ନୂଆଦିଲ୍ଲୀ: ୧୨ ବର୍ଷ ତଳେ ଆଜିର ତାରିଖରେ ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ବିବେଚିତ ହୋଇଥିଲେ। ଏହା ଥିଲା ୨୦୦୮ ମସିହା ଅଗଷ୍ଟ ୧୧ ତାରିଖ। ସେହି ଦିନ ବେଜିଂ ଅଲିମ୍ପିକ୍ ଅବସରରେ ବନ୍ଧୁକଚାଳକ ବିନ୍ଦ୍ରାଙ୍କୁ ମିଳିଥିଲା ଏଭଳି ଐତିହାସିକ ସଫଳତା। ୧୦ ମିଟର ଏୟାର ରାଇଫଲ୍ ବନ୍ଧୁକଚାଳନା ବର୍ଗରେ ସେ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ନିଜର ଅନ୍ତିମ ସଟ୍ରେ ଏହି ବନ୍ଧୁକଚାଳକ ୧୦.୮ ସଟ୍ ମାରି ଭାରତ ପାଇଁ ସ୍ବର୍ଣ୍ଣ ପଦକ କରାୟତ୍ତ କରିନେଇଥିଲେ। ଏହି ସଟ୍ ପୂର୍ବରୁ ସେ ଫିନ୍ଲାଣ୍ଡ୍ର ହେନ୍ରି ହକିନେନ୍ଙ୍କ ସହ ‘ଟାଇ’ କରିଥିଲେ। ଏପରିକି ଅନ୍ତିମ ସଟ୍ରେ ଯଦି ସେ ୧୦.୮ରୁ କିଛି ବି କମ୍ ମାରିଥା’ନ୍ତେ ତାହାଲେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିବା ନିଶ୍ଚିତ ଥିଲା। ହେଲେ ବିନ୍ଦ୍ରା ଭାରତକୁ ନିରାଶ କରିନଥିଲେ।
୨୦୦୦ରେ ସିଡ୍ନିରେ ହିଁ ନିଜର ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଥିବା ୩୭ ବର୍ଷ ବୟସ୍କ ବନ୍ଧୁକଚାଳକ ବେଜିଂରେ ସ୍ବର୍ଣ୍ଣ ଜିତିବା ସହିତ ତିନିଟି ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ସିଡ୍ନି ଏବଂ ଲଣ୍ଡନ ଅଲିମ୍ପକ୍ସରୁ ସେ ବଞ୍ଚିତ ରହିଥିଲେ। କିନ୍ତୁ ୨୦୧୬ ରିଓ ଅଲିମ୍ପିକ୍ସରେ ନିଜର ଦ୍ବିତୀୟ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ୨୦୧୭ରେ ଆନୁଷ୍ଠାନିକ ଭାବେ ନିଜର ଅବସର ଘୋଷଣା କରିଦେଇଥିଲେ। ଏହା ହିଁ ପ୍ରକୃଷ୍ଟ ସମୟ ଏବଂ ଯୁବ ପିଢ଼ିକୁ ଆଗକୁ ବଢ଼ିବାର ସୁଯୋଗ ଦେବା ଉଚିତ ବୋଲି ସେତେବେଳେ କହିଥିଲେ ବିନ୍ଦ୍ରା। ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚି ଯାଇଥିଲେ ମଧ୍ୟ ଭାରତ ଟୋକିଓରେ ବନ୍ଧୁକଚାଳନାରୁ ପଦକ ସମ୍ଭାବନା ରଖିଥିବା କହିଛନ୍ତି ବିନ୍ଦ୍ରା।