ସର୍ବଭାରତୀୟ ଡାକ କ୍ରୀଡ଼ା ଉଦ୍‌ଯାପିତ: ବିଶ୍ବଜିତ୍ ନୂଆ ଡାକଶ୍ରୀ, ଓଡ଼ିଶା ଉପବିଜେତା

ବ୍ରହ୍ମପୁର: ସ୍ଥାନୀୟ ହିଲପାଟଣା ସ୍ଥିତ ସଂସ୍କୃତି ଭବନରେ ୪ ଦିନ ଧରି ଆୟୋଜିତ ୩୫ତମ ସର୍ବଭାରତୀୟ ଡାକ ବିଭାଗର ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିନରେ ଆୟୋଜିତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବିଶ୍ବଜିତ୍ ପ୍ରତିହାରୀ ୮୦ କେଜି ବର୍ଗରେ ଶ୍ରେ‌ଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଓଡ଼ିଶାର ନୂଆ ଡାକଶ୍ରୀ ସମ୍ମାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୬୦ କେଜି ବର୍ଗରେ ଭି ଶ୍ରୀକାନ୍ତ, ୮୫ କେଜି ବର୍ଗରେ ଜନ୍ମେଜୟ ମହାନ୍ତି ଏବଂ ୧୦୦ କେଜି ବର୍ଗରେ ସ୍ବୟମ୍‌ ସିଦ୍ଧାନ୍ତ ହରିଚନ୍ଦନ ସ୍ବର୍ଣ୍ଣ ପଦକ ଜିତିଥିଲେ। ମୋଟ ୪ ସ୍ବର୍ଣ୍ଣ ପଦକ ସହ ଓଡ଼ିଶା ଦଳଗତ ଉପବିଜେତା ହୋଇଥିଲା। ମହାରାଷ୍ଟ୍ର ଏହି ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗରେ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲା। ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୬ କାଂସ୍ୟ ସହ ମୋଟ ୧୦ ପଦକ ପାଇ ମହାରାଷ୍ଟ୍ର ଦଳଗତ ବିଜେତା ହୋଇଥିଲା।

ଭାରୋତ୍ତୋଳନରେ ରାଜସ୍ଥାନ, ଶକ୍ତି ଉତ୍ତୋଳନରେ ତାମିଲନାଡ଼ୁ, ସୁନ୍ଦରସ୍ବାସ୍ଥ୍ୟରେ ମହାରାଷ୍ଟ୍ର ବିଜେତା
୨୦୨୦ ଅଲିମ୍ପିକ୍ସରେ ଭାରତର ସଫଳତା କାମନା କଲେ ରାଜ୍ୟପାଳ ଗଣେଶୀ ଲାଲ

ଭାରୋତ୍ତୋଳନରେ ରାଜସ୍ଥାନ ବିଜେତା, ତାମିଲନାଡ଼ୁ ଉପବିଜେତା ହୋଇଥିଲା। ରାଜସ୍ଥାନର କପିଲ୍ସିଂ ରାଠୋର୍‌ ଶ୍ରେଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିଲେ। ଶକ୍ତି ଉତ୍ତୋଳନରେ ତାମିଲନାଡ଼ୁ ବିଜେତା ଏବଂ ଆନ୍ଧ୍ରପ୍ରଦେଶ ଉପ‌ବିଜେତା ହୋଇଥିଲା। ତେବେ ମଧ୍ୟପ୍ରଦେଶର ଶୈଳେନ୍ଦ୍ର ‌ସେଭେତିଆ ଶ୍ରେଷ୍ଠ ଶକ୍ତି ଉତ୍ତୋଳକ ଭାବେ ସମ୍ମାନିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ୨୦୨୦ ଟୋକିଓ ଅଲିମ୍ପିକରେ ଭାରୋତ୍ତୋଳନରେ ଭାରତ ନିଶ୍ଚିତ ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଓଡ଼ିଶା ସର୍କଲର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କାମିଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଭାରୋତ୍ତୋଳନ ଏବଂ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁରର ଜାତୀୟ ତଥା ଅନ୍ତର୍ଜାତୀୟ ସଫଳତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବଲପୁର ମଣ୍ଡଳ ମହାଡାକପାଳ ଲଳିତେନ୍ଦୁ ପ୍ରଧାନ ଯୋଗ ଦେଇଥିଲେ। ବ୍ରହ୍ମପୁର ମଣ୍ଡଳ ମହାଡାକପାଳ କର୍ଣ୍ଣେଲ ଜଳେଶ୍ବର କହଁର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ବାରା ‘ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ମଧୁ ମନ୍ଦିର ବ୍ରହ୍ମପୁର ସମ୍ପର୍କିତ ଏକ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର