ରୋହିତଙ୍କ ପାଇଁ ନିଜ ଉଦାହରଣ ଦେଲେ ବୀରୁ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ଶର୍ମାଙ୍କୁ ବାଦ୍ ଦେବାକୁ ନେଇ ବିସିସିଆଇ ଏବଂ ଚୟନକର୍ତାଙ୍କ ଉପରେ କ୍ଷୁବ୍‌ଧ ହୋଇଛନ୍ତି ପୂର୍ବତନ ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ। ରୋହିତ ଯଦି ଆହତ ଅଛନ୍ତି ବୋଲି ବିସିସିଆଇ ଅନୁଭବ କରିଛି କିମ୍ବା ଚୟନକର୍ତାମାନେ ଜାଣିଥିଲେ ତେବେ ତାଙ୍କୁ ବିକଳ୍ପ ଖେଳାଳି ସହ ଦଳରେ ନିଆଯାଇପାରିଥା’ନ୍ତା ବୋଲି ସେହବାଗ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଲାଗି ରୋହିତ ଶର୍ମାଙ୍କୁ କୌଣସି ଫର୍ମାଟର ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ରୋହିତ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସପ୍ତାହରେ ଦୁଇଟି ମ୍ୟାଚ୍‌ ଖେଳିସାରିଲେଣି। ଏହା ପ୍ରଶଂସକ ଏବଂ କ୍ରିକେଟ୍ ପଣ୍ଡିତମାନଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଯଦି ମୁମାଇ ଇଣ୍ଡିଆନ୍ସ ଫିଜିଓ କହିଥିବେ ରୋହିତ ଆହତ ସମସ୍ୟାରୁ ବାହାରିବା ଲାଗି ଅସୀମିତ ସମୟ ଲାଗିବ‌ ତେବେ ମୋର କିଛି କହିବାର ନାହିଁ। ଜଣେ ଶୀର୍ଷ ଖେଳାଳି ଭାବେ ଏହ‌ା ସମସ୍ତଙ୍କ ପାଇଁ ଜାଣିବାର ବିଷୟ’ ବୋଲି ବୀରୁ ପ୍ରକାଶ କରିଥିଲେ। ରୋହିତଙ୍କ ଚୟନ ସପକ୍ଷରେ ଯୁକ୍ତି ବାଢ଼ି ସେହବାଗ ମଧ୍ୟ ନିଜ ଉଦାହରଣ ଦେଇଥିଲେ। ୨୦୧୧ ମସିହା ବିଶ୍ବକପ୍‌ ପୂର୍ବରୁ ମୁଁ ଆହତ ହୋଇଥିଲି। ବିଶ୍ବକପ୍‌ ଖେଳିପାରିନଥା’ନ୍ତି। କାନ୍ଧର ସ୍କାନ୍‌ ପରେ ଅସ୍ତ୍ରୋପଚାର ଆବଶ୍ୟକତା ଜଣାପଡିଥିଲା। ୨୦୧୦ ଡିସେମ୍ବରରେ ଯଦି ମୁଁ ଅସ୍ତ୍ରୋପଚାର କରାଇନଥା’ନ୍ତି ତାହାଲେ ବିଶ୍ବକପ୍‌ ବେଳକୁ ଠିକ୍‌ ହୋଇପାରିନଥା’ନ୍ତି। ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ ଏବଂ ବିସିସିଆଇ କିନ୍ତୁ ନିଷ୍ପତ୍ତି‌ ନେଇଥିଲେ ମୋ ଅସ୍ତ୍ରୋପଚାର ବିଶ୍ବକପ୍‌ ପରେ କରାଯିବ। ସେପର୍ଯ୍ୟନ୍ତ ତୁମେ‌ ଖେଳ ବୋଲି ମୋତେ କୁହାଯାଇଥିଲା। ମୁଁ କେବଳ ଟେଷ୍ଟ୍ କ୍ରିକେଟ୍‌ ଖେଳିଥିଲି, ବିଶ୍ବକପ୍‌ ପର୍ଯ୍ୟନ୍ତ ଦିନିକିଆ ଖେଳିନଥିଲି। କେବଳ ପୁନଃଥଇଥାନ ଯୋଜନାରେ ରହିଥିଲି ଏବଂ ଜର୍ମାନି ଯାଇ ଇଞ୍ଜେକ୍ସନ୍‌‌ ନେଇଥିଲି। ଏହା ସମସ୍ତେ ଜାଣିଛନ୍ତି ବୋଲି ସେହବାଗ ପ୍ରକାଶ କରିଥି‌ଲେ। ସେହି ଦୃଷ୍ଟିରୁ ରୋହିତ ଶର୍ମାଙ୍କ ସମସ୍ୟା ସମ୍ପର୍କରେ ଫିଜିଓ, ଚୟନକର୍ତା, ପ୍ରଶିକ୍ଷକ ସମସ୍ତେ ଜାଣିବା ଜରୁରୀ ଥିଲା। କିନ୍ତୁ ଦଳଠାରୁ କାହିଁକି ଦୂରେଇ ରଖାଯାଇଛି କିଛି କୁହାଯାଇନାହିଁ ବୋଲି ସେହବାଗ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିନ୍ତୁ କହିଛନ୍ତି, ‘ଦୁଇ ଆହତ ଖେଳାଳି ରୋହିତ ଶର୍ମା ଏବଂ ଈଶାନ୍ତ ଶର୍ମା ଫିଟ୍‌ ହେଲେ ଉଭୟଙ୍କୁ ପରବର୍ତୀ ସମୟରେ ଦଳରେ ନିଆଯାଇପାରିବ’।

ବ୍ୟାଟିଂ ବେଳେ ଗୀତ ଗାଉଥିଲେ ସେହବାଗ
ନୂଆଦିଲ୍ଲୀ : ବୀରେନ୍ଦ୍ର ସେହବାଗଙ୍କୁ ଅଧିକାଂଶ‌ ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆଖ୍ୟା ଦିଅନ୍ତି। ସମସ୍ତ ୩ ଫର୍ମାଟରେ ସେ ରାଜ୍‌ କରୁଥିଲେ। ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଶୀର୍ଷ ବୋଲିଂ ଲାଇନ୍ ରଖିଥିବା ଦଳ ବି ଫସିଯାଉଥିଲା। କିନ୍ତୁ ଅଧିକାଂଶଙ୍କୁ ଜଣାନଥିବ ସେହବାଗ ବ୍ୟାଟିଂ ବେଳେ ବି ଗୀତ ଗାଇଥା’ନ୍ତି। ନିକଟରେ କ୍ରିକ୍‌ବଜ୍‌ର ଏକ ଆଲୋଚନା ବେଳେ ସେହବାଗ ନିଜେ ଏହାକୁ ସ୍ବୀକାର କରିଥିଲେ। ସେହବାଗ ଲୋକପ୍ରିୟ ହିନ୍ଦୀ ସଂଗୀତ ଗାଉଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ମହାନ କ୍ରିସ୍ ଗେଲ୍‌ ମଧ୍ୟ ବ୍ୟାଟିଂ ବେଳେ ଇଂରାଜୀରେ ଗୀତ ଗାଇଥା’ନ୍ତି‌ ବୋଲି ସେହବାଗ ପ୍ରକାଶ କରିଥିଲେ। ଏହି ଅବସରରେ ବୀରୁ କହିଥିଲେ ବ୍ୟାଟିଂ ବେଳେ ମୁଁ ଗୀତ ଗାଇବାରେ ଅଭ୍ୟସ୍ତ ଥିଲି। କିନ୍ତୁ ମୋର ସବୁଠାରୁ ପ୍ରିୟ ଗୀତ ଥିଲା ‘ଚଲା ଜାତା ହୁଁ କିସି କେ ଦିଲ୍ ମେଁ, ଧଡକତେ ଦିଲ୍‌ କେ, ତରାନେ ଲିଏ’। କାରଣ ଏହି ଗୀତଟିକୁ ମୁଁ ଯେଭଳି ଭାବନାରେ ଥିଲେ ବି ଗାଇ ପାରିଥାଏ। ରନ୍‌ ମିଳୁଥିବା ବେଳେ ମୁଁ ‘ଚିଠିଆଁ କଳାଇଆଁ’ ଗାଉଥିଲି, ରନ୍‌ କରିପାରୁନଥିବା ବେଳେ ଈଶ୍ବରଙ୍କ ଭଜନ ଗାଉଥିଲି ବୋଲି ସେହବୋଗ ମଧ୍ୟ ସ୍ବୀକାର କରିଥିଲେ। ଗୋଟିଏ ମ୍ୟାଚ୍‌ ବେଳର ସ୍ମୃତି ମନେ ପକାଇ ବୀରୁ କହିଥିଲେ ‘ଥରେ ଭାରତ-ପାକିସ୍ତାନ ଶୃଙ୍ଖଳାରେ ବାଙ୍ଗାଲୋର୍‌ରେ ମୁଁ ୧୫୦ ରନ୍‌ ପାଖାପାଖିରେ ବ୍ୟାଟିଂ କରୁଥିଲି, ସର୍ଟ ଲେଗ୍‌ରେ ଥିବା ପାକିସ୍ତାନୀ ବ୍ୟାଟସମ୍ୟାନ୍‌ ୟାସିର୍‌ ହମିଦ୍‌ ଆସି କହିଥିଲେ ବୀରୁ ଭାଇ‌ ତୁମେ ବ୍ୟାଟିଂ ବେଳେ ବି ଗୀତ ଗାଇପାର? ମୁଁ ହଁ କହିବା ପରେ ସେ ମୋତେ କିଶୋର କୁମାର ଗୀତ ଗାଇବାକୁ ଅନୁରୋଧ କରିଥିଲେ। ତେଣୁ କେବଳ ବ୍ୟାଟିଂ ଜରିଆରେ ନୁହେଁ ଗୀତ ଗାଇ ମଧ୍ୟ ମୁଁ ପାକିସ୍ତାନୀ କ୍ରିକେଟରଙ୍କୁ ମନୋରଂଜନ କରିଥିଲି। ସୂଚନାଯୋଗ୍ୟ, ସେହବାଗ ଭାରତ ପାଇଁ ୧୦୪ ଟେଷ୍ଟ୍ ଓ ୨୫୧ ଦିନିକିଆ ଖେଳି ଯଥାକ୍ରମେ ୮,୫୮୬ ଏବଂ ୮,୨୭୩ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.