ବିରୁଷ୍କାଙ୍କ କାହାଣୀ: ବନ୍ଧୁତ୍ୱ-ପ୍ରେମ-ବିଚ୍ଛେଦ-ମୀମାଂସା-ବିବାହ!

ମୁମ୍ବାଇ: ଇଟାଲିର ମିଲାନଠାରେ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବିରାଟ-ଅନୁଷ୍କା ପ୍ରଥମେ ୨୦୧୩ ମସିହାରେ ଏକ ସମ୍ପୋ ବିଜ୍ଞାପନ ଜରିଆରେ ପରସ୍ପର ସହ ଭେଟ ହୋଇଥିଲେ। ପ୍ରଥମରୁ ସେମାନଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା। ପରେ ସେ ଦୁହିଙ୍କୁ ନେଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନାନା ଖବର ପ୍ରକାଶ କଲେ। ବିରାଟ ଅଧିକାଂଶ ସମୟରେ ଅନୁଷ୍କାଙ୍କ ସୁଟିଂ ସେଟ୍‌ରେ ଦେଖିବାକୁ ମିଳୁଥିବା ବେଳେ କ୍ରିକେଟ୍‌ ଗ୍ୟାଲେରିରେ ନଜର ଆସୁଥିଲେ ସୁନ୍ଦରୀ ଅନୁଷ୍କା। ଥରେ ହାଇଦ୍ରାବାଦ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳୁଥାଏ ଭାରତ। ଗ୍ୟାଲେରିରେ ବସିଥାନ୍ତି ଅନୁଷ୍କା ଶର୍ମା। ବିରାଟ ଅଧା ସେଞ୍ଚୁରି କରିବା ଖୁସିରେ ବ୍ୟାଟ୍‌ରେ ଓଠ ଲଗାଇ ଅନୁଷ୍କାଙ୍କୁ ଦେଇଥିଲେ ଏକ ଫ୍ଲାଇଙ୍ଗ୍‌ କିସ୍‌। ସେଇଠୁ ଚର୍ଚ୍ଚା ଆହୁରି ମଜ୍‌ବୁତ୍‌ ହୋଇଥିଲ। ବିରୁଷ୍କାଙ୍କୁ ନେଇ ବିଭିନ୍ନ ଖବର ଲଗାତର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ତାଙ୍କ ସଂପର୍କକୁ ନେଇ ଅନେକ ପ୍ରଶଂସକ ସମର୍ଥନ କରିଥିବା ବେଳେ କେତେକ ନିରୁତ୍ସାହିତ କରିଥିଲେ। ଅନେକ କ୍ରିକେଟ୍‌ ପ୍ରେମୀ ଖେଳରେ ବିରାଟଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଦାୟୀ କରିଥିଲେ। ୨୦୧୬ ମସିହାରେ ଶୁଣିବାକୁ ମିଳିଥିଲା ଯେ ନିଜର କ୍ୟାରିୟର୍‌ ପାଇଁ ଏହି ପ୍ରେମୀ ଯୁଗଳ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଥିଲେ। ବିରାଟ ଏବଂ ଅନୁଷ୍କା ପରସ୍ପରଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫଲୋଡ ମଧ୍ୟ କରିଥିଲେ। କିଛି ଦିନ ସେ ଦୁହେଁ ଏକତ୍ର ଦେଖିବାକୁ ମିଳିନଥିଲେ। ମାତ୍ର ପୁଣିଥରେ ବିରାଟ-ଅନୁଷ୍କା ଏକତ୍ର ନଜର ଆସିଥିଲେ ଯୁବରାଜ ସିଂହ ଏବଂ ହେଜଲ୍‌ଙ୍କ ବିବାହ ଉତ୍ସବରେ। ତେବେ, ବିଚ୍ଛିନ୍ନ ହେବାର ମାତ୍ର ଅଳ୍ପ କେତେ ଦିନ ମଧ୍ୟରେ ମୀମାଂସା କରି ପୁଣି ସଂଯୋଗରେ ଆସିଥିଲେ ବିରୁଷ୍କା।

ସେମାନେ ପରସ୍ପର ସହ ନିର୍ବନ୍ଧ କରିଥିଲେ ବୋଲି ମଝିରେ ଏକ କଥା ଉଠିଥିଲା। ମାତ୍ର ଏହା ମିଥ୍ୟା ଏବଂ ଭିତ୍ତିହୀନ ଖବର ବୋଲି ବିରାଟ ନିଜ ଟୁଇଟର୍‌ ପେଜ୍‌ରେ ଉଲ୍ଲେଖ କରିଥିଲେ। ନାନା ବାଦ-ବିବାଦ ପରେ ଶେଷରେ ଡିସେମ୍ବର ୧୧ ତାରିଖରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା।

ସମ୍ବନ୍ଧିତ ଖବର