ମାଇଲଖୁଣ୍ଟ ଛୁଇଁଲେ ବୀରେନ୍ଦ୍ର ଓ ଅମିତ

ଅଲିମ୍ପିକ୍ସରେ ଦ୍ବିଶତକ ପୂରଣ କରିବା ଆତ୍ମସନ୍ତୋଷ ଦେଇଛି: ବୀରେନ୍ଦ୍ର

ଟୋକିଓ ଅଲିମ୍ପିକ୍ସର ମଙ୍ଗଳବାର ସ୍ପେନ୍ ବିପକ୍ଷ ମ୍ୟାଚ୍‌ରେ ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ନିଜ ନିଜର ମାଇଲଖୁଣ୍ଟ ମ୍ୟାଚ୍ ଖେଳିଛନ୍ତି। ୩୧ ବର୍ଷୀୟ ଅଭିଜ୍ଞ ରକ୍ଷଣଭାଗ ଖେଳାଳୀ ବୀରେନ୍ଦ୍ରଙ୍କର ଏହା ଦ୍ବିଶତକୀୟ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଥିଲା। ସେହିଭଳି ୨୮ ବର୍ଷୀୟ ଅମିତ ନିଜର ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବୀରେନ୍ଦ୍ର ଓ ଅମିତଙ୍କ ଏହି ସଫଳତା ପାଇଁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ହକି ଇଣ୍ଡିଆ ଓ ସାଥୀ ଖେଳାଳିଙ୍କ ସହ ସେମାନଙ୍କ ପ୍ରଶଂସକ ଓ ଓଡ଼ିଶା ହକିପ୍ରେମୀ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ସଂପ୍ରତି ଭାରତୀୟ ହକି ଦଳର ଉପଅଧିନାୟକ ଥିବା ବୀରେନ୍ଦ୍ର ୨୦୧୦ ମସିହାର ଦକ୍ଷିଣ ଏସୀୟ କ୍ରୀଡ଼ାରେ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେବେଠାରୁ ସେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା‌ରେ ଭାରତର ପ୍ରତିନିଧିତ୍ବ କରି ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ।

୨୦୧୫ରେ ଭାରତୀୟ ହକି ଦଳ ବିଶ୍ବ ହକି ଲିଗ୍ ଫାଇନାଲ୍‌ରେ କାଂସ୍ୟ ପଦକ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ‌ରୌପ୍ୟ ପଦକ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏହି ଓଡ଼ିଆ ପୁଅ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ ଜିତିଥିବା ଭାରତୀୟ ଦଳର ମଧ୍ୟ ସେ ଅନ୍ୟତମ ପୁରୁଖା ସଦସ୍ୟ ଥିଲେ। ରାଉରକେଲାର ସେଲ୍ ହକି ଏକାଡେମିରୁ ଖେଳ ଜୀବନ ଆରମ୍ଭ କରିଥିବା ବୀରେନ୍ଦ୍ର କନିଷ୍ଠସ୍ତରୀୟ ହକିରେ ମଧ୍ୟ ଅନେକ ଚମତ୍କାର ଦେଖାଇଥିଲେ। ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଖେଳିଥିଲେ। ତେବେ ଆ‌ଘାତପ୍ରାପ୍ତ ହୋଇ ୨୦୧୬ ରିଓ ଅଲିମ୍ପିକ୍ସରୁ ବାଦ ପଡ଼ିଥିଲେ।

ଅନ୍ୟପକ୍ଷରେ ଓଡ଼ିଶାର ପ୍ରଥମ ଅଣଆଦିବାସୀ ପୁରୁଷ ହକି ଖେଳାଳି ଭାବେ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଲାଭ କରିଥିବା ୨୮ ବର୍ଷୀୟ ଅମିତ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ର ସୌନାମରା ଗାଁରୁ ଯାଇ ବିଶ୍ବ ଦରବାରରେ ନିଜକୁ ସ୍ଥାପିତ କରିପାରିଛନ୍ତି। ଓଡ଼ିଶାର ଏହି ସୁଯୋଗ୍ୟ ହକି ତାରକା ୨୦୧୩ ମସିହାର ସୁଲତାନ ଅଜଲାନ ସାହ ହକି ପ୍ରତିଯୋଗିତାରେ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ହକି ଜୀବନ ଆରମ୍ଭ କରିଥିଲେ। ୨୦୧୩ ଏସିଆ କପ୍‌ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ସେ। ୨୦୧୪ ବିଶ୍ବ ଲିଗ୍‌ ଫାଇନାଲ୍ ବି ଖେଳିଥିଲେ। ପାନପୋଷ କ୍ରୀଡ଼ା ଛାତ୍ରାବାସର ଏହି ସଫଳ ହକି ନାୟକ ୨୦୧୭ ହକି ବିଶ୍ବ ଲିଗ୍ କାଂସ୍ୟ, ୨୦୧୮ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ‌ସେ ମଧ୍ୟ ଭୁବନେଶ୍ବରରେ ଖେଳାଯାଇଥିବା ୨୦୧୮ ହକି ବିଶ୍ବକପ୍‌ରେ ସାମିଲ ଥିଲେ।

ଅଲିମ୍ପିକ୍ସରେ ଦ୍ବିଶତକ ପୂରଣ କରିବା ଆତ୍ମସନ୍ତୋଷ ଦେଇଛି: ବୀରେନ୍ଦ୍ର
ଭାବନାକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ହେଉନି: ଅମିତ

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଅବସରରେ ଦ୍ବିଶତକୀୟ ଏବଂ ଶତକୀୟ ମ୍ୟାଚ୍ ଖେଳିବା ନେଇ ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ‌ ରୋହିଦାସ ବେଶ୍ ଉଲ୍ଲସିତ ଅଛନ୍ତି। ‘‘ ଅଲିମ୍ପିକ୍ସରେ ଦ୍ବିଶତକୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ମୋତେ ଆତ୍ମସନ୍ତୋଷ ଓ ଖୁସି ଦେଇଛି। ମୋ ପରିବାର, ସାଥୀ ଖେଳାଳି ଓ ହକି ଇଣ୍ଡିଆର ସହଯୋଗ ବିନା ମୁଁ ଏହି ମାଇଲଖୁଣ୍ଟ ଛୁଇଁ ପାରି ନଥା’ନ୍ତି। ମୋ ଚମତ୍କାର ଯାତ୍ରାରେ ସାମିଲ ଥିବା ସମସ୍ତ ଶୁଭେଚ୍ଛୁଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି। ମୋ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଘରୋଇ ପ୍ରଶଂସକଙ୍କୁ ପଦକ ଉପହାର ଦେବାକୁ ଲକ୍ଷ୍ୟ ରଖିଛି’’ ବୋଲି ବୀରେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଅମିତ କହିଥିଲେ ଯେ ଏହା ମୋ ଓ ମୋ ପରିବାର ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ। ୧୦୦ତମ ମ୍ୟାଚ୍ ଖେଳିବା ପରେ ମୋ ଖୁସି ଓ ଭାବନାକୁ ଶବ୍ଦରେ ପରିପ୍ରକାଶ କରିବା ସମ୍ଭବ ହେଉନି। ଆମେ ଏବେ ଏକ ସ୍ବତନ୍ତ୍ର ଅଭିଯାନରେ ଅଛୁ। ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଶଂସକଙ୍କୁ ଗର୍ବିତ କରିବାକୁ ଲକ୍ଷ୍ୟ ରଖିଛି। ଉଭୟ ବୀରେନ୍ଦ୍ର ଓ ଅମିତଙ୍କୁ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମବମ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର