ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଜିତିଲା ବଜରଙ୍ଗବାଲୀ

ଭୁବନେଶ୍ୱର: ଭୁବନେଶ୍ୱରର ବୀର ବଜରଙ୍ଗବାଲୀ ଜୁନିୟର କ୍ଲବ୍‌ ଏକାଦଶ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବୁଧବାର ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ବୀର ବଜରଙ୍ଗବାଲୀ ୨-୦ ଗୋଲ୍‌ରେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଆକାଶ ଦେ (୨୭, ୫୫ ମିନିଟ୍‌) ଦୁଇଟି ଯାକ ଗୋଲ୍‌ ଦେଇଥିଲେ। ଆକାଶ ଦେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେତା ଦଳର ଦେବଜ୍ୟୋତି ସିଂହ ଶ୍ରେଷ୍ଠ ଗୋଲ୍‌ ରକ୍ଷକ, ଅବିନାଶ ସାମଲ ଶ୍ରେଷ୍ଠ ମଧ୍ୟଭାଗ, ଖେଳାଳି ବିବେଚିତ ହୋଇଥିଲା ବେଳେ ଉପଭିବେଜା ଦଳର ଅରବିନ୍ଦ ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ, କୁଶ ଯାନି ଶ୍ରେଷ୍ଠ ଅଗ୍ରଭାଗ, ଶ୍ରୀକାନ୍ତ ଭୋଇ ଶ୍ରେଷ୍ଠ ରକ୍ଷଣଭାଗ ପୁରସ୍କାର ପାଇଥିଲେ। ସରୋଜ ମହାରଣା, ରାଜେନ୍ଦ୍ର ବାରିକ, ଶିବଶଙ୍କର ପଣ୍ଡା, କୀର୍ତ୍ତି ସ୍ୱାଇଁ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ମେହଶ୍ୱର ସିଂହ କମସନର ଥିଲେ। ଉଦ୍‌ଯାପନ ଉତ୍ସବରେ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପ୍ରତିଯୋଗିତାର ଅଧ୍ୟକ୍ଷ ପଦ୍ମନାଭ ବେହେରା, ବିଧାୟକ ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟଙ୍କ ସହିତ ଫାଓର ଉପସଭାପତି ଭକ୍ତବଲ୍ଲଭ ଦାସ, ସଭାପତି ତପନ କୁମାର ମହାନ୍ତି, ଅକ୍ଷୟ କୁମାର ଦାସ, ପ୍ରିୟନାଥ ମିଶ୍ର, ଅମିୟକାନ୍ତ ମିଶ୍ର, ନରେନ୍ଦ୍ର ସେଠୀ, ରଞ୍ଜିତ ମଣ୍ଡଳ, ଆୟୋଜକ ସଂଘର ସଂପାଦକ ଦିଲିପ କୁମାର ଦାସ ଓ ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ଏହି ଅବସରରେ ଟାଟା ଫୁଟ୍‌ବଲ ଏକାଡେମିର ପ୍ରଶିକ୍ଷକ ଅକ୍ଷୟ କୁମାର ଦାସ ଓ ନରେନ୍ଦ୍ର ସେଠୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଜେତା ଦଳକୁ ଟ୍ରଫି ସହ ୧୦,୦୦୦ ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୫୦୦୦ ଟଙ୍କା ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର