ବ୍ରିସବନ୍ : ବ୍ରିସବନ୍ରେ ଭାରତୀୟ କ୍ରିକେଟ୍ ଦଳ ପୁନର୍ବାର ସଙ୍ଗରୋଧର ସମ୍ମୁଖୀନ ହେବା ଆଶଙ୍କାକୁ ନେଇ ଚତୁର୍ଥ ଟେଷ୍ଟ୍ର ଭବିଷ୍ୟତ ଉପରେ ପୁଣି କଳା ବାଦଲ ଘୋଟିଛି। ଦୁଇ ଦେଶର କ୍ରିକେଟ୍ ବୋର୍ଡ ବିସିସିଆଇ ଏବଂ ସିଏ ମଧ୍ୟରେ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ବିତିନଥିଲା ବେଳେ ବ୍ରିସବନ୍ରେ ଲକ୍ଡାଉନ୍ ଜାରି କରାଯାଇଛି। ସେଠାକାର କଠୋର କଟକଣା, ନୂଆ ସଂକ୍ରମଣ ଚିହ୍ନଟ ଏବଂ ଭାରତୀୟଙ୍କ ଅସନ୍ତୋଷ ଏବେ ଚିନ୍ତାର କାରଣ ହୋଇଛି। ବିଶେଷ କରି ବ୍ରିସ୍ବନ୍ ହୋଟେଲର ଜଣେ କର୍ମଚାରୀ ବ୍ରିଟେନ୍ ଷ୍ଟ୍ରୋନ୍ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ଏହା ନୂଆ ମୋଡ଼ ନେଇଛି। ଏବେ ଚତୁର୍ଥ ଟେଷ୍ଟ୍କୁ ବାତିଲ କରି ଶୃଙ୍ଖଳାକୁ ଚଳିତ ସିଡନି ଟେଷ୍ଟ୍ ସହ ଶେଷ କରିଦେବା କଥା ମଧ୍ୟ ବିଚାର କରାଯାଉଛି।
ବ୍ରିସବନ୍ ଟେଷ୍ଟ୍ ଜାନୁଆରି ୧୫ରୁ ଆରମ୍ଭ ହେବାକୁ ଥିଲା ବେଳେ ସେଠାକାର କୋଭିଡ୍ ନିୟମ ଅନୁସାରେ ପ୍ରତ୍ୟେକ ଦିନର ଖେଳ ପରେ ଖେଳାଳିଙ୍କୁ ନିଜ ହୋଟେଲ ରୁମ୍ରେ ଆବଦ୍ଧ ରହିବାକୁ ହେବ। ଯାହାକୁ ଭାରତୀୟ ଖେଳାଳି ପସନ୍ଦ କରୁନାହାନ୍ତି। ଏହା ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି ବୋଲି ସେମାନେ ବି ସଙ୍କେତ ଦେଇସାରିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ବରୁ କହିଥିଲା ଯେ ଖେଳାଳିମାନେ ନିଜ ହୋଟେଲରେ ରହୁଥିବା ଖେଳାଳିଙ୍କୁ ଭେଟିପାରିବେ। ଭିନ୍ନ ଭିନ୍ନ ତାଲାରେ ରହୁଥିବା ଖେଳାଳି କିନ୍ତୁ ପରସ୍ପର ସହ ମିଳାମିଶା କରିପାରିବେନାହିଁ। ଖେଳାଳିମାନେ କଡ଼ା ସଙ୍ଗରୋଧ ନିୟମରେ ରହୁଥିଲା ବେଳେ ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳୁଛି। ଏଣୁ ବ୍ରିସବନ୍ରେ ସଙ୍ଗରୋଧ ନିୟମରେ କୋହଳ କରିବା କଥା ଲିଖିତ ଭାବେ ଦେବାକୁ ମଧ୍ୟ ସିଏକୁ ବିସିସିଆଇ କହିଥିବା ଜଣାପଡ଼ିଛି।
ଗାବା ଟେଷ୍ଟ୍ ସପକ୍ଷରେ ସ୍ମିଥ୍
ବ୍ରିସ୍ବନ୍ ପହଞ୍ଚିବା ପରେ ୩ ଦିନିଆ ସଙ୍ଗରୋଧରେ ରହିବାକୁ କୁଇନ୍ସଲାଣ୍ଡ୍ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ସେଠାରେ ଚତୁର୍ଥ ଟେଷ୍ଟ୍ ଖେଳିବାକୁ ଅଷ୍ଟ୍ରେଲିଆ ପସନ୍ଦ କରିବ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ମୋ ମତରେ ଖେଳାଳିଙ୍କ ପାଇଁ କିଛି ପରିବର୍ତ୍ତନ ହେବାର ନାହିଁ। ତଥାପି ଆମେ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ଏବଂ ସମ୍ମାନ ଜଣାଇ ଯାହା କରାଯିବାକୁ କୁହାଯିବ କରିବୁ। ଆମେ କିନ୍ତୁ ଗାବାରେ ଖେଳିବାକୁ ପ୍ରସ୍ତୁତ ବୋଲି ସ୍ମିଥ୍ ପ୍ରକାଶ କରିଛନ୍ତି।