ଭୁବନେଶ୍ୱର: ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ଏବଂ କଳିଙ୍ଗ ବିଦ୍ୟାପୀଠ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାର ଗୁରୁବାର ମ୍ୟାଚ୍‌ରେ ବିଜେବି ୨-୦ ଗୋଲ୍‌ରେ କ୍ୟାପିଟାଲ ହାଇସ୍କୁଲ୍‌କୁ ପରାସ୍ତ କରି କ୍ୱାର୍ଟରରେ ସ୍ଥାନ ପକ୍କା କରିଛି। ଋତୁରାଜ ମିଶ୍ର ଓ ସୌମେଶ ମହାନ୍ତି ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଋତୁରାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା ପୁରସ୍କୃତ କରିଥିଲେ। ଗୁରୁବାରର ଦ୍ୱିତୀୟ ମ୍ୟାଚ୍‌ ସାଇ ଇଣ୍ଟରନ୍ୟାସ୍‌ନାଲ ଓ ଜାଭିୟର୍‌ (କେଦାରଗୌରୀ) ମଧ୍ୟରେ ଗୋଲ୍‌ ଶୂନ୍ୟ ରହିଥିଲା। ସାଇ ଦଳର ସାଗର ପ୍ରଧାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ୟାପିଟାଲ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ ପ୍ରଦାନ କରିଥିଲେ। ପୂର୍ବରୁ ବୁଧବାର ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ୟୁନିଟ୍‌-୬ ଦଳ ୬-୫ ଟାଇବ୍ରେକର୍‌ ଗୋଲ୍‌ (୧-୧)ରେ ବିକାଶ ଆବାସିକ ବିଦ୍ୟାଳୟକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ଅନୀଳ ଦେହୁରି (ୟୁନିଟ୍‌-୬) ଏବଂ ଗୁଲାମ ମର୍ତୋଜା (ବିକାଶ ଆବାସିକ) ଗୋଲ୍‌ ସ୍କୋରର୍‌ ରହିଥିଲେ। ସମାଜସେବୀ ଜଗଦୀଶ ପ୍ରସାଦ ମିଶ୍ର ବିଜୟୀ ଦଳର ଆକାଶ ନାୟକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ କଳିଙ୍ଗ ବିଦ୍ୟାପୀଠ ୨-୦ ଗୋଲ୍‌ରେ ଫ୍ୟୁଚର ବିଦ୍ୟାଳୟକୁ ପରାସ୍ତ କରିଥିଲା। ମିହିର ଦେହୁରୀ ଓ ଅଶୋକ ପାଢୀ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ସତ୍ୟଜିତ୍‌ ମିଶ୍ର ବିଜୟୀ ଦଳର ଅଶୋକ ପାଢୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ। ଆସନ୍ତାକାଲି ୟୁନିଟ୍‌-୨ ହାଇସ୍କୁଲ୍‌ ଓ ରାମକୃଷ୍ଣ ହାଇସ୍କୁଲ୍‌ ଏବଂ କିସ୍‌ ଓ କେନ୍ଦ୍ରୀୟ ବିଦ୍ୟାଳୟ (୨) ମୁହାଁମୁହିଁ ହେବେ।