ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଶିବିର ଉଦ୍‌ଯାପିତ

ଭୁବନେଶ୍ବର : ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (କାଭି ଓଡ଼ିଶା) ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆମ୍ବପୁଆ ସ୍ଥିତ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିବାଧିତ ମହିଳା ସ୍ୱତନ୍ତ୍ର କ୍ରିକେଟ୍ ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏଥିରେ ୩୦ ଜଣ ଦୃଷ୍ଟିବାଧିତ ଛାତ୍ରୀ ଯୋଗ ଦେଇଥିଲେ। କାଭି ଓଡ଼ିଶାର କ୍ରିକେଟ୍ ପ୍ରଶିକ୍ଷକ ତଥା ଆନ୍ତର୍ଜାତୀୟ କ୍ରିକେଟର୍ ସୁଖରାମ୍ ମାଝୀ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ଲିଙ୍ଗରାଜ ରାଉତରା ଓ ଚିନ୍ମୟ ସାହୁ ସହଯୋଗ କରିଥିଲେ।

ଉଦ୍‌ଯାପନୀ ସଭାରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ପକ୍ଷରୁ ମହିଳା ଦୃଷ୍ଟିହୀନ ଖେଳାଳିମାନଙ୍କୁ ଜର୍ସି, ଜୋତା ଏବଂ ଟୋପି ପ୍ରଦାନ କରାଯାଇଥିଲା। କାଭି ଓଡ଼ିଶାର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର ଇକବାଲ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଖେଳିବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଇବା ପାଇଁ ସଭାରେ ଉପସ୍ଥିତ ଅତିଥିମାନଙ୍କୁ ଅନୁରୋଧ କରିଥିଲେ। କାଭି ଯୁଗ୍ମ ସଂପାଦକ ବିରଞ୍ଚି ନାରାୟଣ ସାହୁ ଶିବିର ପରିଚାଳନା କରିଥଲେ। ଅତିଥିଭାବେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ସନ୍ଦୀପ କୁମାର ଦାସ, ବରିଷ୍ଠ ଆଇନଜୀବୀ ହର୍ଷ ପ୍ରସାଦ ଦାସ, ଡିପିସି ସନ୍ତୋଷ କୁମାର ବେହେରା, ଜିଲ୍ଲା କରାଟେ ସଂଘ ସଂପାଦକ ତଥା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ସୁମନ୍ତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନ୍ତର୍ଜାମୀ ବେହେରା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର