ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌: ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା କିସ୍‌

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଛି ଏକାଦଶ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା। ଉଦ୍‌ଘାଟନୀ ମ୍ୟାଚ୍‌ରେ କିସ୍‌ ସ୍କୁଲ୍‌ ବିଜୟୀ ହୋଇଛି। କିସ୍‌ ୨-୦ ଗୋଲ୍‌ରେ କନିଷ୍ଠ ମଙ୍ଗଳା କ୍ଲବ୍‌କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ସୋନାରାମ ସୋରେନ୍‌ ଅଷ୍ଟମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରିଥିଲା ବେଳେ ୪୫ ମିନିଟ୍‌ରେ ରାମଚନ୍ଦ୍ର ମାଝୀ ଦ୍ୱିତୀୟ ଗୋଲ୍‌ କରି ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ସୋନାରାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଦ୍ୱିତୀୟ ଦିବସରେ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ-ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ଏବଂ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସ-ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ମୁହାଁମୁହିଁ ହେବେ।

କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଶନିବାର ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ବିଧାୟକ ବିଜୟ ମହାନ୍ତି, ଟାଟା ଷ୍ଟିଲ୍‌ର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ମଣିକାନ୍ତ ନାଏକ, ଫାଓ ସଂପାଦକ ସଞ୍ଜୟ ବେହେରା, ଯୁଗ୍ମ ସଂପାଦକ ଅଭିଜିତ ପାଲ୍‌ ଓ ଉପସଭାପତି ଭକ୍ତବଲ୍ଲଭ ଦାସ, କର୍ପୋରେଟର୍‌ ପ୍ରଣବ କିଶୋର ସ୍ୱାଇଁ, ଡାକ୍ତର ଅନଙ୍ଗ ଦ୍ୱିବେଦୀ, ଡ. ତଟୁ ପରିଜା, ନବ ପଟ୍ଟନାୟକ, ଆୟୋଜକ ସଂଘ ସଭାପତି ତପନ କୁମାର ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ସଂପାଦକ ଦିଲୀପ କୁମାର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର