ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌, ସେମିଫାଇନାଲ୍‌ରେ ସୁନ୍ଦରଗଡ଼ ଓ ନୟାଗଡ଼

ଭୁବନେଶ୍ବର: ୟୁନିଟ-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ବାଦଶ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗୁରୁବାର ଦୁଇଟି କ୍ବାର୍ଟର ଫାଇନାଲ୍‌ରେ ନିଜ ନିଜର ବିଜୟ ସହ ସୁନ୍ଦରଗଡ଼ ଓ ନୟାଗଡ଼ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ସଂଘର୍ଷପୂର୍ଣ୍ଣ ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଦଳ ୧-୦ ଗୋଲ୍‌ରେ କେଉଁଝର କ୍ରୀଡ଼ା ଛାତ୍ରାବାସ ଦଳକୁ ପରାସ୍ତ କରିଥିଲା। ବିଜୟ କୁମାର ସୋରେନ୍‌ ୪୧ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରିଥିଲେ। ତେବେ ବିଜୟୀ ଦଳର ଅଜୟ ଟପ୍ପୋଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ ପ୍ରଦାନ କରିଥିଲେ। ସେହିପରି ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଓ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ ମଧ୍ୟ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ଟାଇବ୍ରେକର୍‌ (୭-୬)ରେ ନୟାଗଡ଼ ଦଳ ବାଜି ମାରିଥିଲା। ନିର୍ଧାରିତ ସମୟରେ ବଲାଙ୍ଗୀର ପକ୍ଷରୁ ଅତିଶ ଓରାମ (୧୫ ମିନିଟ୍‌) ଏବଂ ନୟାଗଡ଼ ପକ୍ଷରୁ ମନୋଜ ମିଞ୍ଜ୍‌ (୫୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ବିଜୟୀ ଦଳର ଆଲୋକ ମିଞ୍ଜ୍‌ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ଭାବେ ଭୁବନେଶ୍ବର ଦୌଡ଼କୁଦ ସଂଘ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ସେଠୀ, ପ୍ରିୟନାଥ ମିଶ୍ର, ତପନ ମହାନ୍ତି, ଦେବେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ। ମ୍ୟାଚ୍‌ ଦୁଇଟିକୁ ଚନ୍ଦ୍ରକାନ୍ତ ବାରିକ, କୀର୍ତ୍ତିରଞ୍ଜନ ସ୍ବାଇଁ, ଅମିତ କୁମାର ନାୟକ, ଶେଖାୱତ ଖାଁ ଓ ମ୍ୟାଚ୍‌ କମିସନର ମହେଶ୍ବର ସିଂହ ପରିଚାଳନା କରିଥି‌ଲେ। ଶୁକ୍ରବାର ତୃତୀୟ ଓ ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ-ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌ (କଟକ) ଏବଂ ବାଲେଶ୍ବର କ୍ରୀଡ଼ା ଛାତ୍ରାବାସ-ନୀତା ଅମ୍ବାନି ଫୁଟ୍‌ବଲ୍‌ ଏକାଡେମି (ପୁରୀ) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର