କାଳୁ ଚରଣ, ଶିବପ୍ରସାଦ ଓ ଅମିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର : ଓଡ଼ିଶା ହକି ବିକାଶ ଯାତ୍ରାର ଅନ୍ୟତମ ପୁରୋଧା ତଥା ଅଭିଜ୍ଞ ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ, ବିଶ୍ବର ଏକ ନମ୍ବର ପାରାବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ ଏବଂ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସୁଦୃଢ଼ ପ୍ରାଚୀର ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ରକ୍ଷଣଭାଗ ହକି ଖେଳାଳି ଅମିତ ରୋହିଦାସ ରବିବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା‌ ପୁରସ୍କାର-୨୦୨୦ ଗ୍ରହଣ କରିଛନ୍ତି। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମସ୍ତଙ୍କୁ ପ୍ରଶସ୍ତିପତ୍ର ଏବଂ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। କାଳୁ ଚରଣ ‌ପ୍ରଶସ୍ତିପତ୍ର ସହ ୩ ଲକ୍ଷ, ଅମିତ ପ୍ରଶସ୍ତିପତ୍ର ସହ ୨ ଲକ୍ଷ ଏବଂ ଶିବ ପ୍ରସାଦ ପ୍ରଶସ୍ତିପତ୍ର ସହ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲେ। ଏହି ଅବସରରେ ପୁଲିସ ଏଏସ୍‌ଆଇ, କଟକ ତ୍ରୈଲୋକ୍ୟନାଥ ପରିଡ଼ା ବିଜୁ ପଟ୍ଟନାୟକ ସା‌ହସିକ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର, ରୁପା ପଦକ ଏବଂ ପ୍ରଶସ୍ତିପତ୍ର ପାଇଥିଲେ।

ଚାରିଜଣଯାକ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ‘‘ଜାତୀୟ କ୍ରୀଡ଼ା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ। ଓଡ଼ିଶା କ୍ରୀଡ଼ାରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି। ଅଭିଜ୍ଞ ପ୍ରଶିକ୍ଷକ କାଳୁ ଚୌଧୁରୀଙ୍କୁ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ ସେବା ସମ୍ମାନ ମିଳୁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ଓଡ଼ିଶାର ହକି ବିକାଶରେ ପ୍ରମୁଖ ଭୂମିକା ତୁଲାଇ ଆସିଥିବା ପ୍ରଶିକ୍ଷକମାନଙ୍କ ପ୍ରତି ଆମ ତରଫରୁ ଏକ ଛୋଟିଆ ସମ୍ମାନ। ପ୍ରମୋଦ ଭଗତଙ୍କୁ ପାରାଲିମ୍ପିକ୍ସରେ ପହଞ୍ଚାଇଥିବା ଶିବ ପ୍ରସାଦ ଏବଂ ସାହସିକ ପୁରସ୍କାର ପାଇଥିବା ‌ତ୍ରୈଲୋକ୍ୟନାଥ ପରିଡ଼ାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ’’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଥିଲେ। ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା ନେଇ ପୁଣି ଥରେ ଅମିତଙ୍କୁ ପ୍ରଶଂସା କରିଥିଲେ ସେ।

ଏହି ପୁରସ୍କାର ବତରଣୀ ଉତ୍ସବରେ ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କି, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ଏବଂ କ୍ରୀଡ଼ା‌ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କରୋନା କଟକଣା ପାଇଁ ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର