କଟକ: ଅଧିନାୟକ ଗୋବିନ୍ଦ ପୋଦାରଙ୍କ ୧୧୧ ଓ ଶୁଭ୍ରାଂଶୁ ସେନାପତିଙ୍କ ୯୧ ରନ୍ର ପାଳି ପରେ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଉଭୟ ପାଳିରେ ଅର୍ଧଶତକ ହିଁ ଓଡ଼ିଶାକୁ ବିଜୟନଗରମ୍ରେ ଖେଳାଯାଇଥିବା ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚ୍ରେ ଓଡ଼ିଶାକୁ ପରାଜୟରୁ ବଞ୍ଚାଇ ଦେଲା। ପ୍ରଥମ ପାଳିରେ ୭୨ ରନ୍ କରିଥିବା ବିପ୍ଲବ ପୁଣି ଏକ ଲଢୁଆ ପ୍ରଦର୍ଶନ ବଳରେ ଦ୍ୱିତୀୟ ପାଳିରେ ଅପରାଜିତ ୬୨ ରନ୍ କରି ମ୍ୟାଚ୍ ଅମୀମାଂସିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫଳରେ ପ୍ରଥମ ପାଳିରେ ବଡ଼ ସ୍କୋର୍ କରି ଓଡ଼ିଶାକୁ ଫଲୋଅନ୍ ଖେଳିବାକୁ ବାଧ୍ୟ କରିଥିବା ଆନ୍ଧ୍ର ଶୁକ୍ରବାର ଶେଷ ଦିନ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ବିପ୍ଳବ ହିଁ ୧ ପଏଣ୍ଟ୍ ଛଡ଼ାଇ ନେଇଥିଲେ। ମ୍ୟାଚ୍ ଅମୀମାଂସିତ ଯୋଗୁଁ ପାଳି ଆଗୁଆ ଭିତ୍ତିିରେ ଘରୋଇ ଆନ୍ଧ୍ରପ୍ରଦେଶ ୩ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଥିଲା ବେଳେ ଓଡ଼ିଶା ଚଳିତ ଋତୁରେ ପଏଣ୍ଟ୍ ଖାତା ଖୋଲିବାରେ ସମର୍ଥ ହୋଇଛି। ତ୍ରିଶତକ ହାସଲ କରିଥିବା ଆନ୍ଧ୍ର ଅଧିନାୟକ ହନୁମା ବିହାରୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ତୃତୀୟ ଦିନର ଅସମାପ୍ତ ସ୍କୋର ୨୯୪/୬ରୁ ଖେଳିଥିବା ଓଡ଼ିଶା ଶେଷ ଦିନରେ ମଧ୍ୟ ପ୍ରଥମରୁ ଝଟ୍କା ପାଇଥିଲେ। ଶୁକ୍ରବାରର ପ୍ରଥମ ଓଭର ପଞ୍ଚମ ବଲ୍ରେ ଶୁଭମ୍ ଖାତା ଖୋଲିବା ପୂର୍ବରୁ ରବି ତେଜାଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ଏହାପରେ ବିପ୍ଳବଙ୍କ ସହ ବସନ୍ତ ମହାନ୍ତି (୨୩) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୨୮) ମହତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ ବି ଦୁହେଁ ବେଶି ସମୟ ତିଷ୍ଠିପାରିନଥିଲେ। ତେବେ ଅତ୍ୟନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରି ବିପ୍ଳବ ଅର୍ଧଶତକ ପୂରଣ କରିଥିଲେ। ସେ ୧୪୦ତମ ଓଭରରେ ରବି ତେଜାଙ୍କ ଚତୁର୍ଥ ଶିକାର ହେବା ସହିତ ଓଡ଼ିଶାର ପ୍ରଥମ ପାଳି ସମାପ୍ତ ହୋଇଥିଲା। ୩୯୧ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇ ଓଡ଼ିଶା ମଧ୍ୟ ଫଲୋଅନ୍ ଖେଳିବାକୁ ବାଧ୍ୟ ହୋଇଥିଲା।
ଫଲୋଅନ୍ ଖେଳିଥିବା ଓଡ଼ିଶା ଦ୍ୱିତୀୟ ପାଳିରେ ମଧ୍ୟ ଖରାପ ପ୍ରଦର୍ଶନ ଜାରି ରଖିଥିଲା। ଆରମ୍ଭରୁ ନଟରାଜ ବେହେରା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲା ବେଳେ ନିୟମିତ ଅନ୍ତରାଳରେ ଓ୍ଵିକେଟ୍ ଝଡ଼ିବା ଧାରା ଲାଗିଥିଲା। ଗୋବିନ୍ଦ ପୋଦ୍ଦାର (୧୦), ଶୁଭ୍ରାଂଶୁ ସେନାପତି (୧୫), ସନ୍ଦୀପ ପଟ୍ଟନାୟକ (୧୭) ଅଧିକ ସମୟ ରହିପାରିନଥିଲେ। ହେଲେ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ବିପ୍ଳବ ସମାନ୍ତରାୟ ପ୍ରଥମ ପାଳି ଭଳି ଏହି ପାଳିରେ ମଧ୍ୟ ଓଡ଼ିଶାକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ମଙ୍ଗ ଧରିଥିଲେ। ଗୋଟିଏ ପଟରେ ଆନ୍ଧ୍ରର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରି ସେ ମ୍ୟାଚ୍ରେ କ୍ରମାଗତ ଦ୍ୱିତୀୟ ଅର୍ଧଶତକ ହାସଲ କରିଥିଲା ବେଳେ ଅନ୍ୟପଟେ ଜଣକ ପରେ ଜଣେ ଆଉଟ ହୋଇ ଓଡ଼ିଶାକୁ ପରାଜୟ ମୁହାଁ କରିଥିଲେ। ଚା’ପାନ ବିରତି ସୁଦ୍ଧା ଓଡ଼ିଶା ୭୯ ରନ୍ରେ ୫ ଓ୍ଵିକେଟ ହରାଇ ସଂକଟରେ ଥିଲାବେଳେ ସୌରଭ ରାଓ୍ଵତ (୧୩), ଅବିନାଶ ସାହା (୨), ଶୁଭମ୍ ନାୟକ (୧୨) ଆଉଟ ହୋଇ ପରାଜୟ ଆଶଙ୍କାକୁ ବଢାଇ ଦେଇଥିଲେ। ତଥାପି ହାର୍ ନ ମାନି ବସନ୍ତ ମହାନ୍ତି (୧୧*)ଙ୍କ ସହ ବିପ୍ଳବ (୬୨*) ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ଜମି ରହି ମ୍ୟାଚ୍କୁ ଅମୀମାଂସିତ ରଖିବାରେ ସଫଳ ହୋଇଥିଲେ। ଓଡ଼ିଶା ୭ ଓ୍ଵିକେଟ୍ ହରାଇ ୧୫୨ ରନ୍ କରିଥିଲା ବେଳେ ମ୍ୟାଚ୍ ଅମୀମାଂସିତ ଘୋଷଣା ହୋଇଥିଲା। ଆନ୍ଧ୍ର ପକ୍ଷରୁ ଦ୍ୱିତୀୟ ପାଳିରେ ଭାର୍ଗବ ଭଟ୍ଟ ୪, କେଭି ଶଶୀକାନ୍ତ, ଆୟପ୍ପା ବନ୍ଦାରୁ ଓ ପ୍ରଶାନ୍ତ କୁମାର ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ପ୍ରଥମ ପାଳି ୫୮୪/୫ (ପାଳି ଘୋଷଣା)। ଓଡ଼ିଶା ପ୍ରଥମ ପାଳି ୩୯୧ (୧୩୯.୩ ଓଭର), ଓଡ଼ିଶା ଦ୍ୱିତୀୟ ପାଳି ୧୫୨/୭ (୫୫ ଓଭର): ବିପ୍ଳବ ସାମନ୍ତରାୟ ୬୨*, ସନ୍ଦୀପ ପଟ୍ଟନାୟକ ୧୭, ଶୁଭ୍ରାଂଶୁ ସେନାପତି ୧୫, ସୌରଭ ରାଓ୍ଵତ ୧୩, ଭାର୍ଗବ ଭଟ୍ଟ ୪/୪୦।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/B-samantray-1.jpg)