ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥି ଉପଲକ୍ଷେ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ‘ବିଜୁ ପଟ୍ଟନାୟକ ମିନି-ମାରାଥନ୍’ ଆୟୋଜିତ ହୋଇଯାଇଛି। ଏହି ମାରାଥନ୍ରେ ୧୮ ବର୍ଷରୁ ଉର୍ଧ ବୟସ ବର୍ଗ ପୁରୁଷରେ ଅର୍ଜୁନ ଟୁଡୁ ଓ ମହିଳାରେ ସମ୍ସାଦ ଆରା ବେଗମ ପ୍ରଥମ ସ୍ଥାନ ଅଧିକାର କରି ୧୨,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଥିଲେ। ସେହିଭଳି ୫୦ ବର୍ଷରୁ ଅଧିକ ବୟସ ବର୍ଗରେ ରଞ୍ଜିତ ମହତ (ପୁରୁଷ) ଏବଂ ଆରତୀ ମହତ (ମହିଳା) ଏବଂ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଦିଲୀପ ନାୟକ (ବାଳକ) ଓ ସୁହାନା ପରମିନ (ବାଳିକା) ଶୀର୍ଷରେ ସ୍ଥାନ ଦଖଲ କରି ୭,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଥିଲା। ବିଭିନ୍ନ ବୟସ ବର୍ଗର ଶୀର୍ଷ ୫ରେ କ୍ୟାପ୍ଟେନ୍ ପୁର୍ତି, ସୋହାନ କୁମାର ରାମ, ରଞ୍ଜିତ କୁମାର ମହନ୍ତ, ଅଜୟ ମହତ, ସ୍ବର୍ଣ୍ଣ ପ୍ରିୟା ମହନ୍ତ, ସୀମା ଧନ, ସନ୍ୟା ଆରା ବେଗମ, ପ୍ରଭାବତୀ ମୁର୍ମୁ, ସଂଧ୍ୟା ମୁର୍ମୁ, ଜୟନ୍ତୀ ସେଠୀ, ପ୍ରଭାତୀ ମାଝୀ, ସୂଚିତା ତିର୍କି, ମୁକୁନ୍ଦ ବାନରା, ଆକାଶ କୁମାର, ଯୋଗେନ୍ଦ୍ର ତିରିଆ, ଜଗନ୍ନାଥ ଦାଶ, ଡଲି ମହନ୍ତ, ସୁକାନ୍ତି ପାତ୍ର, ପ୍ରଭାସିନି ସୁପକାର, ସ୍ବର୍ଣ୍ଣପ୍ରଭା ମହାନ୍ତି, ମଧୁସୂଦନ ମହନ୍ତ, ଡନିଏଲ୍ ଦିଗାଲ, ଅନୀଲ ମହତ, ଦିଗେଶ୍ବର ମହନ୍ତ ରହି ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗିତାରେ ପାଖାପାଖି ୨୫୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ଭବନ ଛକସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଭୁବନେଶ୍ବର ସାଂସଦ ପ୍ରସନ୍ନ କୁମାର ପାଟଶାଣୀ, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp