ପ୍ରମୋଦ ଓ କିଟ୍‌-କିସ୍‌କୁ ବିଜୁ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ଜାତୀୟ କ୍ରୀଡ଼ା ଦିବସରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଗୁରୁବାର ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଏବଂ ସମାଜସେବା ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଥିବା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କୁ ରାଜ୍ୟର ସର୍ବୋଚ୍ଚ ସରକାରୀ ସମ୍ମାନ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ମିଳିଛି। ସେହିଭଳି ଉନ୍ନତ କ୍ରୀଡ଼ାଭିତ୍ତିଭୂମି ନିର୍ମାଣ ସହିତ ରାଜ୍ୟ ଏବଂ ଭାରତୀୟ କ୍ରୀଡ଼ାକୁ ହଜାର ହଜାର କ୍ରୀଡ଼ାବିତ୍ ପ୍ରଦାନ କରିଥିବା କିଟ୍ ଏବଂ କିସ୍‌ ଅନୁଷ୍ଠାନକୁ କ୍ରୀଡ଼ା ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନିତ କରାଯାଇଛି। ଜାତୀୟ ସ୍ତରରେ ୪୬ ଏବଂ ଅନ୍ତର୍ଜାତୀୟ ସ୍ତରରେ ୩୮ ପଦକ ଜିତି ସାରିଥିବା ପ୍ରମୋଦଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ପ୍ରଶସ୍ତିପତ୍ର ଓ ପ୍ରତିକୃତି ପ୍ରଦାନ କରାଯାଇଥିଲା। କିନ୍ତୁ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଦେଶର ଦ୍ବିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ପରିବାର ସହ ଦିଲ୍ଲୀରେ ଥିବାରୁ ପ୍ରମୋଦ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇପାରିନଥିଲେ। ତାଙ୍କ ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଦିଲେଶ୍ବର ରାଓ ଏହାକୁ ଗ୍ରହଣ କରିଥିଲେ। ସେହିଭଳି କିଟ୍ ଏବଂ କିସ୍‌କୁ ଏକ ଲକ୍ଷ ଟଙ୍କା ସହିତ ପ୍ରଶସ୍ତିପତ୍ର ଓ ପ୍ରତିକୃତି ପ୍ରଦାନ କରାଯାଇଥିଲା। ଉଭୟ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଏହା ଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ କିନ୍ତୁ ଏହି ପୁରସ୍କାର ଉତ୍ସବ ଫିକା ଫିକା ଲାଗିଥିଲା। ମୁଖ୍ୟ ପୁରସ୍କାର ବିଜେତା ଉପଲବ୍‌ଧ ନ ହେବା ଏବଂ ଅନ୍ୟ ୩ଟି ବର୍ଗର ବିଜେତା ପ୍ରଦାନ କରାନଯିବା ପୁରସ୍କାରର ମର୍ଯ୍ୟଦା କ୍ଷୁର୍ଣ୍ଣ କରିଥିଲା। ଚଳିତ ବର୍ଷ ପାଇଁ କ୍ରୀଡ଼ା ବିଭାଗ ଅଜୀବନ ସେବା କ୍ରୀଡ଼ା ବ୍ୟକ୍ତିତ୍ବ, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ଲାଗି କାହାରିକୁ ପାଇନଥିବା ସଫେଇ ଦେଇଥିଲା।
ଏହି ଅବସରରେ ସାହସିକତା ପୁରସ୍କାର ପାଇଥିଲେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ା ଗାଁର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତି ଭଦ୍ରା। ଗତବର୍ଷ ସମ୍ଭାବ୍ୟ ରେଳଦୁର୍ଘଟଣାରୁ ଅନ୍ୟତମ ବିଦ୍ୟାଳୟ ଛାତ୍ରୀ ପ୍ରମିଳା ମୁଣ୍ଡାକୁ ଉଦ୍ଧାର କରିଥିବାରୁ ଶ୍ରୀମତିକୁ ୧ ଲକ୍ଷ ଟଙ୍କା ସହିତ ରୌପ୍ୟ ପଦକ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସେହିଭଳି ସମାଜସେବା ପାଇଁ ରାଧାକାନ୍ତ ତ୍ରିପାଠୀ, ବିଦ୍ରୀ ମିଶ୍ର, ମହେନ୍ଦ୍ର କୁମାର ଯୋଶୀ, କାମାକ୍ଷା ପ୍ରସାଦ ମାଝୀ, ଦୀନବଂଧୁ ଦାଶ, ଅବଦୁଲ ରହମନ ଖାନ୍ ପ୍ରମୁଖଙ୍କୁ ୨୫,୦୦୦ ଟଙ୍କା ସହିତ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ରାଜ୍ୟର କ୍ରୀଡ଼ାବିତଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ତାଙ୍କୁ ବେଶ ଖୁସି ଓ ଆନନ୍ଦ ଦେଉଥିବା ପ୍ରକାଶ କରିଥିଲେ। ଭୁବନେଶ୍ବର କ୍ରମେ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେବା ସହିତ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଥିବା କଥାକୁ ଦୋହରାଇଥିଲେ। ଯୁବ ପିଢ଼ି ପାଇଁ ଏହା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି ପୁରସ୍କାର ଅବସରରେ ମଧ୍ୟ ବିଗତ ଦୁଇ ବର୍ଷ ଭିତରେ ଜାତୀୟ ଏବଂ ଅନ୍ତର୍ଜାତୀୟ ପଦଦ ହାସଲ କରିଥିବା ବିଭିନ୍ନ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଚେସ୍‌ ଖେଳାଳି ପଦ୍ମିନୀ ରାଉତ, ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ, କରାଟେକା ଅଭିଷେକ ପଟ୍ଟନାୟକ, ଭାରୋତ୍ତୋଳକ ଭକ୍ତରାମ ଦେଠୀ, ଦୂତି ଚାନ୍ଦ, ଆଥ୍‌ଲେଟ୍‌ ଲକ୍ଷ୍ମଣ ମୁର୍ମୁ, ଲକ୍ଷ୍ମୀପ୍ରିୟା ସାହୁ, ପୁଙ୍ଗା ସୋରେନ୍‌, କାନୋଇଂ ତାରକା ଓନମ ବିଦ୍ୟା ଦେବୀ, ସନ୍ତରିକା ପ୍ରତ୍ୟାଶା ରାୟ ପ୍ରମୁଖ। ଏମାନେ ସମସ୍ତେ ଅନ୍ୟୁନ ୧ ଲକ୍ଷରୁ ଉର୍ଧ୍ବ ରାଶି ପାଇଥିଲେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ୯୪ ଜଣଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ, ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ କୁମାର ନାୟକ, ବିଜୁ ଯୁବ ବାହିନୀ ଦୟିତ୍ବରେ ଥିବା ଯୁଗ୍ମ ସଚିବ ମନୋଜ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ପ୍ରମୁଖ ଭୂମିକା ତୁଲାଇଛି। ଖେଳ ଓ ଖେଳାଳିଙ୍କୁ ପ୍ରେତ୍ସାହନ ଦେବା ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରୟାସ ଜାରି ରଖିଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଭାଷଣରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର