7ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ୨୫ରୁ

ଭୁବନେଶ୍ୱର: ୟୁନିଟ୍‌-୬ କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଅନ୍ତଃ କ୍ରୀଡ଼ା ଛାତ୍ରାବାସ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ନଭେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଗାର ବର୍ଷରେ ପଦାର୍ପଣ କରୁଥିବା ଏହି ପ୍ରତିଯୋଗିତାରେ ଏଥର ୯ ଦଳ ଭାଗନେବେ। ଗତବର୍ଷର ବିଜେତା ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ, ଉପ ବିଜେତା ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ସହିତ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସ, ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ, ମଙ୍ଗଳା କନିଷ୍ଠ କ୍ଲବ୍‌, କିସ୍‌ ଏବଂ ବଜରଙ୍ଗବାଲି କନିଷ୍ଠ ଫୁଟ୍‌ବଲ୍‌ କ୍ଲବ୍‌ ଭାଗନେବେ। ନଭେମ୍ବର ୨୫ ଉଦ୍‌ଘାଟନୀ ମ୍ୟାଚ୍‌ ଦିବା ୩ଟାରେ କିସ୍‌ ଓ ପ୍ରଥମ ଥର ସାମିଲ ମଙ୍ଗଳା କନିଷ୍ଠ କ୍ଲବ୍‌ ମଧ୍ୟରେ ଖେଳାଯିବ। ବିଜେତା ଦଳକୁ ୧୦,୦୦୦ ଏବଂ ଉପ ବିଜେତା ଦଳକୁ ୫,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହିତ ଅନ୍ୟାନ୍ୟ ବ୍ୟକ୍ତିଗତ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି। ବିଦ୍ୟାଳୟସ୍ତରୀୟ (୧୬ ବର୍ଷରୁ କମ୍‌) ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା କ୍ରମେ ରାଜ୍ୟ ଦଳକୁ ଏକାଧିକ ଖେଳାଳି ପ୍ରଦାନର ମାଧ୍ୟମ ହୋଇଛି ବୋଲି କହିଥିଲେ ଉପ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର। ପ୍ରତିଯୋଗିତାର ଶେଷ ଦୁଇ ଦିବସରେ ପ୍ରତିବର୍ଷ ଭଳି ଟାଟା ଫୁଟ୍‌ବଲ୍‌ ଏକାଡେମି (ଟିଏଫ୍‌ଏ)ରେ ପ୍ରଶିକ୍ଷଣ ପାଇଁ ମଧ୍ୟ ଖେଳାଳି ଚୟନ କରାଯିବ ବୋଲି କହିଥିଲେ ସଭାପତି ତପନ କୁମାର ମହାନ୍ତି। ସମ୍ପାଦକ ଦିଲୀପ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ସମିତି ଅଧ୍ୟକ୍ଷ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ଅକ୍ଷୟ କୁମାର ଦାସ, ନବରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର