହ ସେ ଏକମତ ହୋଇ ନାହାନ୍ତି। ତାଙ୍କ ମତରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବାରୁ ପନ୍ତ ଫାଇଦାରେ ରହୁଛନ୍ତି।

” ସଞ୍ଜୁଙ୍କ ଶୁଭେଚ୍ଛୁ ଭାବେ ଅପଣ ଯଦି ଏକଥା ପଚାରିବେ, ତାହାଲେ ମୁଁ କହିବି ଯେ ସେ ଅଧିକ ସୁଯୋଗ ପାଇବାର ହକଦାର ଥିଲେ। ତେବେ ଭାରତୀୟ ଦଳର ଦୃଷ୍ଟିକୋଣରୁ ଦେଖିଲେ ସ୍ପଷ୍ଟ ‌ହୋଇଯାଏ ଯେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ହେବା ତାଙ୍କ ସପକ୍ଷରେ ଯାଉଛି। ଦ୍ବିତୀୟରେ ଦଳୀୟ ରଣନୀତି। ସେମାନେ ବିଶ୍ବକପ୍‌କୁ ଆଖି ଆଗରେ ରଖି ଦଳ ଗଠନ କରୁଛନ୍ତି। ସମ୍ଭବତଃ ପ୍ରତିପକ୍ଷ ଦଳର ବାମହାତୀ ସ୍ପିନର ଓ ବାମହାତୀ ଦ୍ରୁତ ବୋଲରଙ୍କ ବିପକ୍ଷରେ ପନ୍ତ ଅଧିକ ସଫଳ ହୋଇପାରିବେ ବୋଲି ସେମାନେ ଭାବୁଛନ୍ତି। ଏହା ମୋ ବ୍ୟକ୍ତିଗତ ମତ। ଶେଷ ନିଷ୍ପତ୍ତି ନେବାର ଅଧିକାର ପ୍ରଶିକ୍ଷକ, ଅଧିନାୟକ ଓ ଦଳୀୟ ଅଧିକାରୀଙ୍କର ରହିଛି। ମୁଖ୍ୟ ଚୟନକର୍ତ୍ତା ନିଷ୍ପତ୍ତି ନିଅନ୍ତୁ ଦଳ ପାଇଁ କିଏ ଅଧିକ ଉପଯୋଗୀ ସାବ୍ୟସ୍ତ ହେବେ। ପନ୍ତ ନା ସଞ୍ଜୁ? ତେବେ ଉଦ୍ଦେଶ୍ୟମୂଳକ ଭାବେ ଏଥିନେଇ ନିଷ୍ପତ୍ତି ନିଆଯାଉଥିବା ମୁଁ ଭାବୁନାହିଁ” ବୋଲି ଜର୍ଜ କହିଥିଲେ। ସୂଚନାଯୋଗ୍ୟ ଯେ ସଞ୍ଜୁ ସାମସନ୍ ୨୦୧୫ ମସିହାରେ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ ମୁକାବିଲାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସପ୍ତମ ସ୍ଥାନରେ ଆସି ୨୪ ବଲ୍‌ରୁ ୧୯ ରନ୍ କରିଥିଲେ। ତେବେ ପରବର୍ତ୍ତୀ ଡାକରା ପାଇଁ ତାଙ୍କୁ ଦୀର୍ଘ ଚାରି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପରେ ୨୦୧୯ରେ ବାଂଲାଦେଶ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ହେଲେ ସେହି ଶୃଙ୍ଖଳାରେ ସେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇ ନଥିଲେ। ଏହା ପରେ ଚୟନକର୍ତ୍ତା ଋଷବ ପନ୍ତଙ୍କୁ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଭାବେ ବାଛିଥିଲେ।

ସମ୍ବନ୍ଧିତ ଖବର