ଭୁବନେଶ୍ବର: ‘‘ଅସୁବିଧାକୁ କ୍ଷଣକ ପାଇଁ ଅକ୍ଷମତା ଭାବିନି। ଯେତେ ଦୁଃଖକଷ୍ଟ ଆସିଲେ ମଧ୍ୟ ପରିସ୍ଥିତି ଆଗରେ ହାର୍ ମାନିନି। ଏକଥା ସତ ଯେ ଯେ ମୁଁ ଇନ୍ଦ୍ରଧନୁର ସପ୍ତରଙ୍ଗକୁ ଦେଖିବାର ସୌଭାଗ୍ୟ ପାଇନି। ହେଲେ ରଙ୍ଗୀନ ସ୍ବପ୍ନ ଦେଖିବାର ଇଚ୍ଛା ଓ ଆଗ୍ରହକୁ କେବେବି ଛାଡ଼ିନି। କ୍ରିକେଟ୍କୁ ଜୀବନଠୁ ବେଶି ଭଲ ପାଉଥିବାରୁ କ୍ରିକେଟର୍ ହୋଇ ଦେଶ ଓ ରାଜ୍ୟ ପାଇଁ ଗର୍ବ, ଗୌରବ ଆଣିବା ଲାଗି ନିରନ୍ତର କଠିନ ପରିଶ୍ରମ ଓ ପ୍ରୟାସ କରିଛି। ଏହାକୁ ପାଗଳ ଭଳି ଅନୁସରଣ କରିଛି। ସାମାନ୍ୟ ବିଳମ୍ବରେ ହେଲେ ବି ଆଜି ସେହି ପିଲାଦିନର ସ୍ବପ୍ନ ସାକାର ହୋଇଛି। କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରୁ ବାହାରି ଭାରତୀୟ ଦଳରେ ସ୍ଥାନ ପାଇବାର ସଫଳତା ମୋତେ ମିଳିଛି। ଏବେ ଚର୍ଚ୍ଚିତ ଦୁବାଇ ଷ୍ଟାଡିୟମ୍ରେ ଦେଶର ପ୍ରତିନିଧିତ୍ବ କରିବାକୁ ଆଗ୍ରହର ସହ ଅପେକ୍ଷା କରିଛି। ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବି ବୋଲି ଦୃଢ଼ ଆଶା ଅଛି। ଦୁବାଇରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଆତ୍ମବିଶ୍ବାସ ପାଇବା ଭିତରେ କିନ୍ତୁ ମୋତେ ବହୁ କଷ୍ଟ ସହିବାକୁ ପଡ଼ିଛି। ଜନ୍ମରୁ ଦୃଷ୍ଟିବାଧିତ ହୋଇଥିବାରୁ ଦୁର୍ବଳତାକୁ ଦକ୍ଷତାରେ ପରିଣତ କରି ଆଗକୁ ବଢ଼ିବା ବାଟରେ ବହୁ ବାଧାବିଘ୍ନ ଆସିଛି, ମୋ ଯାତ୍ରା କିନ୍ତୁ ଅଟକିନି।’’ ଏଭଳି ପ୍ରେରଣାଦାୟୀ ଚିନ୍ତାଧାରା ରଖି ଗଞ୍ଜାମରୁ କୋରାପୁଟ, ସେଠାରୁ ଭୁବନେଶ୍ବର ଓ ଏବେ ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ପାଇବାକୁ ଯାଉଛନ୍ତି ଦୃଷ୍ଟିବାଧିତ କ୍ରିକେଟ୍ର ନୂଆ ନାୟକ ଦେବରାଜ ବେହେରା।
ଦୃଷ୍ଟିହୀନ କ୍ରିକେଟ୍ର ନୂଆ ନାୟକ
ଦୁବାଇରେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ନେଇ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଦୃଷ୍ଟିବାଧିତ କ୍ରିକେଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ପ୍ରଥମ ଥର ସ୍ଥାନ ପାଇଛନ୍ତି ଦେବରାଜ। ଯାହାକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ଓଡ଼ିଶା ଦୃଷ୍ଟିବାଧିତ ଦଳରେ ସ୍ଥାନ ପାଇ ଜାତୀୟସ୍ତରୀୟ ‘ନଗେସ ଟ୍ରଫି’ରେ ସର୍ବାଧିକ ୱିକେଟ୍ ନେବା ପରେ ହିଁ ତାଙ୍କୁ ଏହି ସୁଯୋଗ ମିଳିଛି। ଏହି ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଆଉ ୩ଜଣ ଖେଳାଳି ସୁଖରାମ ମାଝୀ, ନକୁଳ ବଡ଼ନାୟକ ଓ ପଙ୍କଜ ଭୂଏ ମଧ୍ୟ ସ୍ଥାନ ପାଇଛନ୍ତି। କିନ୍ତୁ ଦେବରାଜଙ୍କୁ ନେଇ ସବୁଠୁ ବେଶି ଉତ୍ସାହିତ ଅଛନ୍ତି ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ସଭାପତି ତଥା ବିଶ୍ବକପ୍ ବିଜୟୀ ଓଡ଼ିଆ ଦୃଷ୍ଟିବାଧିତ ତାରକା ମହମ୍ମଦ ଜାଫର୍ ଇକବାଲ୍। ଦେବରାଜ ବେଶ୍ ପ୍ରତିଭାଶାଳୀ। ଜଣେ ଅନ୍ତର୍ଜାତୀୟ କ୍ରିକେଟର୍ ହେବାର ସମସ୍ତ ଗୁଣ ତାଙ୍କ ପାଖରେ ରହିଛି। ଆଗାମୀ ସମୟରେ ସେ ବହୁ ସୁନାମ ଅର୍ଜନ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି ଜାଫର। ଦେବରାଜଙ୍କ କ୍ରିକେଟ୍ ଜୀବନ କୋରାପୁଟ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ଜଣାଶୁଣା ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ତାଙ୍କୁ କ୍ରିକେଟ୍ ଖେଳିବାକୁ ଉତ୍ସାହିତ କରିଥିଲେ। ବି-ୱାନ୍ ବର୍ଗରେ ଦ୍ରୁତ ବୋଲିଂ କରୁଥିବା ଦେବରାଜ ପରବର୍ତ୍ତୀ ସମୟରେ ଓଡ଼ିଶା ଦଳରେ ସ୍ଥାନ ପାଇ ନଗେଶ ଟ୍ରଫିରେ ନିଜ କମାଲ କରିଥିଲେ। ଏଥିଲାଗି ସେ ଜାଫରଙ୍କ ସହ ସୁଖରାମ, ପଙ୍କଜ ଏବଂ ସର୍ବୋପରି ଚନ୍ଦ୍ରଶେଖରଙ୍କ ମାର୍ଗଦର୍ଶନ ଓ ସମର୍ଥନକୁ ଶ୍ରେୟ ଦେଇଛନ୍ତି।
ଶୁଭାନୀରୁ ଶୁଭାରମ୍ଭ
୨୪ ବର୍ଷୀୟ ଦେବରାଜ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଶୁଭାନୀ ଗ୍ରାମର ମୂଳ ବାସିନ୍ଦା। ପିତା କ୍ଷେତ୍ର ବେହେରା ହେଉଛନ୍ତି ଜଣେ ଫେରିବାଲା। ଗାଁ ଗାଁ ବୁଲି ଲୁଗାପଟା ସହ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ବିକ୍ରି କରନ୍ତି। କ୍ଷେତ୍ରଙ୍କ ଛୋଟିଆ ବେପାରରୁ ଯାହା କିଛି ରୋଜଗାର ହୁଏ ମା’ କ୍ଷୀର ବେହେରା ସେଥିରେ ସଂସାର ଚଳାନ୍ତି। ଦେବରାଜ ଦୃଷ୍ଟିବାଧିତ। ତଥାପି ଗାଁ ମାଟିରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମା’-ବାପା ତାଙ୍କୁ କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟକୁ ପଢ଼ିବା ପାଇଁ ପଠାଇ ଦେଇଥିଲେ। ସେଠାରୁ ସଫଳତାର ସହ ମାଟ୍ରିକ୍ ପାସ୍ କରିବା ପରେ ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତ ୨ ପଢ଼ିଥିଲେ ଦେବରାଜ। ସେହିଭଳି ଖଲିକୋଟ ସ୍ବୟଂସାଶିତ ମହାବିଦ୍ୟାଳୟରୁ ଯୁକ୍ତ ୩ ପାସ୍ କରିବା ପରେ ସଂପ୍ରତି ବାଲେଶ୍ବର ସିଟିଇ (କଲେଜ ଅଫ୍ ଟିଚର୍ସ ଏଜୁକେସନ୍)ରେ ବିଇଡି କରୁଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ସେ ବେଶ୍ ଖୁସି ଅଛନ୍ତି। ହେଲେ ଭବିଷ୍ୟତକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଠିକ୍ ଭାବେ ପଢ଼ି ପାରୁନାହାନ୍ତି। କଲେଜର ପ୍ରାକ୍ଟିକାଲ ଆଦି ବିଷୟରେ ଯୋଗ ଦେଇ ପାରୁନାହାନ୍ତି। ସେପଟେ ଓଡ଼ିଶା ସରକାର ପାରା ଆଥଲେଟ୍ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ସେଥିରେ ଦୃଷ୍ଟିହୀନ କ୍ରିକେଟ୍କୁ ସାମିଲ କରିନାହାନ୍ତି। ଏଣୁ ଦୃଷ୍ଟିହୀନ କ୍ରିକେଟର୍ଙ୍କୁ ମଧ୍ୟ ନିଯୁକ୍ତି ବ୍ୟବସ୍ଥାରେ ସାମିଲ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।