ବିଳାସ ରାଉତରାୟ ସ୍ମାରକୀ କ୍ରିକେଟ୍‌, ବିହାରୀଲାଲ୍‌ ଫାଇଟର୍ସ ବିଜେତା

ଭୁବନେଶ୍ୱର: ପୋଖରିପୁଟ ବିହାରୀଲାଲ ଷ୍ଟାଡିୟମରେ ଆୟୋଜିତ ଦ୍ୱିତୀୟ ବିଳାସ ରାଉତରାୟ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିକୁ ୬୯ ରନ୍‌ରେ ପରାସ୍ତ କରି ବିହାରୀଲାଲ ଫାଇଟର୍ସ ବିଜେତା ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ବିହାରୀଲାଲ ଦଳ ସିଦ୍ଧାନ୍ତ ଜେନା (୨୮ ବଲ୍‌ରୁ ୬୬ ରନ୍‌)ଙ୍କ ବିସ୍ଫୋରକ ଅର୍ଧଶତକ ସାଙ୍ଗକୁ ପ୍ରଶାନ୍ତ ବିଶ୍ୱାଳଙ୍କ ଧୂଆଁଧାର ୧୮ ବଲ୍‌ରୁ ୪୨ ରନ୍‌ ବଳରେ ନିର୍ଧାରିତ ୧୦ ଓଭରରେ ୪ ଓ୍ଵିକେଟ୍‌ ବିନିମୟରେ ୧୪୮ ରନ୍‌ କରି ନେଇଥିଲା। ସୁମିତୋଷ ପ୍ରହରାଜଙ୍କୁ ୩ ଓ୍ଵିକେଟ୍‌ ମିଳିଥିଲା। ଜବାବରେ ପାରାମାଉଣ୍ଟ୍‌ ୫ ଓ୍ଵିକେଟ୍‌ ବିନିମୟରେ ୭୯ ରନ୍‌ କରିପାରିଥିଲା। ସୁମିତୋଷ ୨୨ ବଲ୍‌ରେ ୨୭ ରନ୍‌ କରିଥିଲା ବେଳେ ବିପ୍ଲବ ସାମନ୍ତରାୟ ଗୋଟିଏ ଓ୍ଵିକେଟ୍‌ ପାଇଥିଲେ। ସିଦ୍ଧାନ୍ତ ଜେନା ଫାଇନାଲ୍‌ର ଶ୍ରେଷ୍ଠ ଏବଂ ସୁମିତୋଷ ପ୍ରହରାଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରଶ୍ମିରଞ୍ଜନ ପରିଡ଼ାଙ୍କୁ ସର୍ବାଧିକ ଦୂରକୁ ଛକା ମାରିଥିବାରୁ ପୁରସ୍କୃତ କରାଯାଇଥିଲା। ରିଆଜତ୍‌ ଅଲ୍ଲୀ ଓ ଅଜିତ ପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)କୁ ପାରାମାଉଣ୍ଟ୍‌ ଏବଂ ଦ୍ୱିତୀୟ ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂକୁ ବିହାରୀଲାଲ ଫାଇଟର୍ସ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସୁରେଶ କୁମାର ରାଉତରାୟ, ହୃଦୟ ବଲ୍ଲଭ ସାମନ୍ତରାୟ, ଚତୁର୍ଭୁଜ ଜେନା, ବସନ୍ତ ରାଉତରାୟ, ଅକ୍ଷୟ ଜେନା ଏବଂ ବସନ୍ତ ଶେଖର ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର