କୋହଲି ବିରାଟ, ହେଲେ ଅନୁଷ୍ଠାନ ଆହୁରି ବିରାଟ

ରାମଚନ୍ଦ୍ର ଗୁହା

0

୨୦୧୬ ମସିହା ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ବେଳେ ବିରାଟ କୋହଲି ଯେଉଁ ଚମତ୍କାର ସ୍କୋୟାର୍‌ ଡ୍ରାଇଭ୍‌ ଦୁଇଟି ମାରିଲେ, ମୁଁ ତାହା ଦେଖି ଟ୍ଵିଟ୍‌ କରିଥିଲି- ହେଇ ଦେଖ ଆସିଗଲା ମୋର କୈଶୋରର ହିରୋ ଏବଂ ମୋର ସର୍ବକାଳୀନ ଭାରତୀୟ ଏକାଦଶର ସ୍ଥାୟୀ ସଦସ୍ୟ ଜିଆର୍‌ ବିଶ୍ୱନାଥ। ସେଇ ଚଉକା ଦୁଇଟି ଥିଲା ଟି ଟେ୍ଵଣ୍ଟି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲର ମ୍ୟାଚ୍‌ ଜିଣା ୮୨ ରନ୍‌ର ଅଂଶ ଏବଂ କୋହଲି ଯେ ଜଣେ ମହାନ କ୍ରିକେଟ ଖେଳାଳି ମୋ ଲାଗି ଏହା ଥିଲା ତାର ଏକ ପ୍ରମାଣ। ଏହା ପୂର୍ବରୁ, ୨୦୧୨ରେ ବେଙ୍ଗାଲୁରୁର ଷ୍ଟାଡିଅମରେ ବସି ଏକ ଟେଷ୍ଟ ମ୍ୟାଚ୍‌ ଦେଖୁଥିବା ବେଳେ ତାଙ୍କର ଶତକ ହାସଲର ଢଙ୍ଗରେ ସେ ମୋତେ ପ୍ରଥମ ଥର ଲାଗି ମୁଗ୍‌ଧ କରିଥିଲେ। ନିଉଜିଲାଣ୍ଡର ଉଚ୍ଚକୋଟୀର ବୋଲିଂ ଆକ୍ରମଣ ଆଗରେ ଯେତେବେଳେ ସଚିନ ତେନ୍ଦୁଲକର ବି ଅତି ସାଧାରଣ ଭଳି ଜଣାପଡୁଥିଲେ, ସେତିକି ବେଳେ, ଯେଉଁ ଯୁବକ ପୂର୍ବ ବର୍ଷ ତେନ୍ଦୁଲକରଙ୍କୁ ଅଭିନନ୍ଦନ ଜଣାଇବା ଲାଗି କାନ୍ଧରେ ବସାଇ ବୁଲାଉଥିଲେ, ଏବେ ଖେଳଟିକୁ ପୂରାପୂରି ନିଜ ଆୟତ୍ତରେ ରଖିଥିଲେ। ଏହାର ଦୁଇ ବର୍ଷ ପରେ ତାଙ୍କର କାପ୍ତାନୀରେ ଆଡିଲେଡ୍‌ରେ ଭାରତର ପ୍ରଥମ ଟେଷ୍ଟ ବିଜୟ ବେଳେ ମୁଁ ତାଙ୍କର ଚମକପ୍ରଦ ୧୪୧ ରନ୍‌ର ପ୍ରତିଟି ସଟ୍‌ ଟେଲିଭିଜନରେ ଉପଭୋଗ କରିଥିଲି, ଯେଉଁଥିରେ କୋହଲି ପ୍ରାୟ ଏକୁଟିଆ ଭାରତକୁ ବିଜୟ ପଥରେ ଆଗେଇ ନେଇଥିଲେ। ତାଙ୍କ ପ୍ରତି ମୋର ସମ୍ମାନ ବଢ଼ିବାରେ ଲାଗିଥିଲା; ସେଇ ପୂର୍ବୋକ୍ତ ଟି ଟେ୍ଵଣ୍ଟିରେ ଯେତେବେଳେ ସେ ରନ୍‌ ଦେବାରେ କୃପଣ ଜେମସ୍‌ ଫକ୍‌ନରଙ୍କୁ ଦୁଇଟି କାନ ତାବ୍‌ଦା କଲା ଭଳି ଚଉକା କଷିଦେଲେ, ସେତିକି ବେଳେ ମୋର ପିଲା ଦିନର ଆବେଗ ଜଡ଼ସଡ଼ ଘନିଷ୍ଠତା ସବୁ କ୍ରିକେଟ୍‌ର ଏଭଳି ଶକ୍ତି ଆଗରେ ବିଧ୍ୱସ୍ତ ହୋଇଯାଇଥିଲା। ମୋ ପରିକଳ୍ପିତ ଭାରତୀୟ ଏକାଦଶରେ ସେହବାଗ ଏବଂ ଗାଭାସ୍କର ହେଉଛନ୍ତି ଓପନିଂ ବ୍ୟାଟ୍‌ସମ୍ୟାନ। ସେମାନଙ୍କ ପରେ ଆସନ୍ତି ଦ୍ରାବିଡ଼ ଏବଂ ତେନ୍ଦୁଲକର; ଏବଂ ପାଞ୍ଚ ନମ୍ବରରେ କୋହଲି, ଏବଂ ଏକା କୋହଲି ହିଁ ଯଥେଷ୍ଟ।

ଏହା ଥିଲା ଦୁଇ ବର୍ଷ ପୂର୍ବର କଥା। ଆଉ ଏବେ, ସେ ଯେମିତି ଧାରାବାହିକ ଭାବେ ଗୋଟିକ ପରେ ଗୋଟିଏ ଅଭୂତପୂର୍ବ ଇନିଂସ୍‌ମାନ ଖେଳି ଚାଲିଛନ୍ତି-ଅତି ନିକଟରେ ସେ ଖେଳିଥିବା ଚମତ୍କାର ୧୫୩ ରନ୍‌ର ଇନିଂସ ସମେତ- ତାଙ୍କ ବିଷୟରେ ମୁଁ ଆହୁରି ଅଧିକରୁ ଅଧିକ ଲେଖିପାରିବି। ସବୁ ଫର୍ମାଟ୍‌ ଏବଂ ସବୁ ପ୍ରକାର ପରିସ୍ଥିତିରେ ଖେଳିବାର ଦକ୍ଷତାକୁ ବିଚାରକୁ ନେଲେ ବିରାଟ କୋହଲି ନିଶ୍ଚୟ ହେବେ ଭାରତର ମହାନତମ ବ୍ୟାଟସମ୍ୟାନ୍‌। ଦ୍ରାବିଡ଼ ଏବଂ ଗାଭାସ୍କରଙ୍କ ଖେଳର ରକ୍ଷଣଶୀଳ ତଥା ଶାସ୍ତ୍ରୀୟ ଆଭିମୁଖ୍ୟ ସେମାନଙ୍କୁ ଟେଷ୍ଟ ଖେଳ ପରିସରରେ ଭଲ ଭାବେ ପ୍ରତିଷ୍ଠିତ କରିପାରିଛି ସିନା, ସୀମିତ ଓଭର କ୍ରିକେଟରେ ତାହା ଅନ୍ତରାୟ ସୃଷ୍ଟି କରିଥିଲା। ଏକ ଦିବସୀୟ କ୍ରିକେଟରେ ସେହଓ୍ଵାଗଙ୍କ କ୍ୟାରିଅରକୁ ବିଶେଷ ଚମକପ୍ରଦ ବୋଲି କହିହେବନାହିଁ; ତାଙ୍କର କେତେଟି ମ୍ୟାଚ୍‌ ଜିଣା ଖେଳ ଆମର ମନେ ଅଛି? ତେନ୍ଦୁଲକର ଟି ଟେ୍ଵଣ୍ଟି ଖେଳର ସାମ୍ରାଜ୍ୟକୁ କେବେ ବି ଜିଣିପାରିଲେ ନାହିଁ (ତାଙ୍କର ଆଇପିଏଲ୍‌ ରେକର୍ଡରୁ ଏହା ସ୍ପଷ୍ଟ) ଏବଂ ସାଧାରଣତଃ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ଅତି ଚମତ୍କାର ବ୍ୟାଟିଂ କରୁଥିଲେ ବି ଚତୁର୍ଥ ଇନିଂସରେ ବା ଏକଦିବସୀୟ ଖେଳରେ ଦ୍ୱିତୀୟରେ ବ୍ୟାଟିଂ କରିବାର ଥିଲେ ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ଭରସା କରାଯାଇପାରିବ ନାହିଁ। ଏହା ଛଡ଼ା କାପ୍ତାନୀର ଦାୟିତ୍ୱ ତାଙ୍କୁ ଏକଦା ଏଭଳି ଅସୁରକ୍ଷିତ କରିଦେଇଥିଲା ଯେ ତାହା ତାଙ୍କ ଷ୍ଟ୍ରୋକ୍‌ ଖେଳ ବ୍ୟାହତ ହୋଇଯାଇଥିଲା। କିନ୍ତୁ କ୍ୟାପଟେନର ଦାୟିତ୍ୱ କୋହଲିଙ୍କ ସ୍ୱଭାବଗତ ଆତ୍ମବିଶ୍ୱାସକୁ ଆହୁରି ତେଜୀୟାନ କରିଦିଏ ଏବଂ ରନ୍‌ ହାସଲର ଲକ୍ଷ୍ୟର ପଶ୍ଚାତ୍‌ଧାବନ କରିବାରେ ସେ ଓସ୍ତାଦ।

ମୁଁ ବିରାଟ କୋହଲିଙ୍କୁ ଥରେ ମାତ୍ର ଭେଟିଛି, ଏବଂ ଆଉ କେବେ ତାଙ୍କୁ ଭେଟିବାର ସମ୍ଭାବନା ପ୍ରାୟ ନାହିଁ। ତାଙ୍କ ସହ ସେଇ ଥରକର କଥାବାର୍ତ୍ତାରୁ ତଥା ତାଙ୍କୁ ମୁଁ ଅନ୍ୟ ଯେଉଁଭଳି ଭାବେ ଦେଖିଛି ସେଥିରୁ ଏହା ନିଶ୍ଚିତ ଭାବେ କହିହେବ ଯେ ଆମର ଅତୀତ ଓ ବର୍ତ୍ତମାନର ସମସ୍ତ ମହାନ ଖେଳାଳିଙ୍କ ଠାରୁ ତାଙ୍କର ଚମକ ଅଧିକ। ସେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ତାଙ୍କ ଆତ୍ମପ୍ରତ୍ୟୟ ଶତପ୍ରତିଶତ। କଥା କହିବାରେ ଗାଭାସ୍କର ଏବଂ ଦ୍ରାବିଡ଼ କୋହଲିଙ୍କ ସମତୁଲ ହୋଇପାରନ୍ତି, କିନ୍ତୁ କୋହଲିଙ୍କ ବ୍ୟକ୍ତିତ୍ୱର ଚମକ ସେମାନଙ୍କ ପାଖରେ ନାହିଁ। କପିଳ ଏବଂ ଧୋନୀଙ୍କ ବ୍ୟକ୍ତିତ୍ୱ ବେଶ୍‌ ପ୍ରଭାବଶାଳୀ, କିନ୍ତୁ ସେମାନଙ୍କ ପାଖରେ କୋହଲିଙ୍କ ବାକ୍‌ଚାତୁରୀ ନାହିଁ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର୍ରେ ମୋର ଚାରି ମାସର ସମୟ କାଳ ଭିତରେ ମୁଁ କୋହଲିଙ୍କ କର୍ତ୍ତୃତ୍ୱର ପହଞ୍ଚ ଓ ପ୍ରସାରର ଝଲକ ପାଇଛି। ଭାରତୀୟ କ୍ୟାବିନେଟ୍‌ ନରେନ୍ଦ୍ର ମୋଦୀଙ୍କୁ ଯେତିକି ପୂଜା କରେ, ବିସିସିଆଇର ଅଧିକାରୀମାନେ ବିରାଟ କୋହଲିଙ୍କୁ ତା ଠାରୁ ଅଧିକ କରନ୍ତି। ଭାରତୀୟ କ୍ୟାପ୍‌ଟେନଙ୍କ ଜ୍ଞାନର ପରିସରଭୁକ୍ତ ହୋଇ ନଥିବା କ୍ଷେତ୍ରରେ ମଧ୍ୟ ସେମାନେ ତାଙ୍କ ମତକୁ ଚାହିଁ ବସିଥାନ୍ତି। ମୁଁ ଥିଲା ବେଳେ ଯେତେବେଳେ ଭାରତୀୟ କ୍ରିକେଟ ଦଳର ଆଗାମୀ ଟୁର୍‌ ବିଷୟରେ ଆଲୋଚନା କରାଗଲା, ସେତିକି ବେଳେ ବିସିସିଆଇର ଆଇନଗତ ଉପଦେଷ୍ଟା ମହାଶୟ କହିଲେ ଯେ ଏଥି ଲାଗି ବିରାଟଙ୍କ ଅନୁମତି ନେବା ନିହାତି ଜରୁରୀ। ସେମିତି ଯେତେବେଳେ ନ୍ୟାସନାଲ କ୍ରିକେଟ ଏକାଡେମିର ପରିଚାଳନା ବିଷୟ ଆମ ସମ୍ମୁଖକୁ ଆସିଲା, ବିସିସିଆଇର ସିଇଓ କହିଲେ ଯେ ଏହି ବିଷୟରେ ବିରାଟ ହିଁ ପ୍ରଥମ ଓ ଶେଷ କଥା କହିବେ। ବିସିସିଆଇର ଲୋକମାନେ ତାଙ୍କ ବିଷୟରେ କିଛି କହିଲା ବେଳେ ତାଙ୍କ ଡାକ ନାମ ନିଅନ୍ତି। କାରଣ ସେମାନେ ଭାରତୀୟ କ୍ୟାପଟେନ୍‌ଙ୍କ ସହିତ କେତେ ଅନ୍ତରଙ୍ଗ ତାହା ଜଣାପଡ଼ିବ। କିନ୍ତୁ ବାସ୍ତବରେ ସେମାନେ ଏମିତି ବ୍ୟବହାର କରନ୍ତି, ଲାଗିବ ସତେ ଯେମିତି ଏହା ହେଉଛି ମାଲିକ ଏବଂ ଭୃତ୍ୟର ସଂପର୍କ।


ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ସେ ରାଜନୀତି ହେଉ କି ବ୍ୟବସାୟ ହେଉ କି ଶିକ୍ଷା ବା କ୍ରୀଡ଼ା; ଯଦି ଜଣକର ଉଚ୍ଚକୋଟୀର ସଫଳତା ସହିତ ତାର ଟାଣୁଆ ବ୍ୟକ୍ତିତ୍ୱ ମିଶିଯାଏ, ତେବେ ତାହା ଅନୁଷ୍ଠାନକୁ ମଧ୍ୟ ସେଇ ବ୍ୟକ୍ତିର ଅଧୀନସ୍ଥ କରିପକାଏ। ଏବଂ ଏଠାରେ କଥାଟି ହେଲା, ଖେଳ ପଡ଼ିଆରେ ହେଉ ବା ପଡ଼ିଆ ବାହାରେ, ବିରାଟ କୋହଲି ସତରେ ଜଣେ ପ୍ରଭାବିତ କଲା ଭଳି ବ୍ୟକ୍ତିତ୍ୱ। ଆମ ଦେଶର କ୍ରିକେଟର ଇତିହାସରେ ତାଙ୍କ ଭଳି ଏମିତି କେହି ଜଣେ ବି ନାହାନ୍ତି ଯାହାଙ୍କ ପାଖରେ ତାଙ୍କ ଭଳି କ୍ରିକେଟୀୟ ମହାନତା, ମାନସିକ ପ୍ରସ୍ତୁତି ଓ ବ୍ୟକ୍ତିତ୍ୱର ଯାଦୁର ମିଶ୍ରଣ ଦେଖିବାକୁ ମିଳିବ। ତେବେ, ଏ ସବୁ ବିଷୟରେ ଯେଉଁ ଜଣେ ବ୍ୟକ୍ତି ବି ତାଙ୍କର ଟିକିଏ ସମକକ୍ଷ ହୋଇପାରିବ, ସେ ହେଉଛନ୍ତି ଅନୀଲ କୁମ୍ବଲେ। ଅନୀଲ କୁମ୍ବଲେ ଭାରତ ସୃଷ୍ଟି କରିଥିବା ମହାନତମ ବୋଲର ବୋଲି କହିଲେ ଚଳିବ। କ୍ରିକେଟ ଖେଳ ଉପରେ ଅତି ଭଲ ଭାବେ ଚିନ୍ତା କରିପାରୁଥିବା ଖେଳାଳିଙ୍କ ଭିତରୁ ସେ ଜଣେ। ତା ଛଡ଼ା ସେ ଉଚ୍ଚ ଶିକ୍ଷିତ, ବହୁପାଠୀ ତଥା ସମାଜ ଓ ରାଜନୀତି ଉପରେ ଆଗ୍ରହ ରଖିଥିବା ଜଣେ ବ୍ୟକ୍ତି।। ଏହା ସହିତ ସେ ନିଜ ମହତ୍ତ୍ୱ ନେଇ ମଧ୍ୟ ଅବଗତ; ଯଦିଓ ନିଜର ଆତ୍ମପ୍ରତ୍ୟୟକୁ ସେ କନ୍ନଡ଼ିଗା ସୁଲଭ ଢଙ୍ଗରେ ଧାରଣ କରନ୍ତି, ପଞ୍ଜାବୀମାନଙ୍କ ଭଳି ନୁହେଁ।

ଜଣେ କ୍ରିକେଟର ଭାବେ ହେଉ ବା ବ୍ୟକ୍ତିତ୍ୱ ଦୃଷ୍ଟିରୁ ହେଉ; ଏକା କୁମ୍ବଲେ ହେଉଛନ୍ତି କୋହଲିଙ୍କ ବର୍ଗର। ବୋଧହୁଏ ତାହା ହିଁ କାରଣ ସେ ଦୁହିଁଙ୍କ ଭିତରେ କନ୍ଦଳ ହେଲା, ଏବଂ କୁମ୍ବଲେଙ୍କୁ ବାହାରି ଯିବାକୁ ହେଲା। ତେବେ ପ୍ରଶ୍ନ ଉଠୁଛି, କାହିଁକି ତାଙ୍କ ସ୍ଥାନରେ ଏଭଳି ଜଣଙ୍କୁ ଅଣାଗଲା ଯେ କ୍ରିକେଟୀୟ ସଫଳତା ଏବଂ ବ୍ୟକ୍ତିତ୍ୱ; ଉଭୟ ଦୃଷ୍ଟିରୁ ଭାରତୀୟ କ୍ୟାପଟେନଙ୍କ ଠାରୁ ଢେର ନ୍ୟୂନ? ଏହାର କାରଣ ବିସିସିଆଇର ଆଇନଗତ ଉପଦେଷ୍ଟା ଓ ବିସିସିଆଇର ସିଇଓଙ୍କ ଭଳି ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକମାନଙ୍କ କମିଟି ମଧ୍ୟ କୋହଲିଙ୍କ ବ୍ୟକ୍ତିତ୍ୱର ଟାଣ ଆଗରେ ନିଜର ସ୍ୱାଧୀନତାକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଲେ। କ୍ରିକେଟ ଚୟନ କମିଟି ମଧ୍ୟ ସେଭଳି କଲା। ଟମ୍‌ ମୁଡିଙ୍କ ବଦଳରେ ରବି ଶାସ୍ତ୍ରୀଙ୍କୁ ନିଆଗଲା, କାରଣ ବିନୋଦ ରାଏ, ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଏବଂ ସୌରଭ ଗାଙ୍ଗୁଲୀ ଆପଣା ମେରୁଦଣ୍ଡ ସଳଖେଇ ଭାରତୀୟ କ୍ୟାପ୍‌ଟେନଙ୍କୁ କହିପାରିଲେ ନାହିଁ – ବହୁତ ହେଇଗଲା, ଏଇଠି ରୁହ।

ଏହି ଅପରିପକ୍ୱ ନିଷ୍ପତ୍ତିକୁ ଘୋଡ଼ାଇବା ଲାଗି ଭାରତ ନିଜ ମାଟିରେ ଗୋଟିଏ ଦୁର୍ବଳ ଦଳ ବିପକ୍ଷରେ ଖେଳିଲା। କିନ୍ତୁ ଏ କଥା ଅଧିକ କାଳ ଧରି ଲୁଚି ରହିପାରିଲା ନାହିଁ। ଯଦି ବିସିସିଆଇ ବେପାର ଅପେକ୍ଷା କ୍ରିକେଟ ବାବଦରେ ଅଧିକ ଚିନ୍ତା କରୁଥାଆନ୍ତା, ତେବେ ଭାରତୀୟ ଦଳ କୌଣସି ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍‌ ନ ଖେଳି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ନ ଥାଆନ୍ତା। ଯଦି ଚୟନ କମିଟି ଟିକିଏ ଅଧିକ ବୁଦ୍ଧିମତ୍ତା ଓ ସାହସର ପରିଚୟ ଦେଇ ଥାଆନ୍ତେ, ତେବେ ଭାରତ ଏବେ ୨-୦ ପଛରେ ପଡ଼ି ନ ଥାଆନ୍ତା।

ବର୍ତ୍ତମାନ, ସଦ୍ୟ ସଦ୍ୟ ଯେତେବେଳେ କୋହଲି ଏକ ବିଶାଳ ଇନିଂସ ଖେଳିଛନ୍ତି, ସେତିକି ବେଳେ ଏଭଳି ଏକ ଆଲେଖ୍ୟ ବିରୋଧରେ କିଛି କୋହଲି ଭକ୍ତ ଆପତ୍ତି ଉଠାଇ ପାରନ୍ତି। କିନ୍ତୁ ଏହାର ଉଦ୍ଦେଶ୍ୟ ଆମମାନଙ୍କୁ ମନେ ପକାଇ ଦେବା ଯେ କୌଣସି ସ୍ଥଳରେ ବି ବ୍ୟକ୍ତିଗତ ମହାନତା ଆନୁଷ୍ଠାନିକ ଗରିମାର ରୂପ ନେବାକୁ ପ୍ରଶ୍ରୟ ନ ପାଉ। ଜଣେ ତାର ସାଧ୍ୟମତେ ଯାହା ଦେଇ ପାରିବ, କୋହଲି ସେ ସବୁ କିଛି ଦେଇ ଆମମାନଙ୍କୁ ଏ ଖେଳରେ ବାନ୍ଧି ରଖିପାରିଛନ୍ତି: କିନ୍ତୁ ଗୋଟିଏ ଦଳଗତ କ୍ରୀଡ଼ାରେ ଜଣେ ଖେଳାଳିର ବ୍ୟକ୍ତିଗତ ଶକ୍ତି କେବଳ ସେତକି ବାଟ ହିଁ ନେଇପାରିବ। ଯଦି ରାହାନେ ଦୁଇଟା ଯାକ ଟେଷ୍ଟ ଖେଳିଥାଆନ୍ତେ, ବା ଭୁବନେଶ୍ୱର କୁମାର ଏଇ ଗଲା ଟେଷ୍ଟଟି ଖେଳିଥାଆନ୍ତେ ବା ଭାରତୀୟ ଦଳ ନିଜ ମାଟିରେ ଶ୍ରୀଲଙ୍କା ସହିତ ‘ଗଳି କ୍ରିକେଟ’ ନ ଖେଳି ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଆଫ୍ରିକା ଯାଇଥାଆନ୍ତା, ତେବେ ଫଳାଫଳ ଭିନ୍ନ ପ୍ରକାରେ ହୋଇଥାଆନ୍ତା।


ବିସିସିଆଇ ଏବଂ ତାର ତାଳିମରା ତୋଷାମଦିଆମାନେ କହିପାରନ୍ତି ଯେ ଭାରତ ହେଉଛି ବିଶ୍ୱ କ୍ରିକେଟର କେନ୍ଦ୍ର। ଟଙ୍କା ପଇସା କାରବାର ଦୃଷ୍ଟିରୁ ଏହା ସତ ହୋଇପାରେ, କିନ୍ତୁ କ୍ରୀଡ଼ାର ବୈଶିଷ୍ଟ୍ୟ ଦୃଷ୍ଟିରୁ ଏଭଳି ଆଦୌ ନୁହେଁ। ବିସିସିଆଇରେ ମୁଁ ଥିବା ବେଳର ଅନୁଭୂତିରୁ ଏହି ବିମର୍ଷକର ଉପସଂହାରରେ ପହଞ୍ଚିଛି ଯେ ଭାରତରେ କ୍ରିକେଟ ପରିଚାଳନା ଯଦି ଅଧିକ ଭଲ ଭାବେ ହେଉଥାଆନ୍ତା, ତେବେ ଭାରତ କ୍ରିକେଟରେ ସିରିଜ୍‌ ପରାଜୟ ଭୋଗନ୍ତା ନାହିଁ। ଫୁଟବଲ ପାଗଳ ବ୍ରାଜିଲୀୟଙ୍କ ସଂଖ୍ୟାର ଦଶ ଗୁଣ ହେଉଛନ୍ତି କ୍ରିକେଟ ପ୍ରମତ୍ତ ଭାରତୀୟ। ବିସିସିଆଇର କୋଷାଗାର ବିପୁଳ ଭାବେ ସମୃଦ୍ଧ। ଏଭଳି ଏକ ଜନାଧାର ଏବଂ ଆର୍ଥିକ ଭିତ୍ତିଭୂମିର ଅଧିକାରୀ ଭାରତୀୟ କ୍ରିକେଟ ସଦା ବେଳେ ଏହି ଖେଳର ସବୁ ଯାକ ଫର୍ମାଟରେ ଶୀର୍ଷତମ ସ୍ଥାନରେ ରହିବା କଥା। ନିଜ ଦେଶରେ ହେଉ ବା ବିଦେଶରେ; ଭାରତ କାହିଁକି ଟେଷ୍ଟରେ ବା ଏକ ଦିବସୀୟ କ୍ରିକେଟରେ ବା ଟି ଟେ୍ଵଣ୍ଟିରେ ହାରିବ, ସେ ନେଇ ଦର୍ଶାଇଲା ଭଳି କିଛି କାରଣ ହିଁ ନାହିଁ। ଯଦି ଆଜି ଆମେ କ୍ରିକେଟ ମ୍ୟାଚ୍‌ଟିଏ ହେଉ ବା ସିରିଜ ହାରୁଛୁ, ଏତେ ବର୍ଷର ଚେଷ୍ଟା ସତ୍ତ୍ୱେ ଆମେ ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳାଟିଏ ଜିତି ପାରିନାହୁଁ, (ଯେଉଁ ଦେଶର ଲୋକ ସଂଖ୍ୟା ବୃହତ୍‌ ମୁମ୍ବାଇର ଲୋକସଂଖ୍ୟା ଠାରୁ ବି କମ୍‌), ତେବେ ବୁଝିବାକୁ ହେବ ଯେ ଆମ ଦେଶର କ୍ରିକେଟ ପରିଚାଳନାରେ କେଉଁଠି ନା କେଉଁଠି ତ୍ରୁଟି ରହିଛି।

ଭାରତୀୟ କ୍ରିକେଟକୁ ଆକ୍ରାନ୍ତ କରିଥିବା ଦୁଇ ବ୍ୟାଧି ହେଲେ ଦୁର୍ନୀତି ଓ ପ୍ରିୟାପ୍ରୀତି। ଏ ଦୁଇଟି ପରେ ଏବେ ତୃତୀୟ ବ୍ୟାଧି ରୂପେ ଯୋଡ଼ି ହୋଇଛି ଭାରତୀୟ କ୍ରିକେଟରେ ‘ସୁପର ଷ୍ଟାର ଲକ୍ଷଣ’। କୋହଲି ଜଣେ ମହାନ କ୍ରିକେଟ ଖେଳାଳି, ଜଣେ ମହାନ କ୍ୟାପଟେନ୍‌, କିନ୍ତୁ ତାଙ୍କ ଉପରେ ଆନୁଷ୍ଠାନିକ ଲଗାମର ଅଭାବ ହେତୁ ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ସେଭଳି ସଫଳତା ହାସଲ କରିପାରିବ ନାହିଁ, ଯାହା ଭାରତୀୟ କ୍ରିକେଟ ପ୍ରଶଂସକମାନେ ଚାହାନ୍ତି। ୧୯୭୦ ବେଳକୁ ଯେତେବେଳେ ଭାରତୀୟ କ୍ରିକେଟ ଦଳ େଓ୍ଵଷ୍ଟ ଇଣ୍ଡିଜ୍‌ ଏବଂ ଇଂଲଣ୍ଡରେ ପ୍ରଥମ କରି ଟେଷ୍ଟ ଶୃଙ୍ଖଳା ଜିତିଲା, ସେତିକି ବେଳେ ବିଜୟ ମର୍ଚ୍ଚାଣ୍ଟ ଥିଲେ ଭାରତୀୟ ଚୟନ କମିଟିର ଚେୟାରମ୍ୟାନ। ପରବର୍ତ୍ତୀ କାଳରେ ଭାରତ ନିଜ ଦେଶରେ ନିୟମିତ ଭାବେ ସିରିଜ୍‌ ଜିତିବାକୁ ଲାଗିଲା ସେତିକି ବେଳେ ଚେୟାରମ୍ୟାନ ବା ଅଧ୍ୟକ୍ଷ ଥିଲେ ଜିଆର ବିଶ୍ୱନାଥ ଓ ଦିଲ୍ଲୀପ ଭେଙ୍ଗସରକାର। ସେମାନଙ୍କ କ୍ରିକେଟୀୟ ସାଫଲ୍ୟ ଆଜିକାଲିର ଖେଳାଳିମାନଙ୍କ ସମକକ୍ଷ ଥିଲା। ଅପର ପକ୍ଷରେ ଆଜି ଯେଉଁମାନେ ଚୟନକର୍ତ୍ତା ଅଛନ୍ତି ସେମାନେ ମାତ୍ର ହାତ ଗଣତି କିଛି ଟେଷ୍ଟ ଖେଳିଛନ୍ତି। ରବି ଶାସ୍ତ୍ରୀ ଅଧିକ ଖେଳିଛନ୍ତି ସତ, କିନ୍ତୁ ସେ ଜଣେ ମହାନ କ୍ରିକେଟ ଖେଳାଳି ଭାବେ ଗଣାହେବେ ନାହିଁ ଏବଂ ଭାରତୀୟ କ୍ୟାପ୍‌ଟେନଙ୍କ ପ୍ରତି ତାଙ୍କ ବଶମ୍ବଦତା ବେଶ୍‌ ସ୍ପଷ୍ଟ।

***

ଏବେ ଭାରତୀୟ କ୍ରିକେଟ୍‌ର ଚୟନକର୍ତ୍ତା, କୋଚିଂ ଦଳର ସଦସ୍ୟ ଏବଂ ପରିଚାଳକ ବୃନ୍ଦ; ସମସ୍ତେ ବିରାଟ କୋହଲିଙ୍କ ସାମନାରେ ପିଗ୍‌ମି ଭଳି ଖର୍ବକାୟ ଦିଶୁଛନ୍ତି। କିନ୍ତୁ ଏଭଳି ସ୍ଥିତି ବଦଳିବା ଦରକାର। ଅତ୍ୟନ୍ତ ସଫଳ କ୍ରିକେଟର୍‌ମାନେ ହିଁ ଚୟନ କମିଟିର ସଦସ୍ୟ ହେବା ଆବଶ୍ୟକ, ଯେମିତି ଆଗରୁ ହେଉଥିଲା। ଯଦି ଦରକାର ପଡ଼େ, ତେବେ କୋହଲିଙ୍କୁ ରୋକିବା ଲାଗି ସେମାନଙ୍କ ପାଖରେ ସାହସ ଓ ବୁଦ୍ଧିମାନୀ ଥିବା ଦରକାର। ଯେମିତି କୁମ୍ବଲେଙ୍କ ଥିଲା ଏବଂ ସେ କୁଳଦୀପ ସିଂହଙ୍କୁ ନେଇଥିବାରୁ ଭାରତ ଗୋଟିଏ ଟେଷ୍ଟ ଏବଂ ସିରିଜ ଜିତିଥିଲା। ଏବଂ ନିଜ ଅହଂକାର ବା ଅର୍ଥ ଲାଭକୁ ଗୁରୁତ୍ୱ ନ ଦେଇ ଆମ କ୍ରିକେଟ ପରିଚାଳକମାନେ ଏଭଳି ଗସ୍ତ ନିର୍ଘଣ୍ଟ ପ୍ରସ୍ତୁତ କରିବା ଦରକାର ଯେମିତି ବିଦେଶ ଭୂଇଁରେ ଭାରତୀୟ କ୍ରିକେଟ ଦଳର ଜିତିବାର ସମ୍ଭାବନା ବଢ଼ିବ। ଦକ୍ଷିଣ ଆଫ୍ରିକାକୁ ଏକ ପରିବର୍ଦ୍ଧିତ ଗସ୍ତରେ ଯିବା ଲାଗି ଭାରତୀୟ କ୍ରିକେଟ ଦଳକୁ ବିସିସିଆଇ ମନା କରିଦେବା ପଛରେ ଥିବା କାରଣଟି ହେଉଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପ୍ରତି ଭାରତୀୟ କ୍ରିକେଟ ବୋର୍ଡ ପୋଷଣ କରୁଥିବା ମନୋମାଳିନ୍ୟ।

ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଆମେ ନିୟମିତ ଭାବେ ସିରିଜ ଜିତି ପାରିବା, ଅଷ୍ଟ୍ରେଲିଆରେ ବି ସେମନ୍ତ ପ୍ରଦର୍ଶନ କରିପାରିବା, ତେବେ ଯାଇ ଆମେ କହିପାରିବା ଯେ ଆମେ ହେଉଛୁ ବିଶ୍ୱ କ୍ରିକେଟର ମାଷ୍ଟର। ସୁଖର କଥା, ଆମ ପାଖରେ ସେଭଳି ଉପଲବ୍‌ଧି ହାସଲ କରିବାକୁ ଦଳଟିଏ ଅଛି ଏବଂ ଦଳର କାପ୍ତାନ ବି ଅଛନ୍ତି। ତେବେ କ୍ୟାପଟେନଙ୍କ ଠାରେ ଥିବା କର୍ତ୍ତା ଭାବ ଓ ଟାଣପଣ, ଯାହା ତାଙ୍କ ବ୍ୟକ୍ତିଗତ ସଫଳତା ଲାଗି ଅତି ଗୁରୁତ୍ୱପୂର୍ଣ୍ଣ, ଯଦି ଦରକାର ପଡ଼ିଲେ ନମନୀୟ ଏବଂ ସୁପରିଚାଳିତ ହୋଇପାରିଲା, ତେବେ ତାହା ଆନୁଷ୍ଠାନିକ ସଫଳତାକୁ ମଧ୍ୟ ରୂପ ଦେଇପାରିବ। ବିରାଟ କୋହଲିଙ୍କୁ ଏବେ ମାତ୍ର ୨୯ ବର୍ଷ ବୟସ। ସେ ନିଶ୍ଚିତ ଭାବେ ଆଗକୁ ଭାରତୀୟ ଦଳର ନେତୃତ୍ୱ ନେଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଏକାଧିକ ଅଷ୍ଟ୍ରେଲିଆ ଟୁର ମଧ୍ୟ କରିବେ। ଦୁଇ ବର୍ଷ ପୂର୍ବରୁ ସେ ମୋର ବ୍ୟକ୍ତିଗତ ସର୍ବକାଳୀନ ଭାରତୀୟ ଏକାଦଶରେ ସ୍ଥାନ ପାଇଥିଲେ। ମୋ ଇଚ୍ଛା, ଆଶା ଏବଂ କାମନା ଯେ ବିରାଟ କୋହଲି ତାଙ୍କ କ୍ୟାରିଅର ସାରିଲା ବେଳକୁ ମୋର ସର୍ବକାଳୀନ ଭାରତୀୟ ଏକାଦଶର କ୍ୟାପ୍‌ଟେନ୍‌ ସ୍ଥାନରେ ଥାଆନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.