ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କୁ ଯେଭଳି ଭାବେ ପୁଲିସ୍ ଉଠାଇ ନେଇଥିଲା ଏହାକୁ ବହୁ ଖେଳାଳି ନାପସନ୍ଦ କରିଛନ୍ତି। ଏଭଳି ଘଟଣାର ଫଟୋଚିତ୍ର ତଥା ଭିଡ଼ିଓକୁ ଦେଖି ବ୍ୟଥିତ ହୋଇପଡ଼ିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା। ଏଭଳି ଦୃଶ୍ୟ ମୋ ନିଦ ହଜାଇ ଦେଇଛି ଏବଂ ମୋ ପିଛା କରୁଛି ବୋଲି ପ୍ରକାଶ କରିଛନ୍ତି ବିନ୍ଦ୍ରା। ଅଲିମ୍ପିକ୍ସ, ବିଶ୍ବ ପ୍ରତିଯୋଗିତା ଓ ଏସୀୟ କ୍ରୀଡ଼ାରୁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ, ଭିନେଶ ‌ଫୋଗତ, ବଜରଙ୍ଗ ପୁନିଆ, ସଂଗୀତା ଫୋଗତ ଏବଂ ସେମାନଙ୍କ ସମର୍ଥକମାନେ ନୂଆ ସଂସଦ ଭବନ ଅଭିମୁଖେ ଯିବାକୁ ଯୋଜନା କରୁଥିବାବେଳେ ପୁଲିସ୍ ସେମାନଙ୍କୁ ଅଟକ ରଖିଥିଲା।

Advertisment

ମହିଳା କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଭବନର ଉଦ୍‌ଘାଟନ ଅବସରରେ ଏହାର ବାହାରେ ମହାପଞ୍ଚାୟତ କରିବାକୁ ଘୋଷଣା କରିଥିଲେ। ଖେଳାଳିମାନଙ୍କୁ ଯେଭଳି ଭାବେ ଟଣା ଓଟରା କରାଗଲା ସେଥିରେ ବିବ୍ରତ ହୋଇପଡ଼ିଛନ୍ତି ବିନ୍ଦ୍ରା। ସେମାନଙ୍କ ଦାବିପ୍ରତି କୌଣସି ବିଚାର ନ କରି ଏଭଳି ବ୍ୟବହାର ଯୁକ୍ତି ସଂଗତ ‌ନୁହେଁ ବୋଲି ବିନ୍ଦ୍ରା ପ୍ରକାଶ କରିଛନ୍ତି। ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟକ ସୁନିଲ ଛେତ୍ରୀ ଏବଂ ପୂର୍ବତନ କ୍ରିକେଟ୍ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍‌ ମଧ୍ୟ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ୍‌ ୨୩ ତାରିଖରୁ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଚଳାଇ ଆସିଛନ୍ତି।