ନୂଆଦିଲ୍ଲୀ : ଶୁକ୍ରବାରଠାରୁ କୌନ ବନେଗା କରୋଡ଼ପତି (କେବିସି)ର ତ୍ରୟୋଦଶ ସଂସ୍କରଣ ପ୍ରସାରିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ବୀରେନ୍ଦ୍ର ସେହବାଗଙ୍କୁ ଏହି ଲୋକପ୍ରିୟ ମଞ୍ଚରେ ଦେଖିବାକୁ ମିଳିଥିଲା। ତେବେ ପ୍ରସାରଣ ହେବା ପୂର୍ବରୁ ଚାନେଲ୍ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ପ୍ରମୋରେ ଏହି ଦୁଇ ମହାନ କ୍ରିକେଟର୍ ପରସ୍ପରର ଗୋଡ଼ ଟାଣିବା ଭଳି କଥା କହି ମଜା ଉଠାଉଥିବାରୁ ସେମାନଙ୍କ ପ୍ରଶଂସକ ମଧ୍ୟ ଖୁସି ହୋଇଛନ୍ତି।
ଏହି ଭିଡିଓରେ ସୌରଭ ଗାଙ୍ଗୁଲି ଏବଂ ବିଗ୍ ବି’ ଅମିତାଭ ବଚ୍ଚନ ସିଟ୍ ଅଦଳବଦଳ କରି ବସିଥିଲେ। ଫଳରେ ଗାଙ୍ଗୁଲି ହୋଷ୍ଟ୍ ସିଟ୍ରେ ବସିଥିଲେ। ଏହା ପରେ ସେହବାଗ ତାଙ୍କୁ କଟାକ୍ଷ କରି କହିଥିଲେ- ‘‘ଗାଙ୍ଗୁଲିଙ୍କର ଅଭ୍ୟାସ ହେଉଛି ଅନ୍ୟଠାରୁ କାମ ଝାମ୍ପିନେବା। ଭାରତୀୟ ଦଳକୁ ଆସିବା ପରେ ସେ ଅଧିନାୟକ ପଦ ଛଡ଼ାଇ ନେଇଥିଲେ, ବିସିସିଆଇ ଗଲେ ଯେ ସେଠାରେ ସଭାପତି ପଦ ଝାମ୍ପିନେଲେ...ଏବେ ଏଠାକୁ ଆସିଗଲେ।’’ ବୀରୁ କିଛି ସମୟ ନିରବ ରହିଥିବା ବେଳେ ବିଗ୍ ବି’ ହସି ହସି ବେଦମ ହୋଇପଡ଼ିଥିଲେ। ଏତିକି ବେଳେ ବିଗ୍ ବି’ଙ୍କୁ ଗାଙ୍ଗୁଲି ହାତ ଯୋଡ଼ି କହିଥିଲେ ସେହବାଗଙ୍କୁ ବିଶ୍ବାସ କରନ୍ତୁ ନାହିଁ। ସେହବାଗ କିନ୍ତୁ ଚୁପ୍ ନରହି ଆଉ ଏକ ମଜାଦାର ଉତ୍ତର ଦେଇଥିଲେ।
‘‘ଭାରତୀୟ ଦଳର ଅସୁବିଧା ବେଳେ ମୁଁ ହିଁ ତାଙ୍କ କାମରେ ଆସୁଥିଲି। ଓପନର୍ ନଥିଲେ ବୀରେନ୍ଦ୍ର ସେହବାଗଙ୍କ ଦ୍ବାରା କରାନ୍ତି, ଫାଇନାଲରେ ରନ୍ ସ୍କୋର୍ ପାଇଁ ମୋତେ କହନ୍ତି, ଦ୍ରୁତ ବେଗରେ ରନ୍ ପାଇଁ ମଧ୍ୟ କହନ୍ତି ଏବଂ ବୋଲର ନ ଥିଲେ ଗୁରୁତ୍ବପୂର୍ଣ୍ଣ ମୁହୂର୍ତରେ ୱିକେଟ୍ ନେବା ଦାୟିତ୍ବ ବି ଦେଇ ଦିଅନ୍ତି’। ଶେଷରେ ଗାଙ୍ଗୁଲି କହିଛନ୍ତି କେବଳ ବିଗ୍ ବି’ ହିଁ କେବିସି ହୋଷ୍ଟ୍ ସିଟ୍ରେ ବସିଲେ ଭଲ ଲାଗନ୍ତି। ଏହି ସ୍ବତନ୍ତ୍ର ଅଧ୍ୟାୟରେ ଅମିତାଭ ବଚ୍ଚନ ମଧ୍ୟ ଖେଳାଳିଙ୍କ ସହ ଆଲୋଚନା କରି କ୍ରିକେଟ୍ର ଅନେକ ସ୍ମରଶୀୟ ମୁହୂର୍ତର ସ୍ମୃତିଚାରଣ କରିଛନ୍ତି।