ବିନ୍ଦ୍ରା-କାମ୍ପ୍ରିଆନିଙ୍କ ‘ମେକ୍ ଏ ମାର୍କ’ ଯୋଜନାରେ କେଜ୍‌ ସାମିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବନ୍ଧୁକଚାଳକ ଇଟାଲିର ନିକୋଲୋ କାମ୍ପ୍ରିଆନି ଏବଂ ଭାରତର ଅଭିନବ ବିନ୍ଦ୍ରା ଶରଣାର୍ଥୀଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାରେ ସୁଯୋଗ ଦେବା ଲାଗି ‘ମେକ୍‌ ଏ ମାର୍କ’ ଯୋଜନା ଆରମ୍ଭ କରିଛନ୍ତି। କାମ୍ପ୍ରିଆନି ଓ ବିନ୍ଦ୍ରାଙ୍କ ଏହି ଯୋଜନାରେ ସଂପ୍ରତି ୩ ଜଣ ଶରଣାର୍ଥୀ ପ୍ରଶିକ୍ଷିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଖୌଲା ଓ ମହାଦି ‌୧୦ ମିଟର ଏୟାର ରାଇଫଲ୍‌ରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଖୌଲା ଓ ମହାଦି ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସ‌ରେ ଶରଣାର୍ଥୀ ଅଲିମ୍ପିକ୍ସ ଦଳରୁ ଖେଳିଥିଲେ। ଏହି ଯୋଜନାକୁ ସହଯୋଗର ହାତ ବଢ଼ାଇଛନ୍ତି ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌। ସେ ଏହି ଯୋଜନାର ପ୍ରଚାର ପ୍ରସାର ଥିମ୍‌ ସଂଗୀତ ଲେଖିବା ପାଇଁ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଏହି ଥିମ୍‌ ଗୀତକୁ ଖୌଲା ଓ ମହାଦିଙ୍କ ସହ କାମ୍ପ୍ରିଆନି ଓ ବିନ୍ଦ୍ରା ଗାନ କରିଛନ୍ତି। ଶନିବାର ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ଟ୍ବିଟର୍‌ ପୃଷ୍ଠାରେ କେଜ୍ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ କିଛି ମାସ ତଳେ, ‘ମେକ୍‌ ଏ ମାର୍କ’ ଯୋଜନା ବିଷୟରେ ଶୁଣିବାକୁ ପାଇଥିଲି। ଏହି‌ ଯୋଜନା ଦ୍ବାରା ଏତେ ଅନୁପ୍ରାଣିତ ହୋଇଥିଲି ଯେ ମୋ ସାମର୍ଥ୍ୟ ଅନୁସାରେ କିଛି ସାହାଯ୍ୟ କିମ୍ବା ସମ୍ପୃକ୍ତ ହେବାକୁ ଆଗ୍ରହ ଦେଖାଇଥିଲି। ‌‌ଯେପରି କି ସଂଗୀତ ଦ୍ବାରା ଏହା ହୋଇପାରିବ ଭାବିଥିଲି। ତେଣୁ ମୁଁ ଭାରତର ଏକମାତ୍ର ବ୍ୟକ୍ତିଗତ ସ୍ବର୍ଣ୍ଣ ବିଜେତା ବିନ୍ଦ୍ରାଙ୍କ ସହ ଯୋଗାଯୋଗ କଲି। ସେ ମୋତେ ତାଙ୍କ ସାଥୀ ୩ ଥରର ସ୍ବର୍ଣ୍ଣ ବିଜେତା କାମ୍ପ୍ରିଆନିଙ୍କ ସହ ପରିଚିତ କରାଇଥିଲେ। ଶେଷରେ ‘ମେକ୍‌ ଏ ମାର୍କ’ ଯୋଜନାରେ ସାମିଲ ହେଲି। ଖେଳ ଓ ସଂଗୀତ ଦୁନିଆକୁ ଉନ୍ନତି ଦିଗରେ ନେଇଥାଏ। ଆମର ଏହି ଯୋଜନା ଏହା ହିଁ ଦର୍ଶାଉଛି। ଗୀତକୁ ଆଥ୍‌ଲେଟ୍‌ମାନେ ଗାନ କରିଛନ୍ତି ବୋଲି କେଜ୍ ପ୍ରକାଶ କରିଛନ୍ତି।

ବିନ୍ଦ୍ରା ଗୀତ ଗାଉଥିବା ଏହି ଭିଡ଼ିଓରେ ଦେଖା ଯାଇଥିଲା। ଯାହା ଉପରେ‌ କେଜ୍‌ ନିଜର ପ୍ରତିକ୍ରିୟା ରଖୁ ରଖୁ ବିନ୍ଦ୍ରା ରିଟ୍ବିଟ୍‌ କରି ଲେଖିଥିଲେ, ଏହା ‘ବହୁତ ମଜାଦାର’। ବଲିଉଡ କିଂବଦନ୍ତି ଅମିତାଭ ବଚ୍ଚନ ମଧ୍ୟ ଏହା ଉପରେ ରିଟ୍ବିଟ୍‌ କରିଥିଲେ। କିଛି ଦିନ ତଳେ ବିନ୍ଦ୍ରା ଓ କାମ୍ପ୍ରିଆନିଙ୍କ ଏହି ଯୋଜନା ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ସଭାପତି ଉଭୟଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର