ବିକାଶ ଗୌଡ଼ାଙ୍କ ଅବସର 

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଡିସ୍‌କସ୍‌ ଫିଙ୍ଗାଳି ବିକାଶ ଗୌଡ଼ା ଅବସର ନେଇଛନ୍ତି। ଏନେଇ ଭାରତୀୟ ଦୌଡ଼କୁଦ ସଂଘ ବୁଧବାର ସ୍ପଷ୍ଟ କରିଛି। ଚଳିତ ବର୍ଷର ଏସୀୟ କ୍ରୀଡ଼ା (ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨, ଜାକର୍ତା) ଆଉ ମାତ୍ର ଦୁଇ ମାସ ବାକିଥିଲା ବେଳେ ଗୌଡ଼ାଙ୍କ ଅବସର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଦୌଡ଼କୁଦ ସଂଘ ତା’ର ଟ୍ଵିଟର ପୃଷ୍ଠାରେ ଗୌଡ଼ାଙ୍କୁ ଜଣେ ମହିଳା ଡିସ୍‌କସ୍‌ ଫିଙ୍ଗାଳି ଏବଂ ଅଲିମ୍ପିଆନ୍‌ ଭାବେ ବର୍ଣ୍ଣନା କରିଛି। ୧୫ ବର୍ଷରୁ ଅଧିକ ସମୟ ଧରି ସଫଳତାର ଶିଖରରେ ରହିଥିବା ମହୀଶୁର ଜନ୍ମିତ ଗୌଡ଼ା ପ୍ରଥମ ତଥା ଏକମାତ୍ର ଭାରତୀୟ ପୁରୁଷ ଆଥ୍‌ଲେଟ୍‌ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ହେବାର କୀର୍ତିମାନ ପାଇଥିଲେ। ସେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୪ ଥର ଅଲିମ୍ପିକ୍‌ରେ ଭାଗ ନେଇଥିଲେ। ୨୦୧୨ରେ ସେ ୬୬.୨୮ ମିଟର ଡିସ୍‌କସ୍‌ ଫିଙ୍ଗି ଜାତୀୟ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ସବୁଠୁ ସଫଳ ଭାରତୀୟ ଆଥ୍‌ଟେଲ୍‌ ଭାବେ ଗୌଡ଼ା ମଧ୍ୟ ୨୦୧୩ ଓ ୨୦୧୫ ଏସୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ସାଙ୍ଗକୁ ୨୦୧୦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ପୁଣି ଏସୀୟ କ୍ରୀଡ଼ାରେ ୨୦୧୦ରେ କାଂସ୍ୟ ଓ ୨୦୧୪ରେ ରୌପ୍ୟ ଜିତିଥିଲେ। ଗୌଡ଼ା ୨୦୦୪, ୨୦୦୮, ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ଏହି ୪ ଅଲିମ୍ପିକ୍ସ ମଧ୍ୟରୁ ସେ ୨୦୧୨ ଲଣ୍ଡନ କ୍ରୀଡ଼ାରେ ଫାଇନାଲ୍‌ ପ୍ରବେଶ କରିଥିଲେ। ୨୦୧୭ରେ ଗୌଡ଼ାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

ଆସନ୍ତା ଜୁଲାଇ ୫ ତାରିଖରେ ୩୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଗୌଡ଼ା ଅଚାନକ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତିି। ଅବଶ୍ୟ ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିବା ପରଠୁ ସେ ଆଉ କୌଣସି ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିନଥିଲେ। ବୁଧବାର ଗୌଡ଼ା ତାଙ୍କ ଅବସର ନେଇ ଭାରତୀୟ ଦୌଡ଼କୁଦ ସଂଘକୁ ଚିଠି ମାଧ୍ୟମରେ ଜଣାଇବା ପରେ ସଂଘ ତା’ର ଟ୍ଵିଟର ପୃଷ୍ଠାରେ ସ୍ପଷ୍ଟ କରିଥିଲା। ମୁଁ ଅନେକ ଭାବିବା ଏବଂ ପରାମର୍ଶ ନେବା ପରେ ଅବସର ନିଷ୍ପତ୍ତି ନେଲି। ଆଉ ମୋ ଶରୀରକୁ କଷ୍ଟ ଦେବାକୁ ଚାହୁଁନି। ବରଂ ଜୀବନର ପରବର୍ତୀ ପର୍ଯ୍ୟାୟ ଉପରେ ଧ୍ୟାନ ଦେବାକୁ ମନସ୍ଥ କଲି ବୋଲି ଆମେରିକାରେ ଅବସ୍ଥାପିତ ଗୌଡ଼ା ଅବସର ପତ୍ରରେ ଉଲ୍ଲେଖ କରିଥିଲେ। ହେଲେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସବୁଠୁ ବଡ଼ ସମ୍ମାନ ମୋ ପାଇଁ ରହିବ। ଏବେ ମୁଁ ସେଥିରୁ ବଞ୍ଚିତ ହେବି ବୋଲି ସେ ଭାବପ୍ରବଣ ହୋଇ କହିଥିଲେ। ତେବେ ଭାରତୀୟ ଦୌଡ଼କୁଦକୁ ଶିଖରରେ ପହଞ୍ଚାଇବାରେ ତାଙ୍କ ଅବଦାନ ପାଇଁ ଗୌଡ଼ାଙ୍କୁ ସଂଘ ଧନ୍ୟବାଦ ଜଣାଇଛି। ସେ ଟ୍ରାକ୍‌ ଓ ଫିଲ୍‌ଡ ଆଥ୍‌ଲେଟ୍‌ସମାନଙ୍କ ପାଇଁ ସବୁବେଳେ ପ୍ରେରଣାଦାୟୀ ରହିବେ ବୋଲି ଭାରତୀୟ ଦୌଡ଼କୁଦ ସଂଘର ସଭାପତି ଆଦିଲେ ସୁମରିଓ୍ଵାଲା କହିଛନ୍ତି। ଗୌଡ଼ାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା ବେଳେ ତାଙ୍କ ପରିବାର ମହୀଶୁର ଛାଡ଼ି ଆମେରିକା ଚାଲି ଯାଇଥିଲେ। ତାଙ୍କ ପିତା ଜଣେ ପୂର୍ବତନ ଆଥ୍‌ଲେଟ୍‌ ଏବଂ ୧୯୯୮ ଅଲିମ୍ପିକ୍ସ ବେଳେ ଜଣେ ଜାତୀୟ ପ୍ରଶିକ୍ଷକ ଥିଲେ। ବିକାଶ କିନ୍ତୁ ଡିସ୍‌କସ୍‌କୁ ଆଦରିବା ପୂର୍ବରୁ ସଟ୍‌ପୁଟ୍‌ରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ। ସେଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୧୯.୬୨ ମିଟର) ୨୦୦୬ ଆଟ୍‌ଲାଣ୍ଟ୍‌ାରେ ଥିଲା।

ସମ୍ବନ୍ଧିତ ଖବର