ପୁରୀ: ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ନୀତି ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ସୁସଜ୍ଜିତ ବିମାନରେ ବିଜେ ହୋଇ ପ୍ରଭୁ ସୁଦର୍ଶନ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ବଡ଼ଠାକୁରଙ୍କ ଜନ୍ମ ନୀତି ସମ୍ପନ୍ନ ହୋଇଛି। ମାର୍କଣ୍ଡ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ପ୍ରଭୁ ସୁଦର୍ଶନଙ୍କୁ ପନ୍ତି ଭୋଗ ଲାଗି କରାଯାଇଛି। ବିଧିପୂର୍ବକ ପ୍ରଭୁ ମାର୍କଣ୍ଡେୟଙ୍କଠାରେ ଜନ୍ମନୀତି ଶେଷ ପରେ ପ୍ରଭୁ ସୁଦର୍ଶନ ଚଉଦୋଳରେ ପୁନର୍ବାର ଶ୍ରୀମନ୍ଦିର ଫେରିଛନ୍ତି। ସେପଟେ ଆଜି ମା’ ସୁଭଦ୍ରା ବଡ଼ଭାଇ ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଖି ବାନ୍ଧିଛନ୍ତି। ବାସୁଙ୍ଗା ପାଟରେ ନାଲି, ନେଳି, ହଳଦିଆ ଓ ବାଇଗଣି ରଙ୍ଗ ଦେଇ ପ୍ରସ୍ତୁତ ୪ଟି ରାଖି ଓ ୪ଟି ଗୁଆମାଳ ବିଜେ ପରେ ଶ୍ରୀଜିଉଙ୍କୁ ଲାଗି ହୋଇଛି।

Advertisment

ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପ୍ରଭୁ ସୁଦର୍ଶନଙ୍କୁ ପାଟପତନି ସହ ମସ୍ତକରେ ଚୂଳ ଲାଗି ହୋଇଥିଲା। ପରେ ପ୍ରଭୁ ସୁଦର୍ଶନ ଝୁଲଣ ମଣ୍ଡପରେ ବିଜେ କରିଥିଲେ। ଝୁଲଣ ମଣ୍ଡପଠାରେ ସୁବର୍ଣ୍ଣର ଓଡ଼ିଆଣି ଓ ହରଡ଼ମାଳି ଲାଗି ପରେ ବିମାନବଡ଼ୁ ସେବକମାନେ ସୁଦର୍ଶନଙ୍କୁ ଝୁଲଣ ମଣ୍ଡପ ତଳେ ଥିବା ସୁସଜ୍ଜିତ ବିମାନରେ ବସାଇ ସିଂହଦ୍ବାର ଦେଇ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରାଇଥିଲେ। ଶ୍ରୀମନ୍ଦିରଠାରୁ ମାର୍କଣ୍ଡ ପୁଷ୍କରିଣୀ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଜନ୍ମନୀତି ଓ ପୂଜାର୍ଚ୍ଚନା ପାଇଁ ମାର୍କଣ୍ଡ କୂଳରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ମାଟି ମୂର୍ତ୍ତି ତିଆରି ହୋଇ ରହିଥିଲା। ପ୍ରଭୁ ସୁଦର୍ଶନ ମାର୍କଣ୍ଡ କୂଳରେ ପହଞ୍ଚିବା ପରେ ଜନ୍ମନୀତି ଆରମ୍ଭ ହୋଇଥିଲା। ଜୀବନ୍ୟାସ ମନ୍ତ୍ରପାଠ ସହ ଜାତକର୍ମ ପୂର୍ବକ ପୂଜାବିଧି ବଢ଼ିଥିଲା। ବିଧି ଶେଷ ପରେ ମାଟି ମୂର୍ତ୍ତିକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୋଇରାଣି ପତନି, ଷଷ୍ଠୀ ମାର୍କଣ୍ଡ ବରୁଣ ପୂଜା ସାମଗ୍ରୀ, ସୂତା ଲାଗିଥିବା ପାଟ ରାଖି ଯୋଗାଇ ଦିଆଯାଇଥିଲା। ସୁଆରମାନଙ୍କ ପକ୍ଷରୁ ମାଳି-ପାତ୍ର ସଜ ଓ ମଙ୍ଗଳାର୍ପଣ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ସେହିଭଳି ମୂର୍ତ୍ତି ନିର୍ମାଣ ପାଇଁ କୁମ୍ଭାର ବିଶୋଇ ଚିକିଟା ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ।