ଭୁବନେଶ୍ବର: ରଗ୍ବି ଖେଳର ପେସାଦାର ଦୁନିଆରେ ଓଡ଼ିଆ ଛାପ ପଡ଼ିବାକୁ ଯାଉଛି। ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ରଗ୍ବି ପ୍ରିମିୟର ଲିଗ୍ (ଆର୍ପିଏଲ୍)ରେ ଓଡ଼ିଶାର ଏକ ଦଳ ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ଅଂଶଗ୍ରହଣ କରିବା ସ୍ପଷ୍ଟ ହେବା ପରେ ରାଜ୍ୟ ରଗ୍ବିରେ ନୂ୍ଆ ଅଧ୍ୟାୟ ଯୋଡ଼ିହୋଇଛି। ଶନିବାର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ଭୁବନେଶ୍ବର ଭିତ୍ତିକ ଦଳର ଜର୍ସି ଓ ମାସ୍କଟ୍ ଉନ୍ମୋଚିତ ହେବା ମଧ୍ୟ ଓଡ଼ିଶାର ରଗ୍ବି ଦୁନିଆରେ ଖୁସିର ଲହରି ଖେଳାଇ ଦେଇଛି।
‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ଦଳରେ ଓଡ଼ିଶାର ପ୍ରତିଭାବାନ ଖେଳାଳି ଆଶିଷ ଶବର ସ୍ଥାନ ପାଇଥିଲା ବେଳେ ରାଜୀବ ନାଥ ସହକାରୀ ପ୍ରଶିକ୍ଷକ ଅଛନ୍ତି। କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଆଶିଷ ଓଡ଼ିଶା ରଗବି ଦଳରେ ରହି ନିଜ ଦକ୍ଷତାର ପରିଚୟ ଦେବା ପରେ ଆର୍ପିଏଲ୍ ନିଲାମରେ ସାମିଲ ହୋଇଥିଲେ। ପ୍ରତିଦ୍ବନ୍ଦ୍ବିତାଭରା ନିଲାମ ପ୍ରକ୍ରିୟାରେ ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ଦଳ ତାଙ୍କୁ କିଣିଥିଲା। ଫଳରେ ସେ ଏବେ ବିଶ୍ବର ବଛାବଛା ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଖେଳିବାର ବାଟ ଫିଟିଛି। ସେହିଭଳି ଓଡ଼ିଶା ରଗ୍ବି ଦଳର ପୂର୍ବତନ ଅଧିନାୟକ ରାଜୀବ ଅବସର ନେବା ପରେ ପ୍ରଶିକ୍ଷଣରେ ପାଦ ଦେଇଛନ୍ତି। କଳିଙ୍ଗ ବ୍ଲାକ୍ ଟାଇଗର୍ସ ଦଳର ସହକାରୀ ପ୍ରଶିକ୍ଷକ ହେବା ମଧ୍ୟ ତାଙ୍କ ପାଇଁ ନୂଆ ସମ୍ଭାବନା ନେଇ ଆସିଛି। ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ତଥା ଲଢ଼ୁଆ ଯୋଦ୍ଧା ପାଇକ ପୁଅଙ୍କୁ ସମ୍ମାନ ଜଣାଇ ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ମାସ୍କଟର ନାଁ ‘ପାଇକ’ ରଖାଯାଇଛି। ଦଳର ସ୍ଲୋଗାନ୍ ହେଉଛି ‘ଓଡ଼ିଶାର ପାଇକ, ରଗ୍ବିର ନାୟକ’। ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ର ମାଲିକ ହେଉଛନ୍ତି ଭୁବନେଶ୍ବର ପାଣିପବନରେ ବଢ଼ିଥିବା ଓ ଶିକ୍ଷାଲାଭ କରିଥିବା ପୁଞ୍ଜି ନିବେଶକାରୀ କଂପାନି ‘ହଞ୍ଚ ଭେଞ୍ଚର୍ସ’ ପ୍ରତିଷ୍ଠାତା କରଣପାଲ ସିଂହ।
ରଗ୍ବି ସେଭେନ୍ସ ଫର୍ମାଟ୍ରେ ଆୟୋଜିତ ହେବାକୁ ଯାଉଥିବା ଆର୍ପିଏଲ୍ ୬ଟି ଦଳକୁ ନେଇ ଖେଳାଯିବ। ଚଳିତ ମାସ ୧୫ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ୧୬ ମିନିଟ୍ ଏବଂ ୪ ମିନିଟ୍ର ୪ କ୍ବାର୍ଟର ବିଶିଷ୍ଟ ମ୍ୟାଚ୍ରେ ପଡ଼ିଆ ଭିତରେ ୭ଜଣ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତ୍ୟେକ ଦଳରେ କିନ୍ତୁ ୧୩ଜଣ ଖେଳାଳି (୮ଜଣ ବିଦେଶୀ ଓ ୫ଜଣ ଭାରତୀୟ) ରହିବେ। ପ୍ରତିଯୋଗିତାରେ ସାମିଲ ଥିବା ଦଳଗୁଡ଼ିକ ମଧ୍ୟରେ ରହିଛନ୍ତି କଳିଙ୍ଗ ବ୍ଲାକ୍ ଟାଇଗର୍ସ, ହାଇଦ୍ରାବାଦ ହିରୋଜ୍, ଦିଲ୍ଲୀ ରେଜ୍, ମୁମ୍ବାଇ ଡ୍ରିମର୍ସ, ବେଙ୍ଗାଲୁରୁ ବ୍ରେଭହାର୍ଟସ ଓ ଚେନ୍ନାଇ ବୁଲ୍ସ। ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ତାର ଅଭିଯାନ ୧୫ ତାରିଖରେ ହାଇଦ୍ରାବାଦ ହିରୋଜ୍ ବିପକ୍ଷରେ ଆରମ୍ଭ କରିବ। ଲିଗ୍ର ସବୁ ମ୍ୟାଚ୍ ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ କଂପ୍ଲେକ୍ସରେ ଖେଳାଯିବ।
ଶନିବାର ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଜର୍ସି ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଗ୍ବି ଇଣ୍ଡିଆର ସଭାପତି, ଲିଗ୍ କମିସନର ତଥା ପ୍ରତିଷ୍ଠିତ ବଲିଉଡ୍ ଅଭିନେତା ରାହୁଲ ବୋଷ, ଓଡ଼ିଶା ରଗ୍ବି ଫୁଟବଲ୍ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂପାଦକ ଉପେନ୍ଦ୍ର ମହାନ୍ତି, ସମସ୍ତ ଖେଳାଳି, ମୁଖ୍ୟ ପ୍ରଶିକ୍ଷକ ମାଇକ୍ ଫ୍ରାଇଡେ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସିଂହଦେଓ ରଗ୍ବି ଖେଳର ଏକ ଦଳ କିଣି ପେସାଦାର ରଗ୍ବିକୁ ଓଡ଼ିଶା ଆଣିଥିବାରୁ ମାଲିକ କରଣପାଲ ସିଂହଙ୍କୁ ପ୍ରଶଂସା କରିଥିଲେ। ଆଗାମୀ ସମୟରେ ଦଳରେ ଅଧିକରୁ ଅଧିକ ଓଡ଼ିଆ ଖେଳାଳିଙ୍କୁ ସାମିଲ କରିବାକୁ ରାହୁଲ ବୋଷ ଏବଂ ମୁଖ୍ୟ ପ୍ରଶିକ୍ଷକ ମାଇକ୍ ଫ୍ରାଇଡେ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଦଳର ମାଲିକ କରଣପାଲ ସିଂହ କହିଥିଲେ ଯେ ଓଡ଼ିଶା ମୋ ଘର। ଲିଗ୍ରେ ଏକ ଦଳ ଭୁବନେଶ୍ବର ଭିତ୍ତିକ ଥିବା ଜାଣି ଏହାକୁ କିଣିବାକୁ ମୁଁ ନିଷ୍ପତ୍ତି ନେଇଥିଲି। ମୁଁ ନିରନ୍ତର ଭାବେ ରଗ୍ବି ଖେଳକୁ ସମର୍ଥନ ଦେଇ ଆସୁଛି। ‘କଳିଙ୍ଗ ବ୍ଲାକ୍ ଟାଇଗର୍ସ’ ନାଁଟି କଳାବାଘର ଭୂମି ଓଡ଼ିଶାର ଶକ୍ତି ଓ ଗତିଶୀଳତାକୁ ଦର୍ଶାଉଛି। ଏହା ମାଧ୍ୟମରେ ଆମେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମହନୀୟ ସଂସ୍କୃତି ଏବଂ ଗୌରବମୟ ଅତୀତକୁ ଦର୍ଶାଇବାକୁ ଚେଷ୍ଟା କରିବୁ। ସେହିଭଳି ରାଜ୍ୟରେ ରଗ୍ବିର ବିକାଶ ଲାଗି ଭବିଷ୍ୟତରେ ଆହୁରି ଅନେକ ପଦକ୍ଷେପ ହାତକୁ ନେବାକୁ ଯୋଜନା ରଖିଛୁ।
କଳିଙ୍ଗ ବ୍ଲାକ ଟାଇଗର୍ସ ଦଳ: ଲୋକାସ ଫିଲିପ୍ ଲକାମ୍ପ (ଆମେରିକା), ମରିସ ଟାଏ ଲଙ୍ଗବଟମ୍ (ଅଷ୍ଟ୍ରେଲିଆ), ରସ୍କୋ ଶେନ୍ ସ୍ପେକ୍ମ୍ୟାନ୍ (ଦକ୍ଷିଣ ଆଫ୍ରିକା), ପେରି ବାକର (ଆମେରିକା), ହ୍ୟାରି ମ୍ୟାକନଲ୍ଟି (ଅଧିନାୟକ, ଆୟର୍ଲାଣ୍ଡ), ଏଥାନ ବ୍ରାଉନ୍ଲି ଟର୍ଣ୍ଣର (କାନାଡା), କାଇଲ ବ୍ରାଣ୍ଟନ୍ ଟ୍ରେମ୍ବଲି (କାନାଡା), ଜେମ୍ସ ଏନଫିସ୍ ଥିଏଲ (କାନାଡା), ଅଜୟ ଦେଶୱାଲ (ଭାରତ), ଅର୍ଜୁନ ମହାତୋ (ଭାରତ), ଆଶିଷ ଶବର (ଭାରତ), ପପ୍ପୁ ବାଲାସାହେବ ତୋଡକର (ଭାରତ), ପ୍ରଦୀପ ସିଂହ (ଭାରତ), ମାଇକେଲ୍ ଜନ୍ ଫ୍ରାଇଡେ (ମୁଖ୍ୟ ପ୍ରଶିକ୍ଷକ, ଇଂଲଣ୍ଡ), ରାଜୀବ କୁମାର ନାଥ (ସହକାରୀ ପ୍ରଶିକ୍ଷକ, ଭାରତ)।