ଦୃଷ୍ଟିହୀନ କ୍ରିକେଟ୍‌, ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଭାରତ

ଭୁବନେଶ୍ବର: ଜାମାଇକା ଗସ୍ତରେ ଥିବା ଭାରତୀୟ ଦୃ‌ଷ୍ଟିହୀନ କ୍ରିକେଟ୍‌ ଦଳ ବିଜୟ ଜାରି ରଖିଛି। ଜାମାଇକା ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍‌ ଜିତିଥିବା ଭାରତ ଗୁରୁବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦କୁ ୨୩୮ ରନ୍‌ରେ ଜିତି ବିଜୟ ଧାରା ଜାରି ରଖିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୮୬/୩ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଭେଙ୍କଟେଶ୍ବର ରାଓ (୫୩, ୨୮ ବଲ୍‌) ଅର୍ଧଶତକ ଜମାଇବା ସାଙ୍ଗକୁ ଦୀପକ ମଲ୍ଲିକ (୩୪, ୨୬ ବଲ୍‌)ଙ୍କ ସହ ପ୍ରଥମ ୱିକେଟ୍‌ରେ ୮୨ ରନ୍‌ ଯୋଡ଼ିଥିଲେ। ମଧ୍ୟଭାଗରେ ସୁନିଲ ରମେଶ (୧୦୭*, ୪୭ ବଲ୍‌) ଅପରାଜିତ ଶତକ ହାସଲ କରି ଦଳୀୟ ସ୍କୋର୍‌କୁ ୩୦୦ ପାଖାପାଖି ପହଞ୍ଚାଇ ଦେଇଥିଲେ। ଜବାବରେ ଜାମାଇକା ମାତ୍ର ୧୧.୩ ଓଭରରେ ୪୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଅଜୟ ରେଡ୍ଡୀ (୪/୧୨), ଦୀପକ (୨/୫), ଓଡ଼ିଆ ପୁଅ ପଙ୍କଜ ଭୂଏ (୧/୧) ଏବଂ ସୋନୁ (୧/୧୫) ବୋଲିଂ ସଫଳତା ପାଇଥିଲେ। ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ଅଜୟ (୨୯ ରନ୍‌, ୪ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର