ଭୁବନେଶ୍ୱର, : ଧାନବାଦଠାରେ ଚାଲିଥିବା ୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫି ଦିନିକିଆରେ ଓଡ଼ିଶା ମଙ୍ଗଳବାର ପ୍ରଥମ ବିଜୟ ହାସଲ କରିଛି। ଏ ଆଣ୍ଡ୍ ଏ (ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ) ଦଳକୁ ଓଡ଼ିଶା ୬ ଓ୍ଵିକେଟ୍ରେ ହରାଇ ସାନ୍ତ୍ୱନାମୂଳକ ବିଜୟ ପାଇଛି। ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଓଡ଼ିଶାର ବୋଲରମାନେ ପ୍ରତିପକ୍ଷ ପାଳିକୁ ୪୯.୪ ଓଭରରେ ୧୮୦ ରନରେ ସୀମିତ ରଖିଥିଲେ। ୭୧ ରନରେ ୬ ଓ୍ଵିକେଟ୍ ହରାଇଥିବା ଏ ଆଣ୍ଡ୍ ଏ ଦଳ ପାଇଁ ଆର୍କେ ରେକ୍ସ (୬୦*) ଏବଂ ଆକାଶ କୁମାର (୩୭) ସମ୍ମାନ ରଖିଥିଲେ।
ଓଡ଼ିଶା ପକ୍ଷରୁ ସତ୍ୟକାମ ଭରଦ୍ୱାଜ (୧୦-୪-୨୦-୩) ଏବଂ କୃଷ୍ଣ ପଲ୍ଲାଇ (୧୦-୦-୪୬-୩) ସଫଳ ବୋଲର ଥିଲେ। ଉମେଶ ଯାଦବ ଏବଂ କ୍ଷମାସାଗର ବଳ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ କୁନାଲ ମଲ୍ଲିକ (୫୦, ୧୦୫ ବଲ୍) ଏବଂ ସ୍ୱସ୍ତିକ ସାମଲ (୬୩, ୯୧ ବଲ୍)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ୪୫.୫ ଓଭରରେ ୪ ଓ୍ଵିକେଟ୍ରେ ୧୮୧ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। କ୍ଷମାସାଗର ବଳ (୨୩*) ଏବଂ ସୁମନ ଦାସ (୨*) ଅପରାଜିତ ରହିଥିଲେ। ଚତୁର୍ଥ ମ୍ୟାଚ୍ରେ ଓଡ଼ିଶାର ଏହା ପ୍ରଥମ ବିଜୟ ଥିଲା।