ନୂଆଦିଲ୍ଲୀ: ଯୁବ ଭାରତୀୟ ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ବୁଧବାର ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର୍‌ ରସିଦ୍ ଖାନ୍‌ଙ୍କୁ ସେ ଶୀର୍ଷରୁ ଗାଦିଚ୍ୟୁତ କରିଦେଇଛନ୍ତି। ରେଟିଂ ପଏଣ୍ଟରେ ରସିଦ୍‌ ୬୯୨ରେ ଥିବାବେଳେ ବିଷ୍ଣୋଇ ୬୯୯ରେ ପହଞ୍ଚିଯାଇଛନ୍ତି। ୫ଟି ସ୍ଥାନ ଉପରକୁ ଉଠି ବିଷ୍ଣୋଇ ଶୀର୍ଷରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ବିଷ୍ଣୋଇ ମୋଟ ୯ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା, ଇଂଲଣ୍ଡର ଆଦିଲ ରସିଦ୍‌ (ଉଭୟ ୬୭୯ ପଏଣ୍ଟ) ମିଳିତ ତୃତୀୟରେ ରହିଛନ୍ତି।

Advertisment

ଅନ୍ୟତମ ଶ୍ରୀଲଙ୍କା ବୋଲର ମହେଶ ତୀକ୍ଷଣା (୬୭୭) ଶୀର୍ଷ ୫କୁ ସମ୍ପୂର୍ଣ୍ଣ କରିଛନ୍ତି। ଟ୍ବେଣ୍ଟି-୨୦ ଫର୍ମାଟରେ ବିଷ୍ଣୋଇ ମଧ୍ୟ ଏକମାତ୍ର ଭାରତୀୟ ଭାବେ ଶୀ‌ର୍ଷ ୧୦ ଭିତ‌ରେ ରହିଛନ୍ତି। ଏହି ଶୃଙ୍ଖଳାର ଅନ୍ୟତମ ସଫଳ ଅଲରାଉଣ୍ଡର୍‌ ଅକ୍ଷର ପଟେଲ୍‌ ମଧ୍ୟ ୯ ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷସ୍ଥାନ ବଜାୟ ରଖିଥିବା ବେଳେ ଋତୁରାଜ ଗାଏକ୍ବାଡ ଗୋଟିଏ ସ୍ଥାନ ଖସି ସପ୍ତମରେ ରହିଛନ୍ତି। ଆହତ କାରଣରୁ ଅଷ୍ଟ୍ରେଲିଆ ଶୃଙ୍ଖଳା ଖେଳି ନଥିବା ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର୍ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।