ଅଲିମ୍ପିକ୍ସ ହକି ଦଳରେ ବୀରେନ୍ଦ୍ର ଓ ଅମିତ୍‌

ଟୋକିଓରେ ଅଲିମ୍ପିକ୍ସ ପଦାର୍ପଣ କରିବେ ୧୦

ବେଙ୍ଗାଲୁରୁ/ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ ଲାଗି ଭାରତୀୟ ମହିଳା ହକି ଦଳ ଘୋଷଣାର ପରଦିନ ପୁରୁଷ ହକି ଦଳ ଚୟନ କରାଯାଇଛି। ଏହି ଦଳରେ ଓଡ଼ିଶାର ଦୁଇ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ଅମିତଙ୍କ ଅଲିମ୍ପିକ୍ସ ପଦାର୍ପଣ ସ୍ବପ୍ନ ସାକାର ହେବାକୁ ଯାଉଥିବା ବେଳେ ବୀରେନ୍ଦ୍ର ଦ୍ବିତୀୟ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବ‌ୀରେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସ ବେଳକୁ ଆହତ କାରଣରୁ ବଞ୍ଚିତ ରହିଥିଲେ। ଅନ୍ୟପକ୍ଷରେ ୨୦୧୮ ବିଶ୍ବକପ୍‌ ପରେ ଅମିତ ଆଉ ଏକ ବଡ଼ ପ୍ରତିଯୋଗିତାର ସ‌ୁଯୋଗ ପାଇଛନ୍ତି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଅମିତଙ୍କ ସହ ମୋଟ ୧୦ ଜଣ ପୁରୁଷ ହକି ଖେଳାଳି ଟୋକିଓରେ ଅଲିମ୍ପିକ୍ସ ପଦାର୍ପଣ ସୁଯୋଗ ପାଇଛନ୍ତି। ଅମିତଙ୍କ ବ୍ୟତୀତ ଅନ୍ୟ ୯ ଜଣ ହେଲେ ହାର୍ଦିକ ସିଂହ,‌ ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ସୁମିତ୍‌, ସାମସେଦର୍‌ ସିଂହ, ଦୀଲପ୍ରୀତ୍‌ ସିଂହ, ଗୁରଜାଣ୍ଟ୍‌ ସିଂହ ଏବଂ ଲଳିତ ଉପାଧ୍ୟାୟ। ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୬ ଜଣିଆ ଦଳରେ ପୂର୍ବତନ ଅଧିନାୟକ ପିଆର୍ ଶ୍ରୀଜେଶଙ୍କ ସହିତ ମନପ୍ରୀତ୍ ସିଂହ, ହର୍ମନପ୍ରୀତ୍ ସିଂହ, ରୂପୀନ୍ଦର ପାଲ୍ ସିଂହ, ସୁରେନ୍ଦର କୁମାର, ମନଦୀପ୍ ସିଂହ, ବୀରେନ୍ଦ୍ର ଲାକ୍ରା ପ୍ରମୁଖ ପ୍ରମୁଖ ରହିଛନ୍ତି। ଜଣେ ‌ମାତ୍ର ଗୋଲରକ୍ଷକ ପିଆର ଶ୍ରୀଜେଶଙ୍କୁ ନିଆଯାଇଥିବା ବେଳେ ଦଳର ଆଭ୍ୟନ୍ତରୀଣ ଅଙ୍ଗ ପାଲଟିଥିବା କ୍ରିଷନ ବାହାଦୂର ପାଠକ ଅଲିମ୍ପିକ୍ ଟିକେଟରୁ ବଞ୍ଚିତ ହୋଇଛନ୍ତି। ଦଳରେ ୫ ଜଣ ଲେଖାଏଁ ଡିଫେଣ୍ଡର, ମିଡଫିଲ୍ଡର ଏବଂ ଫରୱାର୍ଡସଙ୍କୁ ନିଆଯାଇଛି। ଅନ୍ୟ ପ୍ରମୁଖ ବଞ୍ଚିତ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଷ୍ଟ୍ରାଇକର୍‌ ଆକାଶଦୀପ୍ ସିଂହ ଏବଂ ରମଣଦୀପ୍ ସିଂହ। ଏହି ଦୁଇ ଜଣ ରିଓ ଅଲିମ୍ପିକ୍ସରେ ଖେଳିଥିଲେ।

ମନପ୍ରୀତ୍ ସିଂହ ବିଗତ କିଛି ବର୍ଷ ହେବ ଅଧିନାୟକ ରହିଥିଲେ ମଧ୍ୟ ହକି ଇଣ୍ଡିଆ ଟୋକିଓ ଅଲିମ୍ପିକ୍ସ ଦଳ ଲାଗି ନେତୃତ୍ବ ଚୟନ କରିନାହିଁ। କିନ୍ତୁ ଅଭିଜ୍ଞ ମିଡଫିଲ୍ଡର ମନପ୍ରୀତ୍ ‌ଅଧିନାୟକତ୍ବ ଭାର ସମ୍ଭାଳିବା ସମ୍ଭାବନା ରହିଛି। ‘‘ଏତେ କ୍ବାଲିଟି ଖେଳାଳି ଓ ଅଶାୟୀଙ୍କ ମଧ୍ୟରୁ ୧୬ ଜଣ ବାଛିବାର ପ୍ରକ୍ରିୟା ସହଜ ନଥିଲା। ଖେଳାଳିମାନେ ସର୍ବୋଚ୍ଚ ସ୍ତରରେ ରହିଛନ୍ତି ଏବଂ ଏକାଠି ପରିଶ୍ରମ କରିଛନ୍ତି’ ବୋଲି କହିଥିଲେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌। ଦେଶ ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବାର ମହତ୍ବ କେତେ ସେମାନଙ୍କୁ ଜଣାଅଛି। ଆମେ ଏବେ ସମାନ ଗଭୀରତା ସହ ତାଲିମ ଉପରେ ଏକାଗ୍ର ରହିବୁ। ଟୋକିଓରେ ଏକାଠି ହୋଇ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଆମ ଲକ୍ଷ୍ୟ’ ବୋଲି ସେ କହିଥିଲେ।

ଭାରତୀୟ ପୁରୁଷ ଦଳକୁ ଶୁଭେଚ୍ଛା ଜଣାଇବା ଅବସରରେ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍ବମ କହିଛନ୍ତି ‘ନିକଟରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ବିପକ୍ଷ ଏଫଆଇଏଚ୍‌ ପ୍ରୋ ଲିଗ୍ ପ୍ରଦର୍ଶନ ପ୍ରମାଣିତ କରିଛି ଦଳ ଠିକଣା ଦିଶାରେ ରହିଛି। ସମସ୍ତଙ୍କୁ ଶୁଭକାମନା ଜଣାଉଛି’। ଭାରତୀୟ ହକି ଦଳ ଅଲିମ୍ପିକ୍ସ ଇତିହାସରେ ସର୍ବାଧିକ ୮ ଥର ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ୪୧ ବର୍ଷ ଧରି ଏହାକୁ ଦୋହରାଇ ପାରିନାହିଁ। ଶେଷ ଥର ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପୁରୁଷ ହକି ସ୍ବର୍ଣ୍ଣ ପଦକ ଜିତିଥିଲା।।

ଭାରତୀୟ ଦଳ ଏଥର ପୁଲ୍‌ ‘ଏ’ରେ ବିଶ୍ବର ଏକ ନମ୍ବର ଅଷ୍ଟ୍ରେଲିଆ ବ୍ୟତୀତ ନ୍ୟୁଜିଲାଣ୍ଡ୍‌, ସ୍ପେନ୍‌ ଓ ଆୟୋଜକ ଜାପାନ ସହିତ ରହିଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ହକି ପ୍ରତିଯୋଗିତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ସମ୍ପନ୍ନ ହେବ।

ଭାରତୀୟ ପୁରୁଷ ଦଳ: ଗୋଲରକ୍ଷକ-ପିଆର୍ ଶ୍ରୀଜେଶ, ରକ୍ଷଣଭାଗ-ହର୍ମନପ୍ରୀତ୍ ସିଂହ, ରୂପୀନ୍ଦର ପାଲ୍ ସିଂହ, ସୁରେନ୍ଦର କୁମାର, ଅମିତ୍‌ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ମଧ୍ୟଭାଗ-ହାର୍ଦିକ ସିଂହ, ମନପ୍ରୀତ୍ ସିଂହ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ସୁମିତ୍, ଅଗ୍ରଭାଗ-ସାମସେର ସିଂହ, ଦୀଲପ୍ରୀତ୍ ସିଂହ, ଗୁରଜାଣ୍ଟ୍ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ୍ ସିଂହ।

ସମ୍ବନ୍ଧିତ ଖବର