ଭୁବନେଶ୍ବର : ରାଜ୍ୟର ସର୍ବୋଚ୍ଚ ସରକାରୀ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଶନିବାର ଲୋକସେବା ଭବନ ତୃତୀୟ ମହଲାରେ ସମ୍ପନ୍ନ ହୋଇଛି। ବିଶ୍ବ କନିଷ୍ଠ ପଦକ ବିଜୟିନୀ ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଏବଂ ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ୨୦୧୯ର ଶ୍ରେଷ୍ଠ କ୍ରୀଡ଼ାବିତ୍ ଏବଂ ରାଜ୍ୟକୁ ଏକାଧିକ ଜାତୀୟ ବିଜେତା ଖେଳାଳି ଓ ଗ୍ରାଣ୍ଡମାଷ୍ଟର୍ ପ୍ରଦାନ କରିଥିବା ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। ଖେଳାଳି ଦ୍ବୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରଶିକ୍ଷକଙ୍କୁ ୧ ଲକ୍ଷ ଟଙ୍କା ସହିତ ମାନପତ୍ର ଓ ପଦକ ପ୍ରଦାନ କରାଯାଇଛି।

Advertisment

publive-image

ଏହି ଅବସରରେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଉଲ୍ଲେଖନୀୟ ସଫଳତା ପାଇଥିବା ଶିବ ପ୍ରସାଦ ଦାସଙ୍କୁ ୩୨,୫୦,୦୦୦ ଟଙ୍କା ସହ ସମ୍ବର୍ଧିତ କରାଯାଇଛି। ଏସୀୟ ଚେସ୍‌ ବିଜୟିନୀ ଆଇଏମ୍‌ ପଦ୍ମିନୀ ରାଉତ (୨.୪ ଲକ୍ଷ), ଅନ୍ତର୍ଜାତୀୟ ରଗ୍‌ବି ଖେଳାଳି ହୁପି ମାଝୀ (୨.୩ ଲକ୍ଷ), ବିଶ୍ବ ସମର କ୍ରୀଡ଼ା ସ୍ବତନ୍ତ୍ର ଅଲିମ୍ପିକ୍ସ ଫୁଟ୍‌ସାଲରେ ରୌପ୍ୟ ପଦକ ବିଜୟିନୀ ରାଜଶ୍ରୀ ମହାପାତ୍ର (୨ ଲକ୍ଷ), ଜାତୀୟ କନିଷ୍ଠ ଦୌଡ଼କୁଦରେ ୨ ରୌପ୍ୟ ପଦକ ବିଜୟିନୀ ଉଦୀୟମାନ ଆଥ୍‌ଲେଟ୍‌ ମନୀଷା ମେରେଲ୍‌ (୧.୧୨ ଲକ୍ଷ), ଅନ୍ତର୍ଜାତୀୟ ସନ୍ତରିକା ପ୍ରତ୍ୟାଶା ରାୟ (୮୧,୦୦୦)ଙ୍କୁ ମଧ୍ୟ ଆର୍ଥିକ ପୁରସ୍କାର ସହ ପ୍ରୋତ୍ସାହିତ କରାଯାଇଛି। ୨୭୨ ଜଣ କ୍ରୀଡ଼ାବିତଙ୍କୁ ୭୫, ୦୪,୫୦୦ ଟଙ୍କା, ୫୧ ଜଣ ଭିନ୍ନକ୍ଷମ କ୍ରୀଡ଼ାବିତଙ୍କୁ ୭୨,୩୭, ୫୦୦ ଏବଂ ‌ଖେଲୋ ଇଣ୍ଡିଆ ୟୁଥ କ୍ରୀଡ଼ାରେ ପଦକ ବିଜେତା ୧୧୨ ଜଣଙ୍କୁ ୧୩,୯୭,୦୦୦ ଟଙ୍କା ପ୍ରଦାନ କରାଯାଇଛି। ମୋଟ ଉପରେ ୧ କୋଟି ୬୧ ଲକ୍ଷ ୩୯ ହଜାର ଟଙ୍କାର ପୁରସ୍କାର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ମହାନଦୀ ନୌକା ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନକୁ ଉଦ୍ଧାର କରିଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ସାହସିକତା ପୁରସ୍କାର ଦିଆଯାଇଥିଲା।

publive-image

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ‌ିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିବା ବ‌େଳେ ସରକାରଙ୍କ ପ୍ରୟାସ ଲାଗି ଓଡ଼ିଶା ଏବେ କ୍ରୀଡ଼ାର ବିଶ୍ବ‌କେନ୍ଦ୍ର ପାଲଟିଛି ବୋଲି ପ୍ରକାଶ କରିଥିଲେ। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଲୋକସେବା ଭବନରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ କୁମାର ଦେବ, ବିଭାଗୀୟ ନିର୍ଦେଶକ ଭିନୀଲ କ୍ରିଷ୍ଣା, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।