ଭୁବନେଶ୍ବର: ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ଓ ବାଲେଶ୍ବର କ୍ରୀଡ଼ା ଛାତ୍ରାବାସ ଚଳିତ ଦ୍ବାଦଶ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ୟୁନିଟ-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଶୁକ୍ରବାର ଦୁଇଟି କ୍ବାର୍ଟର ଫାଇନାଲ୍ରେ ଉଭୟ ଦଳ ଏକପାଖିଆ ବିଜୟ ହାସଲ କରିଛନ୍ତି। ଫୁଲବାଣୀ ୬-୦ ଗୋଲ୍ରେ ୟୁନାଇଟେଡ୍ ଫୁଟ୍ବଲ୍ କ୍ଲବ୍ (କଟକ)କୁ ଏବଂ ବାଲେଶ୍ବର ୨-୦ ଗୋଲ୍ରେ ନୀତା ଅମ୍ବାନି ଫୁଟ୍ବଲ୍ ଏକାଡେମି (ପୁରୀ)କୁ ପରାସ୍ତ କରିଛି।
ପ୍ରଥମ ମ୍ୟାଚ୍ରେ ଫୁଲବାଣୀ ଦଳ ପକ୍ଷରୁ ଚନ୍ଦ୍ରମୋହନ ପୃଷ୍ଟି (୨୯ ଓ ୬୩ ମିନିଟ୍), ଧନେଶ୍ବର ବେସରା (୩୫ ଓ ୫୨ ମିନିଟ୍) ଦୁଇଟି କରି ଗୋଲ୍ କରିଥିଲା ବେଳେ ରାଜୀବ ଟପ୍ପୋ (୬୫ ମିନିଟ୍), ଅବିନାଶ କିଶାନ (୫୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଅତିଥି ଡାକ୍ତର ଅନଙ୍ଗ ଦ୍ବିବେଦୀ ଫୁଲବାଣୀ ଦଳର ଧନେଶ୍ବର ବେସରାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।
ଦ୍ବିତୀୟ ମ୍ୟାଚ୍ରେ ବାଲେଶ୍ବର ଦଳ ପକ୍ଷରୁ ଧନଞ୍ଜୟ ମାରାଣ୍ଡି (୨୭ ମିନିଟ୍) ଓ ଦଶରଥ ହେମ୍ବ୍ରମ୍ (୪୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଅତିଥି କ୍ଲବ୍ର ଉପସଭାପତି ଅକ୍ଷୟ କୁମାର ଦାସ ବାଲେଶ୍ବର ଦଳର ଶେଖ୍ ରହମନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ ଦୁଇଟିକୁ ଶ୍ରୀକାନ୍ତ ବହିଦାର, ରାଜେନ୍ଦ୍ର ବାରିକ, ଅମିତ ନାୟକ, କୀର୍ତ୍ତିରଞ୍ଜନ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ, ଶେଖାୱତ ଖାଁ, ମ୍ୟାଚ୍ କମିଶନର ମହେଶ୍ବର ସିଂହ ପରିଚାଳନା କରିଥିଲେ। ଶନିବାର ସେମିଫାଇନାଲ୍ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ-ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ଏବଂ ବାଲେଶ୍ବର କ୍ରୀଡ଼ା ଛାତ୍ରାବାସ-ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ମୁହାଁମୁହିଁ ହେବେ।