ଅବସରରୁ ଫେରିଲେ ବୀରେନ୍ଦ୍ର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମ୍ଭାବ୍ୟ ଦଳରେ ସ୍ଥାନ ପାଇଲେ

ଭାରତୀୟ ମହିଳା ‘ଏ’ ଦଳରେ ଓଡ଼ିଶାରୁ ୫

ଭୁବନେଶ୍ବର: ଏକ ନାଟକୀୟ ଘଟଣାକ୍ରମେ ଅବସର ଘୋଷଣାର ମାତ୍ର ୫ ମାସ ପରେ ଓଡ଼ିଶା ତାରକା ବୀରେନ୍ଦ୍ର ଲାକ୍ରା ପୁଣି ଥରେ ହକି ଟର୍ଫକୁ ଫେରିଛନ୍ତି। ଇଂଲଣ୍ଡର ବର୍ମିଂହାମଠାରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଶନିବାର ଘୋଷିତ ଭାରତୀୟ ୩୩ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି ସେ। ୩୧ ବର୍ଷୀୟ ବୀରେନ୍ଦ୍ର ‌ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଭାରତୀୟ ସମ୍ଭାବ୍ୟ ଦଳରୁ ବାଦ ପଡ଼ିଥିବା ଜାଣିବା ପରେ ଅବସର ଘୋଷଣା କରିଥିଲେ। ହକି ଇଣ୍ଡିଆ ମଧ୍ୟ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏକଥା ଜଣାଇଥିଲା। ହେଲେ ସେହି ହକି ଇଣ୍ଡିଆ ପୁଣି ଥରେ ବୀରେନ୍ଦ୍ରଙ୍କୁ ଭାରତୀୟ ଦଳରେ ସାମିଲ କରିଛି। ବୀରେନ୍ଦ୍ର ଭାରତ ପକ୍ଷରୁ ୨୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଏକଦା ସେ ଭାରତୀୟ ହକି ଦଳର ରକ୍ଷାପ୍ରାଚୀର ଥିଲେ।

ଡ୍ରାଗ୍ ଫ୍ଲିକର ରୂପୀନ୍ଦର ପାଲ ସିଂହ ଏବଂ ଅଗ୍ରଭାଗ ଖେଳାଳି ଏସ୍‌ଭି ସୁନିଲ ମଧ୍ୟ ଅବସରରୁ ବାହରି ରାଜ୍ୟଗୋଷ୍ଠୀ ଦଳରେ ସ୍ଥାନ ପାଇଛନ୍ତି। ଅବଶ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ୟାରିସ ଅଲିମ୍ପିକ୍ସ ଏବଂ ହାଙ୍ଗଝୁ ଏସୀୟ କ୍ରୀଡ଼ାର ପାଖାପାଖି ଖେଳାଯିବାର ଥିବାରୁ ଏହି ପ୍ରତିଯୋଗିତାକୁ ଭାରତୀୟ ‘ଏ’ ଦଳ ପଠାଇବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଆଉ ଏହି ଭାରତୀୟ ‘ଏ’ ଦଳରେ ବୀରେନ୍ଦ୍ର, ରୂପୀନ୍ଦର ଏବଂ ସୁନିଲ ସ୍ଥାନ ପାଇଛନ୍ତି। ପୁରୁଷଙ୍କ ଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତର ଦ୍ବିତୀୟ ଶ୍ରେଣୀୟ ଦଳ ଅର୍ଥାତ୍ ଭାରତୀୟ ଏ’ ଦଳ ଖେଳିବ। ଭାରତୀୟ ପୁରୁଷ ‘ଏ’ ଦଳରେ ଓଡ଼ିଶାର ସାହିଲ କୁମାର ନାୟକ, ଅଭିଷେକ ଲାକ୍ରା, ନବିନ କୁଜୁର, ଗ୍ରେଗୋରି ଖେସ୍, ରାହୁଲ ଏକ୍କା ମଧ୍ୟ ସ୍ଥାନ ପାଇଛନ୍ତି। ସେହିଭଳି ଭାରତୀୟ ‘ଏ’ ମହିଳା ଦଳରେ ପ୍ରେମାଞ୍ଜଳି ଟପ୍ପୋ, ଖୁସବୁ କୁଜୁର, ଦୀପ୍ତି ଲାକ୍ରା, ଜୀବନକିଶୋରୀ ଟପ୍ପୋ ଓ ରିଙ୍କି କୁଜୁର ମଧ୍ୟ ସ୍ଥାନ ପାଇଛନ୍ତି। ଏହି ଖେଳାଳିମାନେ ଅଲିମ୍ପିଆନ୍‌ ଲାଜରୁସ ବାର୍ଲାଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସନ୍ଦୀପ ସିଂହ ଭାରତ ପୁରୁଷ ‘ଏ’ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲା ବେଳେ ପୂର୍ବତନ ଅଗ୍ରଭାଗ ଖେଳାଳି ଦୀପକ ଠାକୁର ଭାରତୀୟ ମହିଳା ‘ଏ’ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର