ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍: ସେମିରେ ବାଲେଶ୍ବର

ଭୁବନେଶ୍ବର: ବିହାରର ମୁଜାଫରପୁରଠାରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶାର ରାଣିପାଟଣା, ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟ ସେମିଫାଇନାଲରେ ପ୍ରବେଶ କରିଛି। ଏହି ପ୍ରତିଯୋଗିତାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମର ୧୨ ଦଳ ଅଂଶଗ୍ରହଣ କରୁଛନ୍ତି। ସେମିଫାଇନାଲରେ ବାଲେଶ୍ବର ଦଳ ପଶ୍ଚିମବଙ୍ଗର ଲାଇଟ୍ ହାଉସ୍ ଆରକେଏମ୍ ଦୃଷ୍ଟିହୀନ ବିଦ୍ୟାଳୟ ଭେଟିବ। ଏହି ୧୦ ଓଭରିଆ ପ୍ରତିଯୋଗିତାରେ ବାଲେଶ୍ବର ଦଳ ୧୩୫ ରନ୍‌ରେ ପଶ୍ଚିମବଙ୍ଗର ନାଦିଆ ଦୃଷ୍ଟିହୀନ ବିଦ୍ୟାଳୟକୁ ପରାସ୍ତ କରିଥିଲା। ବାଲେଶ୍ବର ପ୍ରଥମେ ବ୍ୟାଟିଂ କରି ସିଙ୍ଗରାଇ ମାଝୀଙ୍କ ୧୦୯ ଏବଂ ଅଂଜନ ସିଂହଙ୍କ ୯୬ ରନ୍ ବଳରେ ବିନା କ୍ଷତିରେ ୨୧୬ ରନ୍ କରିଥିଲା। ଏହାର ଜବାବରେ ନାଦିଆ ଦଳ ୭ ୱିକେଟ୍ ହରାଇ ମାତ୍ର ୮୧ ରନ୍ କରି ପାରିଥିଲା। ଏହି ସଫଳତା ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ ବାଲେଶ୍ବର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବାଲେଶ୍ବର ଦଳ ଗତବର୍ଷ ଏହି ପ୍ରତିଯୋଗିତାରେ ଉପବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର