ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ତେବେ ଆଜିର ମ୍ୟାଚରେ ଭାରତୀୟ ଖେଳାଳିମାନେ ବାମ ହାତରେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ପ୍ରବେଶ କରିଥିଲେ। ତେବେ କଳା ପଟି ବାନ୍ଧିବାର ରହସ୍ୟ କଣ, ସେନେଇ ଆପଣ ଜାଣିଛନ୍ତି କି? ବାସ୍ତବରେ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିଲା। ଟିମ୍ ଇଣ୍ଡିଆ ଖେଳାଳିମାନେ ବାମ ହାତରେ ଏକ କଳା ବ୍ୟାଣ୍ଡ ବାନ୍ଧି କିମ୍ବଦନ୍ତୀ ସ୍ପିନର ବିସନ ସିଂ ବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଗତ ସୋମବାର (୨୩ ଅକ୍ଟୋବର) ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିସନ ସିଂ ବେଦୀଙ୍କର ଦେହାନ୍ତ ହୋଇଯାଇଥିଲା ।
ଆଉ ଏନେଇ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ 'ଆଇସିସି ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳିମାନେ ବିସନ ସିଂ ବେଦୀଙ୍କ ସ୍ମୃତିରେ କଳା ପଟି ପିନ୍ଧି ପଡ଼ିଆକୁ ଯିବେ | ଉଲ୍ଲେଖ ଥାଉ କି ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିବା ପରେ ୭୭ ବର୍ଷ ବୟସରେ ବେଦୀଙ୍କର ଦେହାନ୍ତ ହୋଇଥିଲା। ଅମୃତସରରେ ଜନ୍ମ ହୋଇଥିବା ବିସନ ସିଂ ବେଦୀ ୧୯୬୭ ମସିହାରେ ଭାରତ ପାଇଁ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ବେଦୀ ୨ଟି ୱିକେଟ୍ ନେଇଥିଲେ। ୧୯୭୯ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ସେ କ୍ରିକେଟରୁ ଅବସର ନେଇଥିଲେ। ୬୭ଟି ଟେଷ୍ଟ ମ୍ୟାଚରେ ବିସନ ସିଂ ବେଦୀ ୧୬୬ଟି ୱିକେଟ୍ ନେଇଥିବାବେଳେ ସେ ୧୦ଟି ଦିନିକିଆ ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ।