ମୁମ୍ବାଇ: ୧୯୮୩ ଦିନିକିଆ କ୍ରିକେଟ ବିଶ୍ବକପ୍ ବିଜେତା ଭାରତୀୟ ଦଳର ଅଲ୍ରାଉଣ୍ଡର ତଥା ସେହି ବିଶ୍ବକପ୍ର ସର୍ବାଧିକ ୱିକେଟ (୧୮) ହାସଲକାରୀ ମଧ୍ୟମଗତି ବୋଲର ରୋଜର ବିନ୍ନି ବିଶ୍ବର ସବୁଠୁ ଧନୀ ବୋର୍ଡ ବିସିସିଆଇର ପରବର୍ତ୍ତୀ ସଭାପତି ହେବା ନିଶ୍ଚିତ ହୋଇଛି। ସୌରଭ ଗାଙ୍ଗୁଲିଙ୍କ ପରେ ୬୭ ବର୍ଷିୟ ବିନ୍ନି ବୋର୍ଡର ୩୬ତମ ସଭାପତି ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ବିନ୍ନି ମଙ୍ଗଳବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କର୍ଣ୍ଣାଟକ କ୍ରିକେଟ୍ ସଂଘ ତା’ର ସଂପାଦକ ସନ୍ତୋଷ ମେନନ୍ଙ୍କ ପରିବର୍ତେ ବିନ୍ନିଙ୍କ ନାମକୁ ବିସିସିଆଇ ଏଜିଏମ୍ରେ ପ୍ରତିନିଧିତ୍ବ କରିବାକୁ ପଠାଇଥିଲା। ବିନ୍ନି ସର୍ବସମ୍ମତ ପ୍ରାର୍ଥୀ ହୋଇଥିବାରୁ ସେ ଆସନ୍ତା ୧୮ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅବସରରେ ବୋର୍ଡର ଦାୟିତ୍ବ ଗ୍ରହଣ କରିବା ସମ୍ଭାବନା ରହିଛି। ବିନ୍ନି ଜଣେ ଅତ୍ୟନ୍ତ ଭଦ୍ର ଓ ସରଳ ବ୍ୟକ୍ତି। ଯାହାକି ଅତୀତରେ ତାଙ୍କ କାର୍ଯ୍ୟକଳାପରୁ ପ୍ରତୀୟମାନ ହୋଇଥିଲା। ତାଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ଭାରତୀୟ ଦଳରେ ସାମିଲ ହେବା ପରେ ରୋଜର ଆପେ ଆପେ ମନୋନୟନ କମିଟିରୁ ଇସ୍ତଫା ଦେଇଥିଲେ। ଏହା ହିଁ ତାଙ୍କ ବ୍ୟକ୍ତିତ୍ବର ପ୍ରରିପ୍ରକାଶ କରିଥିଲା। ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ବିନ୍ନି ୨୦୦୦ ମସିହା ୧୯ ବର୍ଷରୁ କମ୍ ବିଶ୍ବ ବିଜେତା ଭାରତୀୟ ଦଳର ପ୍ରଶିକ୍ଷକ ରହିଥିଲା ବେଳେ ବେଙ୍ଗଲ କ୍ରିକେଟ୍ ସଂଘର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ସେ ମଧ୍ୟ ବିସିସିଆଇର ପୂର୍ବତନ ଚୟନକର୍ତା ରହିଥିଲେ।
ଗାଙ୍ଗୁଲିଙ୍କୁ ଆଇସିସି ପଠାଇବାକୁ ବିସିସିଆଇ ଲକ୍ଷ୍ୟ ରଖିଥିବାରୁ ସେ ନିର୍ବାଚନରୁ ଓହରିଯାଇଥିବା କୁହାଯାଉଛି। ଅନ୍ୟ ଏକ ସୂତ୍ର ଅନୁଯାୟୀ ବେଙ୍ଗଲର ୨୦୨୪ ସାଧାରଣ ନିର୍ବାଚନ ଉପରେ ଧ୍ୟାନକେନ୍ଦ୍ରିତ କରିବା ପାଇଁ ଗାଙ୍ଗୁଲି ବିସିସିଆଇ ସଭାପତି ପଦ ପାଇଁ ଲଢ଼ିବାରୁ ଓହରି ଯାଇଛନ୍ତି। ଫଳରେ ବିନ୍ନି ସଭାପତି ଭାବେ ଗାଙ୍ଗୁଲିଙ୍କ ଉତ୍ତରାଧିକାରୀ ହେବାକୁ ଯାଉଥିଲା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ ଓ ରାଜୀବ ଶୁକ୍ଳା ଉପସଭାପତି ପଦ ବଜାୟ ରଖିବେ। ଏମାନଙ୍କ ବ୍ୟତୀତ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅରୁଣ ସିଂହ ଧୂମାଲ ଆଇପିଏଲ୍ର ପରବର୍ତ୍ତି ଅଧ୍ୟକ୍ଷ ହେବେ। ତଥାପି ଏହି ପଦ ପାଇଁ ମୁମ୍ବାଇର ଟାଣୁଆ ବିଜେପି ନେତା ଆଶିଷ ସେଲର ନାମାଙ୍କନ ଦାଖଲ କରିପାରନ୍ତି। ସେଲର ପୂର୍ବରୁ ମୁମ୍ବାଇ କ୍ରିକେଟ୍ ସଂଘର ସଭାପତି ପାଇଁ ଆଶାୟୀ ଥିଲେ। ଅନ୍ୟପକ୍ଷରେ ଜୟେଶ ଜର୍ଜଙ୍କ ସ୍ଥାନରେ ଆସାମର ଦେବଜିତ ସାଇକିଆ ବୋର୍ଡର ନୂଆ ଯୁଗ୍ମ ସମ୍ପାଦକ ହୋଇପାରନ୍ତି।
ମଙ୍ଗଳବାର ବୋର୍ଡର କର୍ମକର୍ତ୍ତା ଓ କିଛି ସଦସ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା ବେଳେ ଆସନ୍ତା ନିର୍ବାଚନକୁ ବିନା ପ୍ରତିଦ୍ବନ୍ଦ୍ବିତାରେ ଶେଷ କରିବାକୁ ଅଣ୍ଟାଭିଡ଼ା ଯାଇଥିବା ଚର୍ଚ୍ଚା ହେଉଛି।
ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ଯଦିଓ କିଛି ବି ସ୍ପଷ୍ଟ କରାଯାଇନାହିଁ, ତଥାପି ତାଙ୍କୁ ଆଇସିସିକୁ ପଠାଯିବା ପାଇଁ ଯୋଜନା କରାଯାଉଥିବାରୁ ତାଙ୍କ ସ୍ଥାନରେ କର୍ଣ୍ଣାଟକ କ୍ରିକେଟ୍ ସଂଘର ସଭାପତି ବିନ୍ନିଙ୍କୁ ବିସିସିଆଇର ନୂଆ ସଭାପତି କରାଯାଉଥିବା କୁହାଯାଉଛି। ତଥାପି ନିକଟରେ ଦିଲ୍ଲୀରେ ହୋଇଥିବା ଏକ ବୈଠକରେ ଗାଙ୍ଗୁଲିଙ୍କ କାର୍ଯ୍ୟକୁ କିଛି ବରିଷ୍ଠ ନେତୃତ୍ବ ସମାଲୋଚନା କରିଥିଲେ। ତେଣୁ ଆଇସିସିକୁ ଗାଙ୍ଗୁଲିଙ୍କୁ ପଠାଯିବା ନେଇ ଆଶଙ୍କା ଦେଖାଦେଇଛି। ସେହିପରି ଆଇପିଏଲ୍ ଅଧ୍ୟକ୍ଷ ପାଇଁ ବ୍ରିଜେଶ ପଟେଲ ଅଯୋଗ୍ୟ ହୋଇସାରିଛନ୍ତି। ଆସନ୍ତା ନଭେମ୍ବରରେ ତାଙ୍କୁ ୭୦ ବର୍ଷ ବୟସ ହୋଇଯାଉଥିବାରୁ ସେ ଏହି ପଦରେ ରହିପାରିବେନି। ତେଣୁ ତାଙ୍କ ବିକଳ୍ପ ଭାବେ ଯଦିଓ ପ୍ରଥମେ ରାଜୀବଙ୍କ ନାମକୁ ବିଚାରକୁ ନିଆଯାଉଥିଲା, କିନ୍ତୁ ଅନେକ ତର୍ଜମା ପରେ ଧୂମାଲଙ୍କୁ ଏଥିପାଇଁ ଉପଯୁକ୍ତ ବୋଲି ବଛାଯାଇଛି। ଅନ୍ୟପକ୍ଷରେ ସାଂସଦ ଓ ବିଧାୟକଙ୍କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେବାରୁ ସେଲର ବିସିସିଆଇ ମୁହାଁ ହୋଇଛନ୍ତି। ତେବେ ମୁମ୍ବାଇ ସଂଘ ନିର୍ବାଚନରେ ସଭାପତି ପ୍ରାର୍ଥୀ ପାଇଁ ସେ ନାମାଙ୍କନ ଦାଖଲ କରିସାରିଥିଲେ ମଧ୍ୟ ହଠାତ୍ ବିସିସିଆଇ ଭୋଟର ତାଲିକାରେ ତାଙ୍କର ନାମ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।