ରାଉରକେଲା: ଏଇ ଜାନୁଆରି ୫ ତାରିଖରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ହକି ବିଶ୍ୱକପ ପାଇଁ ତିଆରି ହୋଇଥିବା ଆକର୍ଷଣୀୟ, ଅତ୍ୟାଧୁନିକ ଓ ବିଶାଳ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମକୁ ‘‘ଭାରତକୁ ଓଡ଼ିଶାର ଏକ ଉପହାର ବୋଲି କହିଥିଲେ। ଏହା ସହିତ ସେ ଖେଳାଳିଙ୍କ ରହିବା ପାଇଁ ଏକ ଅନ୍ତର୍ଜାତୀୟସ୍ତରର ଅତ୍ୟାଧୁନିକ ଅତିଥି ଭବନକୁ ମଧ୍ୟ ଉଦ୍ଘାଟନ କରିଥିଲେ। କେବଳ ସେତିକି ନୁହେଁ, ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ୱର୍ଣ୍ଣ ପଦକ ଜିତିଲେ ଦଳର ପ୍ରତି ଖେଳାଳିଙ୍କୁ ଏକ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବ। ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କର ଏଇ ଘୋଷଣା ଭାରତୀୟ ଖେଳାଳିମାନଙ୍କର ମନୋବଳକୁ ଆହୁରି ବଢାଇଥିବ। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ଦଳର ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଏ, ଏହା ତର୍କର ବିଷୟ। ତେବେ ଏକଥା ସତ ଯେ ବିଜୟ ସବୁବେଳେ ଖେଳାଳିଙ୍କ କୌଶଳ, ଦକ୍ଷତା ଓ ଦଳଗତ ସାମଞ୍ଜସ୍ୟ ଉପରେ ନିର୍ଭର କରେ। ଖେଳାଳିମାନେ ଜାଣନ୍ତି, ଧନ ଅପେକ୍ଷା ପଦକ ଅଧିକ ଗୁରୁତ୍ୱପୂର୍ଣ୍ଣ। ପଦକ ଜିତିଲେ ଧନ ଆପେ ଆପେ ଆସିବ।
ତେଣୁ ଏଇଠି ପ୍ରଶ୍ନ ଉଠେ, ଭାରତୀୟ ଦଳ ବିଶ୍ୱକପ ଜିତିବାର କେତେ ସମ୍ଭାବନା ଅଛି? ଇତିହାସ କହୁଛି, ଏଯାଏ ଅନୁଷ୍ଠିତ ହୋଇଥିବା ବିଶ୍ବକପ୍ର ୧୪ଟି ସଂସ୍କରଣରେ ଭାରତ କେବଳ ଥରେ (୧୯୭୫) ସ୍ୱର୍ଣ୍ଣ କପ ଜିତିବାରେ ସମର୍ଥ ହୋଇଛି। ୧୯୭୫ ପରେ ଭାରତୀୟ ଦଳ କୌଣସି ପଦକ ତ ଦୂରର କଥା, ସେମିଫାଇନାଲରେ ମଧ୍ୟ ସ୍ଥାନ ପାଇବାରେ ବିଫଳ ହୋଇଛି। ନିଜ ମାଟିରେ ନିଜ ଦର୍ଶକଙ୍କ ସମ୍ମୁଖରେ ଘରୋଇ ଦଳ ପ୍ରାୟତଃ ଭଲ ପ୍ରଦର୍ଶନ କରନ୍ତି। ତେବେ ଭାରତ ଏହା ପୂର୍ବରୁ ୩ଥର ୧୯୮୨ (ମୁମ୍ବାଇ), ୨୦୧୦ (ଦିଲ୍ଲୀ) ଓ ୨୦୧୮ (ଭୁବନେଶ୍ୱର)ରେ ବିଶ୍ୱକପ ହକିର ଆୟୋଜନ କରିଛି। କିନ୍ତୁ ପଦକ ଜିତି ପାରିନାହିଁ। ଗତ ବିଶ୍ୱକପରେ ଭାରତ କ୍ବାର୍ଟର ଫାଇନାଲରୁ ବିଦାୟ ନେଇଥିଲା।
ତେବେ ଖେଳରେ ବିଜୟ ବା ପରାଜୟର ରୀତି ଯେ ଅପରିବର୍ତିତ ରହିଥିବ, ସେମିତି କିଛି ନିୟମ ନାହିଁ। ଏଥର ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ପଦକ ହାତେଇବା ପାଇଁ ପ୍ରସ୍ତୁତ ହୋଇଛି। ଏଥରର ୧୮ ଜଣିଆ ଦଳ ଉପରେ ନଜର ପକେଇଲେ, କୁହା ଯାଇପାରେ ଯେ ଦଳରେ ଅନୁଭବ ଓ ଯୁବ ଉତ୍ସାହର ମିଶ୍ରଣ ଅଛି। ଦଳରେ ପି ଆର ଶ୍ରୀଜେଶଙ୍କ ଭଲି ଅଭିଜ୍ଞ ଖେଳାଳିଙ୍କ ସହ ବିବେକ ସାଗର ପ୍ରସାଦ, ଅଭିଷେକ ଓ ସୁଖଜିତ ସିଂହଙ୍କ ଭଳି ଯୁବ ଖେଳାଳି ଅଛନ୍ତି। ବିଶେଷଜ୍ଞମାନଙ୍କ ମତରେ, ଏ ଦଳ ପଦକ ଜିତିବାରେ ସମର୍ଥ। ତେବେ ଭାରତ ସହିତ ଏଥର ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଜର୍ମାନୀ ମଧ୍ୟ ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର ଅଛନ୍ତି। ପୁଣି ସ୍ପେନ ଓ ଆର୍ଜେଣ୍ଟିନା ସବୁବେଳେ ଅକସ୍ମାତ କୌଣସି ବଡ଼ ଓଲଟପଲଟ କରି ପାରନ୍ତି।
୨୦୨୧ରେ ଟୋକିଓ ଅଲିମ୍ପିକରେ ଭାରତ ୪୧ ବର୍ଷ ପରେ କାଂସ୍ୟ ପଦକ ହାସିଲ କରିବା ପରେ ଆମ ଦଳରେ ନୂତନ ଉତ୍ସାହ ଦେଖା ଦେଇଛି। ତାପରେ ଭାରତ ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ ସମସ୍ତ ଦଳକୁ କୌଣସି ନା କୌଣସି ମ୍ୟାଚରେ ପରାସ୍ତ କରିଛି। କିନ୍ତୁ ଅଷ୍ଟ୍ରେଲିଆ ଏବେବି ମୁଣ୍ଡବ୍ୟଥାର କାରଣ ହୋଇ ରହିଛି। ୫ ମାସ ତଳେ ବମିଂହାମ୍ ରାଷ୍ଟ୍ରଗୋଷ୍ଠୀ ଖେଳରେ ଅଷ୍ଟ୍ରେଲିଆ ନିକଟରୁ ଲଜ୍ଜାଜନକ ପରାଜୟ ଏବେ ସୁଦ୍ଧା ଭାରତୀୟ ହକିପ୍ରେମୀଙ୍କୁ କଷ୍ଟ ଦେଉଛି।
ଦ୍ୱିତୀୟରେ ୟୁରୋପୀୟ ଦଳଗୁଡିକ ଅଲିମ୍ପିକ ଓ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ସ୍ତରକୁ ନୂଆ ଉଚ୍ଚତାକୁ ନେଇ ଯାଆନ୍ତି। ଅନ୍ୟ ପଟେ, ଭାରତ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଚାପ ବଶବର୍ତ୍ତୀ ହୋଇ ସୁଯୋଗ ହରାଇବାର କମ୍ ଉଦାହରଣ ନାହିଁ। ଦଳରେ ହରମନପ୍ରୀତ ସିଂହଙ୍କୁ ଛାଡ଼ିଦେଲେ ଦ୍ବିତୀୟ ଡ୍ରାଗ୍ଫ୍ଲିକର୍ ନାହାନ୍ତି। ହରମନପ୍ରୀତ ଅସଫଳ ହେଲେ ବରୁଣ କୁମାର ଓ ଅମିତ ରୋହିଦାସଙ୍କ ଉପରେ ଦଳ ନିର୍ଭର କରିବ। ଏହି ସମୟରେ ଯୁଗରାଜ ସିଂହଙ୍କ ଅଭାବ ଅନୁଭୁତ ହୋଇପାରେ! ସେହିପରି ଫରୱାର୍ଡରେ ଦଳ ମନଦୀପ ସିଂହଙ୍କ ଉପରେ ନିର୍ଭର କରିବ। ସେ କାମ ପାଇଁ ଅଭିଷେକ ଓ ସୁଖଜିତ ଯୁବ ପ୍ରତିଭାବାନ ମଧ୍ୟ ଅଛନ୍ତି। କିନ୍ତୁ ପ୍ରେସର୍ ମ୍ୟାଚ୍ରେ ଗୁରଜାଣ୍ଟ ସିଂହ ଓ ସମସେର ସିଂହ ମନେ ପଡି ପାରନ୍ତି। ହକି ବିଶେଷଜ୍ଞମାନେ କହୁଛନ୍ତି, ଭାରତ ସମେତ ଏଥରର ଶ୍ରେଷ୍ଠ ପାଞ୍ଚ ଦଳରେ ଅଧିକ ପାର୍ଥକ୍ୟ ନାହିଁ। ମ୍ୟାଚ୍ ଦିନ ଯେଉଁ ଦଳ ମିଳିଥିବା ସୁଯୋଗର ଲାଭ ଉଠାଇ ପାରିବ, ସେହି ଦଳ ବିଜୟୀ ହେବ। ଦଳର ଜଣେ ବରିଷ୍ଠ ସଦସ୍ୟ କହନ୍ତି, ‘‘ ଆମର ପ୍ରଥମ ଲକ୍ଷ୍ୟ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବା। ତାପରେ ଆମେ ପରବର୍ତ୍ତୀ ମ୍ୟାଚ୍ ବିଷୟରେ ଚିନ୍ତା କରିବୁ। ୪୧ ବର୍ଷ ପରେ ଭାରତ ଟୋକିଓ ଅଲିମ୍ପିକରେ ପଦକ ଜିତିଲା। ତେଣୁ ହରମନପ୍ରୀତ ସିଂହଙ୍କ ସେନା ୪୮ ବର୍ଷ ପରେ ବିଶ୍ୱକପରେ ଘରୋଇ ପଡ଼ିଆରେ ସେହି ପ୍ରଦର୍ଶନକୁ ଦୋହରାଇ ପଦକ ଆଣି ପାରିବେ ବୋଲି ସମସ୍ତେ ଆଶା କରନ୍ତି।