ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ : ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର,: ମହାରାଷ୍ଟ୍ରର ମୁମ୍ବାଇରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ସୋମବାର ଗୁଜରାଟଠୁ ହାରିଥିବା ଓଡ଼ିଶା ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ରେ କର୍ଣ୍ଣାଟକକୁ ୮ ଓ୍ଵିକେଟ୍‌ରେ ହରାଇ ସେମିଫାଇନାଲ୍‌ ଖେଳିବା ଆଶା ଉଜ୍ଜିବୀତ ରଖିଛି। ଇସ୍‌ଲାମ ଜିମ୍‌ଖାନା କ୍ରିକେଟ୍‌ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ବୋଲରଙ୍କୁ ସଠିକ୍‌ ମୁକାବିଲା କରିନପାରି ପ୍ରଥମେ ବ୍ୟାଟିଂ କରିଥିବା କର୍ଣ୍ଣାଟକ ମାତ୍ର ୧୮.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୪ ରନ୍‌ କରିଥିଲା। ପଙ୍କଜ ଭୂଏ ୬ ଓ୍ଵିକେଟ୍‌, ସିଙ୍ଗରାଇ ମାଝୀ ୨ ଏବଂ ନକୂଳ ଏବଂ ଜାଫର ଇକ୍‌ବାଲ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସୁଖରାମ ମାଝୀଙ୍କ ଅପରାଜିତ ଅର୍ଧଶତକ (୫୪ ରନ୍‌) ଏବଂ ପଙ୍କଜଙ୍କ ୪୯ ରନ୍‌ ବଳରେ ଓଡ଼ିଶା ମାତ୍ର ୧୨.୪ ଓଭରରେ ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବୁଧବାର ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ଭେଟିବ। ଏହି ମ୍ୟାଚ୍‌ ଆମ ପାଇଁ ‘କର ବା ମର’ ସଦୃଶ। କାରଣ ସେମିଫାଇନାଲ୍‌ରେ ସ୍ଥାନ ପକ୍କା ପାଇଁ ଅଧିକ ରନ୍‌ ହାରରେ ମ୍ୟାଚ୍‌ ଜିତିବା ଜରୁରି ବୋଲି କହିଛନ୍ତି ଅଧିନାୟକ ଜାଫର। ମଙ୍ଗଳବାର ଖେଳା ଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଆନ୍ଧ୍ରପ୍ରଦେଶକୁ ହରିଆଣା, ବେଙ୍ଗଲକୁ ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶକୁ ଗୁଜରାଟ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର