ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହୋଇଥିଲା ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତା। ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ଓ ସର୍ବଭାରତୀୟ ଦୃଷ୍ଟିହୀନ କିକେଟ୍ ସଂଘ ଦ୍ୱାରା ଆୟୋଜିତ ଏହି ତିନିଦିନିଆ ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ଭୁବନେଶ୍ୱରର ତିନିଟି ପଡ଼ିଆ (ବିଜେବି, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପାରାମାଉଣ୍ଟ୍)ରେ ଖେଳାଯାଇଥିଲା। ପ୍ରତିଯୋଗିତାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାରରୁ ମୋଟ ୮ ଦଳ ଭାଗ ନେଇଥିଲେ। ସେଥିରେ ଓଡ଼ିଶାରୁ ଭୁବନେଶ୍ୱର, କୋରାପୁଟ, ଭଦ୍ରକ ଓ ବାଲେଶ୍ୱର ଦଳ ସାମିଲ ଥିଲା ବେଳେ ଝାଡ଼ଖଣ୍ଡରୁ ୨, ପଶ୍ଚିମବଙ୍ଗ ଓ ବିହାରରୁ ଗୋଟିଏ ଲେଖାଏଁ ଦଳ ରହିଥିଲେ। ନଭେମ୍ବର ୩୦ ତାରିଖରେ ବିଜେବି ପଡ଼ିଆରେ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା ବେଳେ ଶନିବାର (ଡିସେମ୍ବର ୨) ପାରାମାଉଣ୍ଟ୍ ସ୍ପୋର୍ଟିଂ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲ୍ରେ ବାଲେଶ୍ୱରକୁ ୧୦ ଓ୍ଵିକେଟ୍ରେ ପରାସ୍ତ କରି କୋରାପୁଟ ପୂର୍ବାଞ୍ଚଳ ବିଜେତା ହୋଇଥିଲା। ବାଲେଶ୍ୱର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସିଂଗରାମ ମାଝୀଙ୍କ ୧୯ ବଲ୍ରୁ ୩୨ ରନ୍ ସହାୟତାରେ ଦଳ ୧୦ ଓଭରରେ ୬ ଓ୍ଵିକେଟ୍ ହରାଇ କରିଥିଲା ୮୦ ରନ୍। ଜବାବରେ ନକୁଳ ବଡ଼ନାୟକଙ୍କ ୨୧ ବଲ୍ରୁ ଧୂଆଁଧାର ୫୩ ରନ୍ ବଳରେ କୋରାପୁଟ ମାତ୍ର ୫ ଓଭରରେ ବିନା ଓ୍ଵିକେଟ୍ରେ ୮୨ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ନକୁଳ ଉଭୟ ଫାଇନାଲ୍ ମ୍ୟାଚ୍ ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ରାମଚନ୍ଦ୍ର ମୁର୍ମୁ ଓ ସିଂଗରାମ ମାଝୀ ମଧ୍ୟ ମିଳିତ ଭାବେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ସେମିଫାଇନାଲ୍ରେ କୋରାପୁଟ ଦଳ ୯୭ ରନ୍ରେ ଭୁବନେଶ୍ୱରକୁ ଏବଂ ବାଲେଶ୍ୱର ଦଳ ୩୦ ରନ୍ରେ ପଶ୍ଚିମବଙ୍ଗର ବାଙ୍ଗଲା ଦଳକୁ ପରାସ୍ତ କରିଥିଲା।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ ସାମଲ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲା ବେଳେ ଶନିବାର ଉଦ୍ଯାପନୀ ଉତ୍ସବରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପାରାମାଉଣ୍ଟ୍ ସ୍ପୋର୍ଟିଂ କ୍ଲବ୍ ସଭାପତି ପ୍ରତାପ ଜେନା, ଓଡ଼ିଶା ଦୃଷ୍ଟିହୀନ ସଂଘର ସଂପାଦକ ସନ୍ୟାସୀ ବେହେରା, ଭାରତୀୟ ଦୃଷ୍ଟିହୀନ ସଂଘର ସଂପାଦକ ଜନ୍ ଡେଭିଡ୍ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।